www.samajalive.in
Sunday, December 7, 2025
13.1 C
Bhubaneswar

ସୁନିତାଙ୍କ ନିରାପଦ ଘର ବାହୁଡା

ଭୁବନେଶ୍ଵର: ସୁନିତା ୱିଲିୟମ୍ସ ଧରାପୃଷ୍ଠକୁ ଫେରି ଆସିଲେ। ବିଶ୍ବବାସୀ ଆଶ୍ବସ୍ତ ହେଲେ। ଏ ପ୍ରବନ୍ଧରେ ଏହି ବିଷୟରେ ଅଳ୍ପ ଆଲୋଚନା କରିବା। ସୁନିତା ୱିଲିୟମ୍ସ ଜଣେ ଆମେରିକୀୟ ମହିଳା ମହାକାଶଚାରୀ। ତାଙ୍କ ବାପା ଭାରତୀୟ ମୂଳର ଦୀପକ ପାଣ୍ଡିଆ। ମା ସ୍ଲୋଭାନିଆ ମୂଳର ଉର୍ସୁଲିନ ବନି। ସୁନିତାଙ୍କ ଜନ୍ମ ଆମେରିକାର ଓହାୟୋରେ। ସୁନିତା ନିଜକୁ ହିନ୍ଦୁ ଧର୍ମାବଲମ୍ବୀ ମନେ କରନ୍ତି। ସେ ଉଚ୍ଚ ଶିକ୍ଷତା ଏବଂ ତାଲିମପ୍ରାପ୍ତ ଦକ୍ଷ ମହାକାଶ ବିଶେଷଜ୍ଞ। ସୁନିତା ମାଇକେଲ୍‌ ୱିଲିୟମ୍ସ ନାମକ ଜଣେ ଆମେରିକୀୟଙ୍କୁ ବାହା ହୋଇଛନ୍ତି। ସୁନିତା ଜଣେ ଅଭିଜ୍ଞ ମହାକାଶଚାରୀ। ସେ ତିନିଥର ମହାକାଶ ଯାତ୍ରା କରିଛନ୍ତି। ୨୦୦୬-୦୭ ମସିହାରେ ସୁନିତା ମହାକାଶକୁ ୧୫-ଜଣିଆ ଦଳର ସଦସ୍ୟ ଭାବରେ ଯାତ୍ରା କରିଥିଲେ। ସେଥିରେ ତାଙ୍କ ଭୂମିକା ଫ୍ଲାଇଟ୍‌ ଇଞ୍ଜିନିୟରର ଥିଲା। ସେହି ଯାତ୍ରାରେ ସେ ମୋଟ ୨୯ଘଣ୍ଟା ୧୭ ମିନିଟ୍‌ ପାଇଁ ‘ସ୍ପେସ୍‌ ୱାକ୍‌’ (ମହାକାଶରେ ମହାକାଶଯାନ ବାହାରେ ବିଚରଣ କରିବା)ଚାରିଥର କରିଥିଲେ। ମହିଳା ମହାକାଶଚାରୀଙ୍କ ପାଇଁ ସେ ସମୟରେ ଏହା ଏକ ରେକର୍ଡ ଥିଲା। ପରେ ୨୦୧୨ ମସିହାରେ ସେ ଆଉ ଥରେ ମହାକାଶ ଯାତ୍ରା କରିଥିଲେ। ସେଥର ସେ ମହାକାଶରେ ୧୨୭ଦିନ ରହିଥିଲେ ଏବଂ ତିନିଥର ସ୍ପେସ୍‌ ୱାକ୍‌ କରିଥିଲେ। ପ୍ରଥମ ଯାତ୍ରା ନାସା (ନ୍ୟାସନାଲ୍‌ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌’ ଅାଡ଼ମିନ୍‌ଷ୍ଟ୍ରେସନ- ଆମେରିକା ସରକାର ଅଧୀନସ୍ଥ ସଂସ୍ଥା) ଆନୁକୂଲ୍ୟରେ ଏବଂ ଦ୍ବିତୀୟ ଯାତ୍ରା ରୁଷିଆରୁ ଆମେରିକା-ରୁଷିଆ-ଜାପାନ ମିଶି ଆୟୋଜିତ ଯୋଜନା ଅନ୍ତର୍ଗତ ଥିଲା। ଏଥରର ଯାତ୍ରା ମିଶି ସୁନିତା ସର୍ବମୋଟ ୬୨ଘଣ୍ଟା ୬ ମିନିଟ ପାଇଁ ୯ ଥର ସ୍ପେସ୍‌ୱାକ୍‌ କରିିଥିବା ପୃଥିବୀର ଅଭିଜ୍ଞତମ ମହାକାଶଚାରୀ ମଧ୍ୟରୁ ଅନ୍ୟତମ। ​‌େ​‌ସ୍ପସ୍‌ ୱାକ୍‌ ଦୃଷ୍ଟିରୁ ସେ ମହିଳାମାନଙ୍କ ମଧ୍ୟରେ ପ୍ରଥମ ଏବଂ ପୁରୁଷ ମହିଳା ମିଶାଇ ଚତୁର୍ଥସ୍ଥାନରେ ଅଛନ୍ତି।
ସୁନିତାଙ୍କ ତୃତୀୟ ମହାକାଶ ଯାତ୍ରା ମୂଳତଃ ସପ୍ତାହେ ପାଇଁ ଥିଲା। ଜୁନ୍‌ ୫, ୨୦୨୪ ତାରିଖରେ ସେ ମହାକାଶ ପାଇଁ ଯାତ୍ରା କଲେ। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୨୮୬ ଦିନ ରହିବାକୁ ପଡ଼ିଲା। ମାର୍ଚ୍ଚ ୧୮, ୨୦୨୫ ତାରିଖ ଦିନ ସୁନିତା ନିରାପଦରେ ଫେରି ଆସିଲେ। ଏହି ଯାତ୍ରାର ବିଶେଷତ୍ବ ହେଲା ଏହା ସରକାରୀ (ନାସା) ଆୟୋଜିତ ଯାତ୍ରା ନଥିଲା। ଆଜିକାଲିର ବହୁ ଚର୍ଚ୍ଚିତ ଧନାଢ଼୍ୟ ବ୍ୟକ୍ତି ଏଲନ ମସ୍କଙ୍କ କମ୍ପାନୀ ‘ସ୍ପେସ ଏକ୍ସପ୍ଲୋରେସନ୍‌ ଟେକ୍ନୋଲଜିସ୍‌ କର୍ପୋରେସନ୍‌’ (ସଂକ୍ଷେପରେ ସ୍ପେସ୍‌ଏକ୍ସ) ଏହି ଯାତ୍ରା ଆୟୋଜନ କରିଥିଲେ। ଏହି ସ୍ତମ୍ଭରେ ଆମେ ଆଗରୁ ଆଲୋଚନା କରିଛୁ ଯେ, ଆମେରିକାରେ ଅସ୍ତ୍ରଶସ୍ତ୍ର ନିର୍ମାଣର ଏକ ବିଶାଳକାୟ ଶିଳ୍ପ ସମୂହ ଅଛି। ଏସବୁ ତଥା ଯୁଦ୍ଧାସ୍ତ୍ର ଜନିତ ଗବେଷଣା ମୁଖ୍ୟତଃ ଘରୋଇ ସଂସ୍ଥା ଦ୍ବାରା ପରିଚାଳିତ। ସରକାର ଖରିଦ୍‌ କରନ୍ତି ଏବଂ ରପ୍ତାନି ନିୟନ୍ତ୍ରିତ କରନ୍ତି। ବର୍ତ୍ତମାନ ମହାକାଶଯାତ୍ରା ଇତ୍ୟାଦିରେ ମଧ୍ୟ ଘରୋଇ ସଂସ୍ଥାମାନେ ପ୍ରମୁଖ ଭୂମିକା ପାଳନ କରୁଛନ୍ତି। କିଛି ବଡ଼ ସଂସ୍ଥା ହେଲେ ଲକ୍‌ହିଡ୍‌ ମାର୍ଟିନ, ବୋଇଙ୍ଗ୍‌, ଜେନେରାଲ ଡାଇନାମିକ୍ସ ଇତ୍ୟାଦି। ସ୍ପେସ୍‌ ଏକ୍ସ ୨୦୦୨ ମସିହାରେ ତିଆରି ହେଲା। ବର୍ତ୍ତମାନ ସ୍ପେସ୍‌ ଏକ୍ସ ମହାକାଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର। ସ୍ପେସ ଏକ୍ସ ନାସା ଓ ଆମେରିକୀୟ ସୁରକ୍ଷା ସଂସ୍ଥାମାନଙ୍କ ସହ ଘନିଷ୍ଠ ସମ୍ପର୍କ ବଜାୟ ରଖିଛି। ମସ୍କ ଟ୍ରମ୍ପ୍‌ଙ୍କ ନିକଟତମ ବ୍ୟକ୍ତି ମଧ୍ୟରୁ ଅନ୍ୟତମ। ଆଜିକା ଦିନରେ ମସ୍କ ପୃଥିବୀର ସବୁଠୁ ଧନୀ ବ୍ୟକ୍ତି।
