ଜାମିନ ଯାଚନା

ଭୁବନେଶ୍ବର : ଯେଉଁ ମାମଲା ଗୁରୁତର ନୁହେଁ ଏବଂ ସେଥିରେ ଜାମିନ ପ୍ରଦାନ ଏକ ନିୟମିତ ପ୍ରକ୍ରିୟା ଭାବରେ ବିବେଚନା କରାଯିବା ଉଚିତ, ସେହି ମାମଲାରେ ମଧ୍ୟ ନିମ୍ନ ଅଦାଲତଗୁଡ଼ିକ ଜାମିନ ନାମଞ୍ଜୁର କରୁଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ପୁଣି ଥରେ ଚିନ୍ତା ପ୍ରକଟ କରିଛନ୍ତି। ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ଏକାଧିକ ଥର ଚେତାଇ ଦେଇଥିବା ସତ୍ତ୍ବେ ବ୍ୟତିକ୍ରମ ପରିଲକ୍ଷିତ ହେଉଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ଅଦାଲତ କହିଛନ୍ତି। ନ୍ୟାୟମୂର୍ତ୍ତି ଅଭୟ ଏସ୍ ଓକା ଓ ନ୍ୟାୟମୂର୍ତ୍ତି ଉଜ୍ଜ୍ବଲ ଭୂୟାଁଙ୍କୁ ନେଇ ଗଠିତ ପୀଠ କହିଛନ୍ତି ଯେ ୨୦ ବର୍ଷ ତଳେ ଏଭଳି ମାମଲାରେ ଜାମିନ ଆବେଦନ ହାଇକୋର୍ଟରେ ପହଞ୍ଚୁ ନ ଥିବାବେଳେ ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ଏହା ପହଞ୍ଚୁଛି। ପୀଠ କଠୋର ଶବ୍ଦ ପ୍ରୟୋଗ କରି କହିଛନ୍ତି ଯେ ଗଣତନ୍ତ୍ରରେ ‘ପୁଲିସ ଷ୍ଟେଟ୍’ ପାଇଁ କୌଣସି ସ୍ଥାନ ନାହିଁ ଯେଉଁଠି ତଦନ୍ତକାରୀ ସଂସ୍ଥା ଅଯଥାରେ ଲୋକଙ୍କୁ ଗିରଫ କରିବ। ଅଦାଲତ ତାଙ୍କ ୨୦୨୨ର ଆଦେଶକୁ ମଧ୍ୟ ମନେ ପକାଇ ଦେଇଛନ୍ତି, ଯେଉଁଥିରେ ହେପାଜତର ଆବଶ୍ୟକତା ନଥିବା ମାମଲାରେ ପୁଲିସର ଗିରଫଦାରି ଉପରେ ରୋକ୍ ଲଗାଯାଇଥିଲା ଏବଂ ଲୋକଙ୍କ ସ୍ୱାଧୀନତା ରକ୍ଷା କରିବାକୁ ଓ ଜାମିନ ପ୍ରଦାନରେ ଉଦାର ହେବାକୁ ଆପରାଧିକ ଅଦାଲତଗୁଡ଼ିକୁ ନିର୍ଦେଶ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ମାମଲାର ତଦନ୍ତ ଶେଷ ହୋଇ ଅଭିଯୋଗପତ୍ର ଦାଖଲ ହୋଇଥିଲେ ମଧ୍ୟ ନିମ୍ନ ଅଦାଲତ ଓ ଗୁଜରାତ ହାଇକୋର୍ଟ ଏକ ମାମଲାରେ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।
ନିକଟରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ପ୍ରକାଶ କରିଥିଲେ ଯେ ତାଙ୍କ କାର୍ୟ୍ୟକାଳ ମଧ୍ୟରେ ଅଦାଲତକୁ ଜାମିନ ପାଇଁ ୨୧,୦୦୦ରୁ ଅଧିକ ଆବେଦନ ଆସିଥିଲା। ଜଷ୍ଟିସ୍ ବିଆର୍ ଗବାଇ ମଧ୍ୟ ଗତବର୍ଷ କହିଥିଲେ ଯେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରତ୍ୟେକ ପୀଠ ପ୍ରତିଦିନ ଅତି କମରେ ୧୫ରୁ ୨୦ଟି ଜାମିନ ମାମଲାର ଶୁଣାଣି କରନ୍ତି। ଏହି ଶୁଣାଣିଗୁଡ଼ିକରେ ଯେଉଁ ସମୟ ବ୍ୟତୀତ ହୁଏ, ତାକୁ ଅଦାଲତ ‘ବିରାଟ ଅପଚୟ’ ଆଖ୍ୟା ଦେବା ସହ ସେହି ସମୟରେ ଦୀର୍ଘ ଦିନ ଧରି ବିଚାରାଧୀନ ଥିବା ସାମ୍ବିଧାନିକ ମାମଲା ସମେତ ଅନ୍ୟାନ୍ୟ ମାମଲାର ଶୁଣାଣି ହୋଇପାରନ୍ତା ବୋଲି କହିଛନ୍ତି। ଅଧିକାଂଶ ଜାମିନ ମାମଲାର ବିଚାର ନିମ୍ନ ଅଦାଲତ ସ୍ୱାଭାବିକ ଭାବରେ କରିପାରିବେ। ଅତୀତରେ ଉଚ୍ଚତମ ନ୍ୟାୟାଳୟ ଜାମିନ ମାମଲାରେ ଜିଲା ଅଦାଲତର ଦୃଷ୍ଟିକୋଣକୁ ମଧ୍ୟ ସମାଲୋଚନା କରିଥିଲେ। ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼ ଥରେ କହିଥିଲେ ଯେ ନିମ୍ନ ଅଦାଲତର ବିଚାରପତିମାନେ ଅନେକ ମାମଲାରେ ଜାମିନ ନ ଦେଇ ‘ନିଜକୁ ନିରାପଦ ରଖିବାକୁ’ ଚେଷ୍ଟା କରୁଛନ୍ତି।
ନିମ୍ନ ଅଦାଲତଗୁଡ଼ିକ ଜାମିନ ପ୍ରଦାନ ସମ୍ପର୍କିତ ମୌଳିକ ନ୍ୟାୟିକ ନିୟମ ବିଷୟରେ ଅବଗତ ନୁହନ୍ତି ବୋଲି ଭାବିବା ଭୁଲ୍ ହେବ। ଜିଲା ଅଦାଲତର ବିଚାରପତିମାନେ ଜାମିନ ଦେବାକୁ କୁଣ୍ଠାବୋଧ କରିବା ପଛର ସବୁଠୁ ବଡ଼ କାରଣ ହେଲା ଉଚ୍ଚ ନ୍ୟାୟିକ ସ୍ତରରେ ସେମାନଙ୍କ ନିର୍ଣ୍ଣୟକୁ ନାପସନ୍ଦ କରାଗଲେ ଉଚ୍ଚ ବା ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଦଣ୍ଡନୀୟ କାର୍ୟ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତିଟ୍ଟ ତେଣୁ ଅଧିକ ସତର୍କତା ଓ ନିଜକୁ ନିରାପଦ ରଖିବାର ଇଚ୍ଛା ସେମାନଙ୍କୁ ଅନେକ ମାମଲାରେ ଜାମିନ ନାମଞ୍ଜୁର ପାଇଁ ପ୍ରବର୍ତ୍ତାଏ। ତେବେ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ବାରମ୍ବାର, ଏପରିକି ଏକାଧିକ ପ୍ରଧାନ ବିଚାରପତି ଉଦାର ଜାମିନ ନୀତି ଆପଣାଇବାକୁ କହିବା ପରେ ମଧ୍ୟ ଏଭଳି ଆଶଙ୍କା ଜାରି ରହିବା ନିଶ୍ଚୟ ଏକ ବିଡ଼ମ୍ବନା। ସ୍ମରଣୀୟ ଯେ ବେଆଇନ କାର୍ୟ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଭଳି କଠୋର ଆଇନରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ‘ଜାମିନ୍ ହିଁ ନିୟମ’ ନୀତିକୁ କାର୍ୟ୍ୟକାରୀ କରିଥିବା ଦେଖାଯାଇଛି। ସୁତରାଂ ନିମ୍ନ ଅଦାଲତର ବିଚାରପତିମାନେ ଏ ଦିଗରେ ଅଧିକ ଯତ୍ନଶୀଳ ହେବାର ଆବଶ୍ୟକତା ରହିଥିବା ମନେହୁଏ।
Comments are closed.