ଟି-୨୦ ବିଶ୍ବକପ୍‌ ଫାଇନାଲ ଆଜି

ପାକ୍ ବୋଲିଂ, ଇଂଲଣ୍ଡ ବ୍ୟାଟିଂ ମଧ୍ୟରେ ମୁକାବିଲା

ମେଲ୍‌ବୋର୍ଣ୍ଣ : ରବିବାର ଏଠାରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଫାଇନାଲରେ ଇଂଲଣ୍ଡକୁ ହରାଇ କିମ୍ବଦନ୍ତୀ କ୍ରିକେଟର ଇମ୍ରାନ୍ ଖାଁଙ୍କ ସହ ସମକକ୍ଷ ହେବାକୁ ବାବର ଆଜମ୍‌ ଲକ୍ଷ୍ୟ ରଖିଛନ୍ତି। ସମ୍ମୁଖରେ ଅତ୍ୟନ୍ତ ଶକ୍ତିଶାଳୀ ଇଂଲଣ୍ଡ। ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ବ୍ୟାଟିଂ ଦଳର ମାନ୍ୟତା ପାଇଥିବା ଇଂଲଣ୍ଡକୁ ପରାସ୍ତକରି ୨ୟ ଥର ଟ୍ବେଣ୍ଟି୨୦ ବିଶ୍ବକପ୍‌ ଚମ୍ପିଆନ୍‌ ହେବାକୁ ପାକିସ୍ତାନ ଲକ୍ଷ୍ୟ ରଖିଛି। ୨୦୦୭ ଟି୨୦ ବିଶ୍ବକପ୍‌ର ଫାଇନାଲରେ ଭାରତଠାରୁ ପରାସ୍ତହେବା ପରେ ୨୦୦୯ରେ ପାକିସ୍ତାନ୍ ଚମ୍ପିଆନ୍ ହୋଇଥିଲା। ୨୦୧୦ରେ ପରବର୍ତ୍ତୀ ସଂସ୍କରଣରେ ଇଂଲଣ୍ଡ ଏହି ଟ୍ରଫି ଜିତିଥିଲା। ମେଲ୍‌ବୋର୍ଣ୍ଣର ପିଚ୍‌ ପେସ୍‌ ବୋଲରଙ୍କୁ ସହାୟତା ଦେବାର ଥିବାରୁ ପାକିସ୍ତାନର ଫାଷ୍ଟବୋଲରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ତେବେ ୯ନଂ ପର୍ଯ୍ୟନ୍ତ ଲମ୍ବା ବ୍ୟାଟିଂ ଲାଇନ୍‌ ଥିବା ଇଂଲଣ୍ଡ ଦଳ ପାକିସ୍ତାନୀ ଆକ୍ରମଣର ମୁକାବିଲା ପାଇଁ ସକ୍ଷମ। ତେଣୁ ଫାଇନାଲରେ ପାକିସ୍ତାନର ବୋଲିଂ ଓ ଇଂଲଣ୍ଡର ବ୍ୟାଟିଂ ମଧ୍ୟ​‌େ​‌ର ମୁଖ୍ୟତଃ ମୁକାବିଲା ହେବ।