ମହାକାଶ ଯାତ୍ରା ଆଜିକାଲି ଏକ ବଡ଼ ବ୍ୟବସାୟରେ ପରିଣତ ହୋଇଛି। ଅନେକ ବୟସ୍କ ବ୍ୟକ୍ତି ମହାକାଶ ଯାତ୍ରା କରୁଛନ୍ତି। ମେରୀ ୱାଲେସ୍‌ ଫଙ୍କ୍‌ ନାମକ ଆମେରିକୀୟ ମହିଳା ୨୦୨୧ ମସିହାରେ ୮୨ ବର୍ଷ ବୟସରେ ମହାକାଶ ଯାତ୍ରା କରିଥିଲେ। ତା’ ପୂର୍ବରୁ ଜନ୍‌ ଗ୍ଲେନ୍‌ ୭୭ ବର୍ଷ ବୟସରେ ମହାକାଶ ଯାତ୍ରା କରିଥିଲେ। ତେବେ, ସବୁଠୁ ବୟସ୍କ ବ୍ୟକ୍ତି ହେଲେ କାନାଡ଼ାର ୱିଲିୟମ ଶାଟ୍‌ନର୍‌। ସେ ନବେ ବର୍ଷ ବୟସରେ ୨୦୨୧ ମସିହାରେ ମହାକାଶ ଭ୍ରମଣ କରିଥିଲେ। ଆମେରିକାର ମହାକାଶ ବ୍ୟବସାୟର ମୂଲ୍ୟ ଥିଲା ୧୩୧.୮ ବିଲିୟନ ଆମେରିକାନ ଡଲାର (୨୦୨୨)। ୨୦୩୫ ମସିହା ବେଳକୁ ଏହା ୧.୮ ଟ୍ରିଲିୟନ ଆମେରିକାନ ଡଲାର ହୋଇଯିବ ଧରାଯାଏ। ଏଥିରେ ଘରୋଇ ସଂସ୍ଥାମାନଙ୍କ କ୍ରମବର୍ଦ୍ଧିଷ୍ଣୁ ଭୂମିକା ରହିବ। ଏହା ଆମେରିକାର ଅର୍ଥନୀତି ଏବଂ କର୍ମନିଯୁକ୍ତି ବୃଦ୍ଧିରେ ସହାୟକ ହେବ। ଜଣେ ବ୍ୟକ୍ତି ଲଗାତାର ସବୁଠୁ ଅଧିକ ସମୟ ମହାକାଶରେ ରହିଥିବା ରେକର୍ଡ ହେଲା ରୁଷୀୟ ମାହାକାଶଚାରୀ ଭାଲେରୀ ପୋଲିଆକଭ୍‌। ସେ ୧୯୯୪-୯୫ ଅବଧିରେ ମୋଟ ୪୩୭ ଦିନ ମିର୍‌ ମହାକାଶ ଷ୍ଟେସନରେ ଅବସ୍ଥାନ କରିଥିଲେ। ସୁନିତାଙ୍କ କ୍ଷେତ୍ରରେ ଯୋଜନା ସାତଦିନ ପାଇଁ ଥିଲା। ଏଣୁ ପ୍ରସ୍ତୁତି ସେହିଭଳି ହୋଇଥିବ। ତାଙ୍କୁ ଅପ୍ରତ୍ୟାଶିତ ଭାବେ ଅଧିକ ସମୟ ରହିବାକୁ ପଡ଼ିଲା। ମଝିରେ ତାଙ୍କୁ ଆଣିବାର ପ୍ରୟାସ ବିଫଳ ହେଲା। ଏଣୁ ପୃଥିବୀ ସାରା ଉତ୍କଣ୍ଠା ଥିଲା।
