www.samajalive.in
Monday, December 15, 2025
24.1 C
Bhubaneswar

ଅର୍ଚ୍ଚନା ମାମଲା : ବାବୁଙ୍କ ଗୁମର ଖୋଲିଲା

ଭୁବନେଶ୍ବର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଗିରଫ ଖଗେଶ୍ବର ପାତ୍ର ଓରଫ ବାଇନକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ସ୍ବତନ୍ତ୍ର ଦଳ ମାରାଥନ ଜେରା ଚଳାଇଥିବାବେଳେ ଧୀରେ ଧୀରେ ସେ ମୁହଁ ଖୋଲୁଥିବା ଜାଣିବାକୁ ମିଳିଛି। ତଦନ୍ତକାରୀ ଦଳ ପ୍ରଶ୍ନବାଣରେ ଖଗେଶ୍ବର ହଡ଼ବଡ଼େଇ ଯାଉଛି । ପୁଳା ପୁଳା ଟଙ୍କା କେଉଁଠୁ ଆଣିଲ, କିଏ ଦେଇଥିଲା ଏତେ ପରମାଣର ଟଙ୍କା, ଉତ୍ତର ଦେଇପାରୁନି ଖଗେଶ୍ବର। କଷ୍ଟେମଷ୍ଟେ ଜଣକ ପରେ ଜଣଙ୍କ ନାମ କହୁଛି, ସେ ଯେଉଁମାନଙ୍କ ନାମ କହୁଛି, ସେମାନଙ୍କୁ ନୋଟିସ କରିବ ଇଡି। ଖଗେଶ୍ବର ମୁହଁରେ କୌଣସି ନିର୍ଦିଷ୍ଟ ଦଳର ନେତାଙ୍କ ନାମ ନାହିଁ, ତା’ ବୟାନରେ ସବୁ ଶ୍ରେଣୀର ଲୋକ ରହିଛନ୍ତି। ଏପରିକି କେତେକ ବାବୁ (ଅଫିସର)ଙ୍କ ସମ୍ପର୍କରେ ସେ ସୂଚନା ଦେଇଛି। ନାଗ ଦମ୍ପତିଙ୍କ କଳା ସାମ୍ରାଜ୍ୟର ସବୁ କିଛି ଖଗେଶ୍ବର ପ୍ରକାଶ କରିବ ବୋଲି ଇଡି ଆଶା ରଖିଛି। ସେପଟେ ଶ୍ରଦ୍ଧାଞ୍ଜଳିକୁ ଜେରା କରିବା ପାଇଁ ତଦନ୍ତକାରୀ ସଂସ୍ଥା ଯୋଜନା କରିଛି। ଅର୍ଚ୍ଚନା କିପରି ବ୍ଲାକମେଲ କରୁଥିଲା, ତା’ ରଙ୍ଗଶାଳାରେ କେଉଁମାନେ ରଙ୍ଗିନ ହେଉଥିଲେ, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇଡି ତଦନ୍ତକୁ ଜୋରଦାର କରିଛି। ଇଡ଼ିର ଏହି ଖୋଳତାଡ଼ ପରେ ବଡ଼ ବଡ଼ିଆଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।
ଭୁବନେଶ୍ବରଠୁ କଳାହାଣ୍ଡି, ଆଉ ଜଳେଶ୍ବର ଯୁଆଡ଼େ ଦେଖିଲେ ସିଆଡ଼େ ବିଳାସପୂର୍ଣ୍ଣ କୋଠା। ବିଏମଡବ୍ଲ୍ୟୁ ଠାରୁ ଆରମ୍ଭ କରି ଥର ଗାଡ଼ି, ଏକାଧିକ ଦାମି ଗାଡ଼ି ବ୍ୟବହାର କରୁଥିଲେ ନାଗ ଦମ୍ପତି ଓ ଖଗେଶ୍ବର। ବିଦେଶୀ କୁକୁର ପାଳିଥିଲେ। ଘରର ସାଜସଜ୍ଜା ଏପରିଥିଲା ଯେ, ସେଠାରେ ଫିଲ୍ମ ସୁଟିଂ କରିବାକୁ ପ୍ରଯୋଜକ ମନ ବଳାଇଥିଲେ। ମାତ୍ର ୪ ବର୍ଷ ମଧ୍ୟରେ ଏତେସବୁ ସମ୍ପତ୍ତି କିପରି ଠୁଳ ହେଲା, ତା’ର ଉତ୍ତର ଖୋଜୁଛି ଇଡି। ବେଆଇନ ଆର୍ଥିକ କାରବାରର ତଦନ୍ତ କରୁଥିବା ଇଡି ହାତରେ ଏବେ ରାଜ୍ୟର ପ୍ରଭାବଶାଳୀଙ୍କ ଚେହେରା ଧରାପଡ଼ିଛି। ଖଗେଶ୍ବରର ୧୦ ଦିନିଆ ଜିମା ଅବଧି ମଧ୍ୟରେ ନାଗ ଦମ୍ପତିଙ୍କୁ ଜିମାରେ ଆଣିବା ପାଇଁ ଇଡି ଅଦାଲତରେ ଆବେଦନ କରିବ ବୋଲି ଜଣାପଡ଼ିଛି। ଅଦାଲତଙ୍କ ଅନୁମତି ମିଳିଲେ ନାଗ ଦମ୍ପତିଙ୍କ ସହ ଖଗେଶ୍ବରକୁ ମୁହାଁମୁହିଁ ଜେରା କରିବାକୁ ଯୋଜନା କରିଛି। ଏହାପରେ ନାଗଫାଶରେ ପଡ଼ିଥିବା ବ୍ୟକ୍ତି ବିଶେଷଙ୍କୁ ଇଡି ନୋଟିସ କରିବ ବୋଲି ଜଣାପଡିଛି। ଖଗେଶ୍ବରର କାମ କ’ଣ ଥିଲା ସେ ତଥ୍ୟ ତଦନ୍ତକାରୀ ସଂସ୍ଥା ସଂଗ୍ରହ କରିଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଖଗେଶ୍ବର ୪ ଚକିଆ ଗ୍ୟାରେଜ କରିଥିଲା। ସେହି ସମୟରେ ଜଗବନ୍ଧୁ ସହ ତା’ର ବନ୍ଧୁତା ହୋଇଥିଲା। ପରେ ସେ ଅର୍ଚ୍ଚନା ସହ ମିଶି ଥିଲା। ଅର୍ଚ୍ଚନା ବ୍ଲାକମେଲିଂ ସାମ୍ରାଜ୍ୟର ସେ ମାଷ୍ଟରମାଇଣ୍ଡ ସାଜିଥିଲା। କମିସନରେଟ ପୁଲିସ ଏହି ମାମଲାରେ ଅର୍ଚ୍ଚନା ଓ ଜଗବନ୍ଧୁକୁ ଗିରଫ କରିଥିଲା, ହେଲେ ଖଗେଶ୍ବର ଫେରାର କହି ହାତବାନ୍ଧି ବସିଥିଲା। ମାମଲାର ପ୍ରାୟ ୧ ମାସ ଫେରାର ରହିବା ମଧ୍ୟରେ ଖଗେଶ୍ବର ବହୁ ତଥ୍ୟ ପ୍ରମାଣ ନଷ୍ଟ କରିଥିବା ଇଡି ଜାଣିବାକୁ ପାଇଛି। ସେସବୁ ତଥ୍ୟ ହାତେଇବା ପାଇଁ ଏହାର ସ୍ବତନ୍ତ୍ର ଦଳ ଦିନ ରାତି ତଦନ୍ତ ଚଳାଇଛନ୍ତି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories