
ଅନୁଚ୍ଛେଦ ୩୭୦ ମାମଲା – ଅନ୍ୟ ରାଜ୍ୟକୁ ବିଭାଜନ ନ କରିବାର ଗ୍ୟାରେଣ୍ଟି ଦେବ କିଏ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ-୩୭୦ ପ୍ରତ୍ୟାହାର ଓ ରାଜ୍ୟକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ବିଭାଜନ ବିରୋଧରେ ଆଗତ ଡଜନେ ମାମଲାର ଶୁଣାଣିବେଳେ ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ୫ଜଣିଆ ସମ୍ବିଧାନ ପୀଠ ପଞ୍ଜାବ ଓ ଉତ୍ତର-ପୂର୍ବାଞ୍ଚଳ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି। କେନ୍ଦ୍ର ସରକାର ଯେଉଁ କ୍ଷମତା ବଳରେ ଜାମ୍ମୁ-କାଶ୍ମୀରକୁ ବିଭାଜନ କରିପାରୁଛନ୍ତି; ସେହି କ୍ଷମତାର ପୁନର୍ବାର ଦୁରୁପଯୋଗ ମାଧ୍ୟମରେ କାହିଁକି ଉତ୍ତର-ପୂର୍ବାଞ୍ଚଳ ଓ ପଞ୍ଜାବ ଭଳି ରାଜ୍ୟର ବିଭାଜନ ନ କରିବେ ଏବଂ ଏହାର ଗ୍ୟାରେଣ୍ଟି କିଏ ଦେବ ବୋଲି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ପ୍ରଶ୍ନ କରିଛନ୍ତି। ସଲିସିଟର ଜେନେରାଲ ତୁଷାର ମେହତା ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ଦର୍ଶାଇବା ସହ ମଧ୍ୟପ୍ରଦେଶ ଓ ଗୁଜରାଟ ଭଳି ରାଜ୍ୟର ବିଭାଜନ ପାଇଁ ନିୟମ ଭିନ୍ନ ଥିବା ବୋଲି କହିବାରୁ ପ୍ରଧାନ ବିଚାରପତି କହିଥିଲେ ଯେ ଜାମ୍ମୁ-କାଶ୍ମୀର ପରିସ୍ଥିତି ଯାହା ପଞ୍ଜାବ ଓ ଉତ୍ତର-ପୂର୍ବାଞ୍ଚଳରେ ମଧ୍ୟ ତାହା। ଏହି ପରିପ୍ରେକ୍ଷୀରେ ୨୦୧୯ରେ ରାଜ୍ୟ ବିଭାଜନର ଯଥାର୍ଥତା ନେଇ େସ ପ୍ରଶ୍ନ ଉଠାଇଥିଲେ। ଜାମ୍ମୁ-କାଶ୍ମୀର ବିଭାଜନ କାହିଁକି ସଂସଦର ଅନୁମୋଦନ ଲାଭ କରିପାରିନାହିଁ ବୋଲି ପ୍ରଧାନ ବିଚାରପତି ପଚାରିଥିଲେ। ବିଚାରପତି ଏସ୍.କେ କାଉଲ ଜାମ୍ମୁ-କାଶ୍ମୀର ପରି ବହୁ ରାଜ୍ୟ ଦେଶର ସୀମାନ୍ତ ସଂଲଗ୍ନ ବୋଲି ଦର୍ଶାଇବାରେ ମେହତା କହିଥିଲେ ଯେ ସବୁ ପଡ଼ୋଶୀ ରାଷ୍ଟ୍ର ଭାରତର ବନ୍ଧୁ ନୁହନ୍ତି। କାଶ୍ମୀରରେ ସବୁବେଳେ ବିଶୃଙ୍ଖଳା ଲାଗିରହୁଥିବାରୁ ଏହାକୁ ଦେଶର ମୁଖ୍ୟ ସ୍ରୋତକୁ ଆଣିବାର ଆବଶ୍ୟକତା ରହିଛି। ବିଚାରପତି କାଉଲ ପ୍ରଶ୍ନ କରିଥିଲେ, ଉତ୍ତର-ପୂର୍ବାଞ୍ଚଳ ଓ ପଞ୍ଜାବରେ ପରିସ୍ଥିତି ଭଲ ନାହିଁ। ସେଠାରେ ଯଦି କାଶ୍ମୀର ଅବସ୍ଥା ସୃଷ୍ଟି ହୁଏ, ତେବେ ସରକାର କ’ଣ ଏହାକୁ ଭାଙ୍ଗିଦେବେ ? କୌଣସି ରାଜ୍ୟକୁ ଭାଙ୍ଗି ଦେବା କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ କରିବା କ୍ଷମତା ସଂସଦର ରହିଛି କି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ। ସମ୍ବିଧାନ ସଭା ବିଶେଷ ପରିସ୍ଥିତିରେ ଅନୁଚ୍ଛେଦ-୩୭୦ ଅନୁମୋଦନ କରିବା ସହ ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରିଥିଲେ; କିନ୍ତୁ ଏହାର ଅର୍ଥ ନୁହେଁ ଯେ ରାଷ୍ଟ୍ରପତି ଏହାକୁ ନିର୍ବିଚାରରେ ପ୍ରତ୍ୟାହାର କରିନେବେ। ସରକାର ଏ ସବୁର ଯଥାର୍ଥ କାରଣ ଦର୍ଶାଇବା ଉଚିତ ବୋଲି ପୀଠ କହିଥିଲେ।
Comments are closed.