ମହାକାଶ ଗବେଷଣା ଓ ଅଭିଯାନ ମନୁଷ୍ୟର ଜ୍ଞାନର ପରିଧିକୁ ବିସ୍ତାରିତ କରୁଛି। ବ୍ରହ୍ମାଣ୍ଡ ବିଷୟରେ ଅଧିକ ଜାଣିହେଉଛି। କୃତ୍ରିମ ଉପଗ୍ରହ ମାଧ୍ୟମରେ ପୃଥିବୀର ପାଣିପାଗର ଠିକ୍‌ ଭବିଷ୍ୟତବାଣୀ କରି ହେଉଛି। ପାଣିପାଗ ଆକଳନ କହିଲେ ଆଉ ଜଣେ ମହିଳା ବୈଜ୍ଞାନିକଙ୍କ କଥା ମନେ ପଡ଼େ। ଆନ୍ନା ମଣି (୧୯୧୮-୨୦୦୧) କେରଳ ରାଜ୍ୟରୁ ଆସିଥିବା ଜଣେ ଜଣେ ବୈଜ୍ଞାନିକ (ପଦାର୍ଥବିଦ୍ୟା) ଏବଂ ପାଣିପାଗ ବିଶେଷଜ୍ଞ। ସେ ଭାରତୀୟ ପାଣିପାଗ ବିଭାଗର ଉପମହା ନିର୍ଦେଶକ ଭାବେ ସେବା ନିବୃତ୍ତ ହୋଇଥିଲେ (୧୯୭୬)। ସେ ପାଣିପାଗ ବିଷୟରେ ଜାଣିବାପାଇଁ ବିଭିନ୍ନ ଯନ୍ତ୍ରପାତି ତିଆରି କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ତେଣେ, ମହାକାଶ ଯାତ୍ରା ସବୁ ଯୋଜନା ସତ୍ତ୍ବେ ଏକ ବିପଦସଙ୍କୁଳ ପଦକ୍ଷେପ। କଳ୍ପନା ଚାଓଲାଙ୍କ କଥା ମନେ କରନ୍ତୁ। ୨୦୦୩ ମସିହାର କଥା। ସ୍ପେସ୍‌ ସଟଲ କଲମ୍ବିୟା ସାତଜଣ ମହାକାଶଚାରୀଙ୍କ ସହିତ ମହାକାଶରୁ ପୃଥିବୀକୁ ଫେରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ଏବଂ ସମସ୍ତେ ପ୍ରାଣ ହରାଇଲେ। ଚାୱଲା ଆଗରୁ ବି ମହାକାଶଯାତ୍ରା କରିଥିଲେ (୧୯୯୭)। ଅର୍ଥାତ୍‌ ଅଭିଜ୍ଞତା ଏବଂ ଟିକିନିଖି ଯୋଜନା ସ​‌େ​‌ତ୍ତ୍ବ ବିପଦର ଆଶଙ୍କା ଥାଏ। ସୁନିତାଙ୍କ କ୍ଷେତ୍ରରେ ଉତ୍କଣ୍ଠାର ଏହା ଆଉ ଏକ କାରଣ ଥିଲା।
ଜିଜ୍ଞାସା, ଅଧ୍ୟୟନ, ଅନୁସନ୍ଧାନ ଏବଂ ସମାଲୋଚନାମୂଳକ ଚିନ୍ତା (କ୍ରିଟିକାଲ ଥିଙ୍କିଙ୍ଗ୍‌) ପ୍ରଗତି ପଥେ ମଣିଷର ସାଥୀ। ଅର୍ଥାତ୍‌ ବିଜ୍ଞାନ ଓ ଗବେଷଣା। ଏଥିପାଇଁ ପୁଞ୍ଜି ନିବେଶ ଆବଶ୍ୟକ। ବ୍ୟକ୍ତି ଏବଂ ସାମୂହିକ ସ୍ତରରେ ଏଥିପାଇଁ ଏକ ପ୍ରକାରର ମାନସିକତା ଆବଶ୍ୟକ। ନେହେରୁ ଏହାକୁ ‘ବୈଜ୍ଞାନିକ ମନୋଭାବ’(ସାଇଣ୍ଟିଫିକ୍‌ ଟେମ୍ପର) କହୁଥିଲେ। ନେହେରୁ ତାଙ୍କ କାଳଜୟୀ ବହି ‘ଡିସ୍‌କଭରୀ ଅଫ୍‌ ଇଣ୍ଡିଆ’ରେ ‘ରିଲିଜିୟନ’, ଫିଲୋସଫି, ଆଣ୍ଡ ସାଇନ୍ସ’ (ଧର୍ମ, ଦର୍ଶନ ଓ ବିଜ୍ଞାନ) ଶୀର୍ଷକ ଅଧୀନରେ ଏ ବିଷୟରେ ଅତ୍ୟନ୍ତ ଜ୍ଞାନଦୀପ୍ତ ଆଲୋଚନା କରିଛନ୍ତି। (ପୃ୫୦୯-୫୧୫)। ଭାରତର ସମ୍ବିଧାନରେ ‘ମୌଳିକ ଦାୟିତ୍ବ’ ପାଇଁ ଧାରା ୫୧-ଏ (ଏଚ)ରେ ନାଗରିକଙ୍କୁ ବୈଜ୍ଞାନିକ ମନୋଭାବ, ଜିଜ୍ଞାସା (ସ୍ପିରିଟ୍‌ ଅଫ୍‌ ଇନକ୍ବାୟାରୀ), ସଂସ୍କାର ଆଦି ପାଇଁ ପ୍ରୟାସ କରିବାକୁ କୁହାହୋଇଛି।
ଉପସଂହାରକୁ ଆସିବା। ମଣିଷ ଏକ ପରିବର୍ତ୍ତନଶୀଳ ଦୁନିଆରେ ବାସକରେ। ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ କ୍ଷେତ୍ରରେ କ୍ଷିପ୍ରଗତିରେ ପ୍ରଗତି ହେଉଛି। ପ୍ରାୟ ସମସ୍ତଙ୍କ ହାତରେ ଗୋଟିଏ ମୋବାଇଲ ଫୋନ୍‌। ମହାକାଶ, ଚିକିତ୍ସା, ଅଣୁବିଜ୍ଞାନ ଆଦି କ୍ଷେତ୍ରରେ ଅଭୂତପୂର୍ବ ଗବେଷଣା ଓ ଉପଲବ୍ଧି ହାସଲ ହେଉଛି। ନିକଟରେ କୋଭିଡ୍‌ ମହାମାରୀର ମୁକାବିଲା ପାଇଁ ବିଜ୍ଞାନର ଭୂମିକା ଆମେ ଲକ୍ଷ୍ୟ କଲୁ। ବିଜ୍ଞାନର ପ୍ରୟୋଗ ସମୟରେ ବିପଦର ସମ୍ଭାବନା ଥାଏ। କଳ୍ପନା ଚାଓଲା ଏକ ଜ୍ବଳନ୍ତ ଉଦାହରଣ। ଓଲଟା ଉଦାହରଣ ହେଲା ସୁନିତାଙ୍କ। ତାଙ୍କୁ ସଫଳତାର ସହିତ ଧରାପୃଷ୍ଠକୁ ଫେରାଇ ଅଣାଗଲା। ମହାକାଶ ଗବେଷଣା ଆନ୍ତର୍ଜାତିକ ସହଯୋଗର ଏକ ଅନନ୍ୟ ଉଦାହରଣ। ସବୁ ବିରୋଧ ସତ୍ତ୍ବେ ‘ମହାକାଶ ଷ୍ଟେସନ୍‌’ ପରିଚାଳନାରେ ରୁଷିଆ ଓ ଆମେରିକା ପରସ୍ପରକୁ ସହଯୋଗ କରନ୍ତି। କାହିଁକି ନା ବିଜ୍ଞାନ ବ୍ୟକ୍ତି ସ୍ତରରେ ମଣିଷ ପାଇଁ, ସମାଜ ପାଇଁ, ଦେଶ ପାଇଁ ଏବଂ ଶେଷକୁ ମାନବ କଲ୍ୟାଣ ପାଇଁ। ଯୁଦ୍ଧାସ୍ତ୍ର ପାଇଁ ବିଜ୍ଞାନ ଶତ୍ରୁତା ବଢ଼ାଏ। ମହାକାଶ ଗବେଷଣା ସମନ୍ବୟ ଓ ସୌହାର୍ଦ୍ୟ ସୃଷ୍ଟି କରେ। ଦେଶର ଉନ୍ନତି ଏବଂ ମାନବସମାଜ ପାଇଁ ବିଜ୍ଞାନ ଓ ବୈଜ୍ଞାନିକ ମନୋଭାବର ବିକଳ୍ପ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories