ସୁବର୍ଣ୍ଣର ଚାହିଦା

କଟକ: ଇତିହାସକୁ ଯଦି ଅବଲୋକନ କରିବା ତେବେ ଆମକୁ ଖ୍ରୀଷ୍ଟ ପୂର୍ବ ୪୦୦୦ ବର୍ଷ ତଳକୁ ଯିବାକୁ ପଡ଼ିବ, ପ୍ରତ୍ନତାତ୍ତ୍ବିକ ପ୍ରମାଣ ଅନୁଯାୟୀ ପ୍ରାଚୀନ ମେସୋପଟାମିଆ ଯାହାକି ବର୍ତ୍ତମାନ ଇରାକ ରୂପେ ନାମିତ ହୋଇଅଛି ସେହିଠାରେ ସ୍ୱର୍ଣ୍ଣ ଏବଂ ସ୍ବର୍ଣ୍ଣ କଳାକୃତିର ଆରମ୍ଭ ହୋଇଛି ବୋଲି କୁହା ଯାଇପାରେ। ଖ୍ରୀଷ୍ଟ ପୂର୍ବ ୨୫୦୦ ସମୟରେ ସୁମେରୀୟମାନେ ଲୁଇସ ବକ୍ସ ବ୍ୟବହାର ସହିତ ଆଲୁଭିଆଲ୍ ଜମା ( ତୈଳ, ପଙ୍କ ତଥା ଅନ୍ୟାନ୍ୟ ପଦାର୍ଥ ଯାହାକି ପ୍ରବାହିତ ଜଳ ଦ୍ୱାରା ଏକତ୍ରିତ ହୋଇଥାଏ ) ଏବଂ ଭୂତଳ ଖଣିରୁ ସୁନା ବାହାର କରିବା ପାଇଁ କୌଶଳ ପ୍ରସ୍ତୁତ କରିଥିଲେ। ଖ୍ରୀଷ୍ଟ ପୂର୍ବ ୨୫୦୦ ମସିହାରେ ପ୍ରଥମ ଇଜିପ୍ଟ ରାଜବଂଶର ଜଣେ ରାଜାଙ୍କ ସମାଧିରେ ସୁନା ଅଳଙ୍କାର ମିଳିଥିଲା । ମିଶରୀୟମାନେ ଅଳଙ୍କାର, ଧାର୍ମିକ ବସ୍ତୁ ଏବଂ ମୁଦ୍ରା ପାଇଁ ସୁନା ବ୍ୟବହାର କରୁଥିଲେ। ସୁନା ପାଇଁ ଇଜିପ୍ଟର ସବୁଠାରୁ ଧନୀ ଅଞ୍ଚଳ ଥିଲା ନୁବିଆ, ଯେଉଁଠାରେ ବିଶ୍ୱର ପ୍ରଥମ ସକ୍ରିୟ ସୁନା ଖଣି ନିର୍ମାଣ ହୋଇଥିବା ଜଣାପଡ଼ିଛି। ପୃଥିବୀରେ ଏହି ସୁନା ପାଇଁ ଅନେକ ଯୁଦ୍ଧ ହୋଇଛି, ଲୁଟ୍ ହୋଇଛି ତଥାପି ସୁନାର ଆକର୍ଷଣ ରହିଥିଲା, ରହିଛି ଏବଂ ଆଗକୁ ମଧ୍ୟ ରହିବ। ଦର ଯେତେ ବଢ଼ିଲେ ମଧ୍ୟ ଗ୍ରାହକ ସୁନା କିଣିବେ ଏବଂ ଭବିଷ୍ୟତ ନିମନ୍ତେ ଗଚ୍ଛିତ ରଖିବେ। ବର୍ତ୍ତମାନ ସୁନାର ଚାହିଦା, ସୁନାର ଚୋରା କାରବାର ତଥା ସୁନା ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପକୁ କିପରି ପ୍ରୋତ୍ସାହନ ମିଳୁଛି ତାହା ଉପରେ କିଛି ଆଲୋକପାତ କରିବା।