ଏହି ବିଶ୍ବକପ୍‌ରେ ଫାଇନାଲ ପର୍ଯ୍ୟନ୍ତ ପାକିସ୍ତାନର ଯାତ୍ରା କୌଣସି ବଲିଉଡ୍‌ ଥ୍ରିଲର ଚଳଚ୍ଚିତ୍ରଠାରୁ କମ୍‌ ନୁହେଁ। ପ୍ରଥମ ସପ୍ତାହରେ ପାକିସ୍ତାନ ଏପରି ପ୍ରଦର୍ଶନ କରିଥିଲା; ଲାଗୁଥିଲା ଏହା ଗ୍ରୁପ୍‌ର ପ୍ରଥମ ୩ଟି ସ୍ଥାନରେ ମଧ୍ୟ ରହିପାରିବ ନାହିଁ। ଭାରତଠାରୁ ପ୍ରଥମ ମ୍ୟାଚ୍‌ ହାରିବା ପରେ ଜିମ୍ବାୱେଠାରୁ ମଧ୍ୟ ପାକିସ୍ତାନ ହାରିଥିଲା। ହେଲେ ୨ୟ ସପ୍ତାହରେ ଏହା ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ଦକ୍ଷିଣ ଆଫ୍ରିକା ପରି ଦଳକୁ ହରାଇଥିଲା। ତଥାପି ଏହା ସ୍ବଦେଶ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍‌ସ ହରାଇବା ପରେ ପାକିସ୍ତାନ ସେମିରେ ପହଞ୍ଚିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ସେମିରେ ଦଳର ଦୁଇ ମୁଖ୍ୟ ବ୍ୟାଟ୍‌ସମ୍ୟାନ୍ ବାବର ଆଜମ୍‌ ଓ ମହମ୍ମଦ ରିଜ୍‌ୱାନ ଫର୍ମକୁ ଫେରି ଦଳକୁ ଫାଇନାଲରେ ପହଞ୍ଚାଇଥିଲେ। ଏହି ବିଶ୍ବକପ୍‌ରେ ପାକିସ୍ତାନର ଯାତ୍ରା ୧୯୯୨ ଦିନିକିଆ ବିଶ୍ବକପ୍‌ ପରି। ଉକ୍ତ ବିଶ୍ବକପ୍‌ ଫାଇନାଲରେ ଇଂଲଣ୍ଡକୁ ହରାଇ ପାକିସ୍ତାନ ଚମ୍ପିଆନ୍ ହୋଇଥିବା ବେଳେ ଚଳିତ ବିଶ୍ବକପ୍‌ ଫାଇନାଲରେ ମଧ୍ୟ ଇଂଲଣ୍ଡ ଏହାକୁ ଅପେକ୍ଷା କରିଛି। ପାକିସ୍ତାନ ହେଉଛି ଏପରି ଏକ ଦଳ; ତା’ର ପ୍ରଦର୍ଶନ ଉପରେ ଭବିଷ୍ୟବାଣୀ କରିବା ଅସମ୍ଭବ। ଏହା ଦୁର୍ବଳ ଦଳଠାରୁ ହାରିପାରେ ଏବଂ ଏହାର ଦିନରେ ବିଶ୍ବର ଶ୍ରେଷ୍ଠ ଦଳକୁ ମଧ୍ୟ ପରାସ୍ତ କରିପାରେ। ସାହିନ୍ ଶାହା ଆଫ୍ରଦି ଲୟକୁ ଫେରିବା ପାକିସ୍ତାନକୁ ଉତ୍ସାହିତ କରିଛି। ହାରିସ୍ ରୌଫ୍‌ ତାଙ୍କ ଗତି ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସଦ୍ଦାବ ଖାଁ କେବଳ ୧୦ଟି ୱିକେଟ ନେଇନାହାନ୍ତି; ବ୍ୟାଟିଂରେ ମଧ୍ୟ ମ୍ୟାଚ୍‌ ଜିତାଇଥିଲେ। ପାକିସ୍ତାନର ବୋଲରଙ୍କୁ ଇଂଲଣ୍ଡର ଜୋସ୍‌ ବଟ୍‌ଲର, ଆଲେକ୍ସ ହେଲ୍‌ସ, ବେନ୍‌ ଷ୍ଟୋକ୍‌ସ, ହ୍ୟାରି ବ୍ରୁକ୍‌, ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ ଓ ମୋଇନ୍ ଅଲୀଙ୍କ ପରି ବିସ୍ଫୋରକ ବ୍ୟାଟ୍‌ସମ୍ୟାନଙ୍କୁ ରୋକିବାକୁ ପଡ଼ିବ। ଭାରତ ବିପକ୍ଷରେ ୧୬ ଓଭରରେ ଇଂଲଣ୍ଡ ୧୭୦ ରନ୍‌କରି ୧୦ ୱିକେଟରେ ଜିତି ତା’ର ବ୍ୟାଟିଂ ଶକ୍ତି ପ୍ରଦର୍ଶନ କରିସାରିଛି। ଏମ୍‌ସିଜିରେ ପାକିସ୍ତାନ ଦଳକୁ ୫୦ ହଜାରରୁ ଅଧିକ ପାକିସ୍ତାନୀଙ୍କ ସମର୍ଥନ ମିଳିବ। ମାର୍କ ଉଡ୍‌ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ଡାୱିଡ୍ ମଲାନ୍‌ ମଧ୍ୟ ଫିଟ୍‌ ହୋଇନାହାନ୍ତି। ଉଭୟେ ନ ଖେଳିଲେ କ୍ରିସ୍‌ ଜୋର୍ଡାନ୍ ଓ ଫିଲ୍‌ ସଲ୍‌ଟ ସେମାନଙ୍କ ସ୍ଥାନ ବଜାୟ ରଖିବେ। ସ୍ଲଗ୍‌ ଓଭରରେ ସାମ୍‌ କରନ୍‌ ୭ଟି ୱିକେଟ ନେଇଛନ୍ତି। ମହମ୍ମଦ ହାରିସ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ପାକିସ୍ତାନକୁ ଉତ୍ସାହିତ କରିଛି। ଇଫ୍‌ତିକାର ଅହମ୍ମଦ ଓ ସାନ୍ ମସୁଦ୍ ମଧ୍ୟ ଭଲ ବ୍ୟାଟିଂ କରୁଛନ୍ତି। ପାକିସ୍ତାନ ଅପରିବର୍ତ୍ତିତ ଏକାଦଶ ଖେଳାଇପାରେ। ଏହି ପିଚ୍‌ରେ ୧୬୦ ରନ୍ ପାଖାପାଖି ଭଲ ସ୍କୋର୍‌ ହେବ। ଆୟରଲାଣ୍ଡ ଏଠାରେ ୧୫୭ ରନ୍‌ କରିଥିବା ବେଳେ ଇଂଲଣ୍ଡ ଏହାର ପିଛା କରି ପାରିନଥିଲା। ଟି୨୦ ବିଶ୍ବକପ୍‌ରେ ଅଦ୍ୟାବଧି ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ୨ ଥର ମୁକାବିଲା ହୋଇଛି ଏବଂ ଉଭୟ ଥର ଇଂଲଣ୍ଡ ଜିତିଛି। ଯଦି ଇଂଲଣ୍ଡ ବିଜୟୀହୁଏ; ତେବେ ବିଶ୍ବର ପ୍ରଥମ ଦଳ ଭାବେ ଉଭୟ ଦିିନିକିଆ ଓ ଟ୍ବେଣ୍ଟି୨୦ ଟ୍ରଫି ରଖିବାର କୃତିତ୍ବ ହାସଲ କରିବ।

Comments are closed.