ନିକଟ ଅତୀତରେ କନ୍ନଡ଼ ଅଭିନେତ୍ରୀ ରାନିଆ ରାଓ ବେଙ୍ଗାଳୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ୧୪.୨ କିଲୋଗ୍ରାମ ଅଘୋଷିତ ଚୋରା ସୁନା ଦୁବାଇରୁ ଆଣିବା ସମୟରେ ଧରା ହୋଇ ଗିରଫ ହେଲେ ଯାହାର ମୂଲ୍ୟ ପ୍ରାୟ ୧୨. ୫୬ କୋଟି ଟଙ୍କା ହେବ। ତାଙ୍କ ବାପା କର୍ଣ୍ଣାଟକ ରାଜ୍ୟ ପୁଲିସର ସର୍ବୋଚ୍ଚ କର୍ତ୍ତା ଏବଂ ଝିଅ ରାନିଆ ରାଓ ଏକ ଅଭ୍ୟାସଗତ ଚୋରା ସୁନା ବାହକ ବା ଏଜେଣ୍ଟ, ବାପାଙ୍କ କ୍ଷମତାର ଅପବ୍ୟବହାର କରି ଝିଅ ଅଳ୍ପ ଦିନ ମଧ୍ୟରେ କୋଟି କୋଟି ଟଙ୍କାର ମାଲିକାଣୀ ହୋଇ ପାରିଛନ୍ତି ହୁଏତ ତାଙ୍କ ସ୍ୱାମୀ ମଧ୍ୟ ଉକ୍ତ କାର୍ଯ୍ୟରେ ତାଙ୍କୁ ସହଯୋଗ କରି ଆସିଛନ୍ତି। କେବଳ ଏହି ମହିଳା ଜଣକ ନୁହନ୍ତି, ଏହିପରି ଅନେକ ଅଭ୍ୟାସଗତ ବ୍ୟକ୍ତି ବିଶେଷ ଏହିପରି କୁତ୍ସିତ କାର୍ଯ୍ୟରେ ଲିପ୍ତ, କିଛି ସରକାରୀ ବାବୁ, ଏଆର୍ ହୋଷ୍ଟେସ୍, ବିମାନ ବନ୍ଦର କର୍ମଚାରୀ, ଚୋରା ବେପାରୀମାନଙ୍କ ଏଜେଣ୍ଟ, ସାଜିଛନ୍ତି। କେହି ମଳଦ୍ୱାର/ ଯୌନାଙ୍ଗ ଭିତରେ ତ କେହି ଜୋତା ଚପଲ, ଖେଳନା, ଆଶାବାଡ଼ି, ଚୁଟି, ପ୍ରସାଧନ ସାମଗ୍ରୀ ଭିତରେ ତ କେହି ଅନ୍ତଃବସ୍ତ୍ର ଭିତରେ ତ କେହି ତରଳ ପ୍ରଲେପ ଦ୍ୱାରା ନିଜ ବସ୍ତ୍ର ମଧ୍ୟରେ ଆଣି ଥାନ୍ତି। କେବଳ ବିମାନ ଦ୍ୱାରା ଏହି ଚୋରା କାରବାର ହୁଏ ନାହିଁ ଏଥି ପାଇଁ ଜଳପଥ, ସ୍ଥଳ ପଥ ତଥା ପଶୁ ପକ୍ଷୀ ମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରା ହୁଏ। ପ୍ରତି ବର୍ଷ ଟନ୍ ଟନ୍ ଚୋରା ସୁନା ଜବତ ହୁଏ, ଦୋଷୀ କେତେ ଦଣ୍ଡ ପାଆନ୍ତି କେତେ େଜାରିମାନା ଦେଇ ଖଲାସ ହୁଅନ୍ତି ତାହା ନ୍ୟାସନାଲ କ୍ରାଇମ ରେକର୍ଡରୁ ହିଁ ବୁଝା ପଡେ। ଚୋରା ସୁନା ଦ୍ୱାରା ଭାରତୀୟ ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହୋଇ ଯାଉଛି ବୋଲି ଅନେକ ଗୁଣୀ ଜ୍ଞାନୀ ବ୍ୟକ୍ତିଙ୍କ ମତ, ଭାରତରେ ୮୭, ୫୦୦ କୋଟି ଟଙ୍କାର ଚୋରା ସୁନା କାରବାର କିଛି ଛୋଟ କଥା ନୁହେଁ।
ତେବେ ଚୋରା ସୁନା ଦେଶ ଭିତରକୁ ଏତେ ମାତ୍ରାରେ କାହିଁକି ଆସୁଛି ? ଏହା ଦ୍ୱାରା ଚୋରା ବେପାରୀ କେତେ ଲାଭବାନ ହେଉଛନ୍ତି? ଏହା ପଛରେ କେବଳ ଆମଦାନୀ ଶୁଳ୍କ ଠକିବାର ପ୍ରୟାସ ହେଉଛି ନା ଅନ୍ୟ କିଛି ? କଳେ ବଳେ କୌଶଳେ ସରକାରଙ୍କୁ ଶୁଳ୍କ ନଦେଇ ଚୋରା ସୁନା ଆଣି ପାରିଲେ ବ୍ୟବସାୟୀ ଲାଭବାନ ହୋଇ ପାରୁଛି, ତେବେ ପୂର୍ବରୁ ଏହି ଶୁଳ୍କ ୧୫% ଥିବାବେଳେ ବର୍ତ୍ତମାନ ସରକାର ଚୋରା କାରବାର ଉପରେ ଅଙ୍କୁଶ ଲଗାଇବାକୁ ଯାଇ ସୁନା ଉପରୁ ଆମଦାନୀ ଶୁଳ୍କ ଜୁଲାଇ ୨୦୨୪ ମସିହା ଠାରୁ ହ୍ରାସ କରି ୬% କରି ଦେଇଛନ୍ତି। ଏହା ଦ୍ୱାରା କିଛି ପରିମାଣରେ ଚୋରା ସୁନା କାରବାର କମାଇ ଦିଆ ଯାଇଛି; କିନ୍ତୁ ଚୋର ସର୍ବଦା ଚୋରି କରିବ ହିଁ କରିବ, ୬% ଆମଦାନୀ ଶୁଳ୍କ ମାନେ ପ୍ରତି କିଲୋଗ୍ରାମ ସୁନା ଦର ଯଦି ୯୦ ଲକ୍ଷ (୧୯ ମାର୍ଚ୍ଚ ୨୦୨୫ ସୁନା ଦର ଅନୁପାତରେ ) ତେବେ ତାହାର ୬% ହେଉଛି ୫ ଲକ୍ଷ ୪୦ ହଜାର ଟଙ୍କା। ଏଠାରେ ଯଦି କନ୍ନଡ଼ ଅଭିନେତ୍ରୀଙ୍କ କଥା ଦେଖିବା ତେବେ ସେ ସାଥିରେ ଆଣିଥିବା ୧୪ .୨ କିଲୋଗ୍ରାମ ସୁନାର ମୂଲ୍ୟ ପ୍ରାୟ ୧୨.୫୬ କୋଟି ଏବଂ ଏହାର ୬% ପ୍ରତିଶତ ହେଉଛି ୭୫.୩୬ ଲକ୍ଷ ଟଙ୍କା ସେଥିରୁ ତାଙ୍କ ପାରିଶ୍ରମିକ କିଲୋ ପ୍ରତି ୧ ଲକ୍ଷ ପାଉଛନ୍ତି, ଯଦି ସେ ଧରା ପଡ଼ି ନଥାନ୍ତେ ତେବେ ସେ ୧୪. ୨୦ ଲକ୍ଷ ଟଙ୍କା ପାଇ ଥା’ନ୍ତେ। କନ୍ନଡ଼ ଅଭିନେତ୍ରୀ ବର୍ଷକ ମଧ୍ୟରେ ୩୦ ଥର ଦୁବାଇ ଯାଇଥିଲେ ଏହା ବହିଃ ଶୁଳ୍କ ବିଭାଗକୁ ଚମକାଇ ଦେଇଥିଲା ଏବଂ ସେ ସନ୍ଦେହ ଘେରରେ ଥିଲେ, ଶେଷରେ ସବୁ ଚାଲାକିର ଅନ୍ତ ଘଟିଲା। ଏହା କିପରି ସମ୍ଭବ ହେଉଛି? ଦୁବାଇ ପରି ବିମାନ ବନ୍ଦରରେ ଏତେ କଠୋର ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥାକୁ ଏଡାଇ ଯାଇ ବିମାନରେ ସୁନା ଆସୁଛି ତାହା ପୁଣି ଖୁବ୍ ଚତୁରତାର ସହିତ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁଛି। ୧. ସିଧା ସଳଖ ଦୁବାଇରୁ ଭାରତ ନ ଆସି ଦୁବାଇରୁ ନାଇରବି (କେନିଆ ) ପୁଣି କେନିଆ ରୁ ଭାରତ ଆସିଲେ ହୁଏତ କେହି ସନ୍ଦେହ କରିବେନି ୨. ଯଦି ସୁନା ଭାରତ ନ ଆସି ନେପାଳର କାଠମାଣ୍ଡୁ ଆସୁଛି ତେବେ ତାହା ଖୁବ୍ ସହଜରେ ବିନା ବାଧାରେ ଭାରତରେ ପ୍ରବେଶ କରୁଛି ୩. ବାଂଲାଦେଶ ସୀମା ବାଟେ ଭାରତରୁ ଗୋଚାଲାଣ ହୁଏ ଏବଂ ସୁନା ଭାରତକୁ ଏଜେଣ୍ଟ ଦ୍ୱାରା ଆସୁଛି ୪. ଶ୍ରୀଲଙ୍କା ଦେଶରୁ ସମୁଦ୍ର ମଧ୍ୟ ଦେଇ ମାଛ ଧରା ନୌକା ସାହାଯ୍ୟରେ ତାମିଲନାଡୁ ଉପକୂଳ ଦେଇ କୋଟି କୋଟି ଟଙ୍କାର ସୁନା ଚୋରାରେ ପ୍ରବେଶ କରୁଛି ୫. କିଛି ସ୍ଥାନରେ ପଶୁ ମାନଙ୍କ ଦ୍ୱାରା ମଧ୍ୟ ଏହି କାର୍ଯ୍ୟ ସମ୍ପାଦନ ହେଉଛି, ୬. ପାକିସ୍ତାନ ମଧ୍ୟ ଆତଙ୍କବାଦୀଙ୍କ ଜରିଆରେ ଭାରତରେ ଚୋରା ସୁନା କାରବାର କରୁଛି। ଏହି ପ୍ରକାର କାର୍ଯ୍ୟ କଳାପ ରୋକିବା ଯଦିଓ ସମ୍ପୂର୍ଣ୍ଣ ସମ୍ଭବ ନୁହେଁ ତଥାପି ନିଷ୍ଠାର ସହିତ ସଂପୃକ୍ତ ବିଭାଗଗୁଡିକ ଯଦି କାର୍ଯ୍ୟ କରିବେ ତେବେ ନିଶ୍ଚିତ ସୁଫଳ ମିଳି ପାରିବ।
ଚୋରା ସୁନା ଆମଦାନୀ ଦ୍ୱାରା ଭାରତ ଉପରେ ପଡୁଥିବା ଅର୍ଥନୈତିକ ଚାପ ବଢି ବଢି ଯାଉଛି, ୨୦୨୩ -୨୪ ମସିହାର ସେଣ୍ଟ୍ରାଲ ବୋର୍ଡ ଅଫ ଇନ୍ ଡାଇରେକ୍ଟ ଟାକ୍ସ ଆଣ୍ଡ କଷ୍ଟମ୍ ଏବଂ ଡାଇରେକ୍ଟୋରିଏଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ ବିଭାଗର ରିପୋର୍ଟକୁ ମିଶାଇଲେ ଜଣାପଡେ ଯେ ଭାରତରେ ଆନୁମାନିକ ୧୫୦ ରୁ ୨୦୦ ଟନ୍ ସୁନା ବିନା ଟିକସରେ ପ୍ରବେଶ କରୁଛି ଏବଂ ସେଥିରୁ ମାତ୍ର ୫% ଧରା ହେଉଛି, ୯୫% ଗଳା ବାଟ ଦେଇ ଖସି ଯାଉଛି। ଅନୁମାନ କରନ୍ତୁ ତ? ଦେଶର କେତେ କ୍ଷତି ହେଉଛି ଏବଂ ଚୋରା ବେପାରୀମାନେ କେତେ ଲାଭ ପାଉଛନ୍ତି ? ଦେଶ ପ୍ରାୟ ୯୦୦୦ କୋଟି ଟଙ୍କାର ରାଜସ୍ବ ହରାଉଛି। ତାହା ଛଡା ଏହି କଳା ଟଙ୍କା ଭାରତରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ଉପଯୋଗ ହେଉଛି, ନକ୍ସଲ, ଆତଙ୍କବାଦୀଙ୍କ ପାଖକୁ ଏହି ଟଙ୍କା ଚାଲି ଯାଉଛି ତଥା ଅନେକ ବଡ଼ ବଡ଼ିଆ କଳା ଟଙ୍କାକୁ ନେଇ ସୁଇସ୍ ବ୍ୟାଙ୍କରେ ଜମା ରଖୁଛନ୍ତି। ଭାରତୀୟ ଟଙ୍କାର ମୂଲ୍ୟ ଧୀରେ ଧୀରେ କମି ଯାଉଛି ବର୍ତ୍ତମାନ ଏକ ଆମେରିକୀୟ ଡଲାର ପ୍ରାୟ ୮୭ ଟଙ୍କା, କୁହନ୍ତୁ ତ ଏଥିପାଇଁ କିଏ ଦାୟୀ? ଆମେ ନା ସରକାର ନା ଚୋରା ବେପାରୀ? ଭାରତୀୟମାନେ ଯେତେ ସୁନା କିଣନ୍ତି ତାହା ପୃଥିବୀରେ ଅନ୍ୟ ଦେଶମାନଙ୍କଠାରୁ ସର୍ବାଧିକ, ଏତେ ସୁନା ଗଚ୍ଛିତ ଥାଇ ମଧ୍ୟ ସରକାର ମୁଦ୍ରା ମୂଲ୍ୟକୁ ନିମ୍ନଗାମୀ ହେବାରୁ ବଞ୍ଚିତ କରି ପାରୁ ନାହାନ୍ତି। ଅନେକ କୁଖ୍ୟାତ ଦାଗୀ, ଦେଶ ଦ୍ରୋହୀ, ଆତଙ୍କବାଦୀ ଅସାଧୁ ସରକାରୀ ଅଧିକାରୀ, ମନ୍ତ୍ରୀ ଯନ୍ତ୍ରୀ ମାନେ ମଧ୍ୟ ଏହି କାରବାର ସହିତ ଜଡିତ ଅଛନ୍ତି।ଏମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦ୍ୱାରା ହିଁ ଭାରତର ଜିଡିପି ବଢିବ ତଥା ଆମେରିକୀୟ ଡଲାର ସହିତ କିଛି ମାତ୍ରାରେ ସମକକ୍ଷ ହୋଇ ପାରିବ ବୋଲି ଆଶା କରାଯାଏ। ଜୟ ହିନ୍ଦ୍।
Comments are closed.