ରହଣି ଓଡ଼ିଶା, ଠିକଣା ଆନ୍ଧ୍ର ଡାକଘର

ପାତ୍ରପୁର : ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ୮୯ ବର୍ଷ ବିତିଯାଇଥିବାବେଳେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପାର୍ଶ୍ବରେ ଥିବା ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର କେତେକ ଗ୍ରାମରେ ସ୍ଥିତି ଯଥା ପୂର୍ବ ତଥା ପରଂ ରହିଛି। ଏବେ ବି ଓଡ଼ିଶାରେ ରହୁଥିବା ଅଧିବାସୀମାନଙ୍କୁ ଆନ୍ଧ୍ର ଡାକଘର ଠିକଣାରେ ଚିଠିପତ୍ର ମିଳୁଛି। ବର୍ଷ ବର୍ଷ ଧରି ଏଭଳି ସ୍ଥିତି ଲାଗି ରହିଥିଲେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇପାରୁ ନାହିଁ।
ଆନ୍ଧ୍ର ସୀମାନ୍ତରେ ପାତ୍ରପୁର ବ୍ଳକ ବ୍ରାହ୍ମଣ ନୂଆଗାଁ ପଞ୍ଚାୟତର ଶବରଦେଇପେଟା ଏବଂ ଗୁଡିପଦର୍ ପଞ୍ଚାୟତର ବଳରାମପୁର ଏବଂ ସି.ବଳରାମପୁର ରହିଛି। ଏହି ୩ ଗ୍ରାମର ଲୋକଙ୍କୁ ଆନ୍ଧ୍ର ଡାକଘର(ପୋଷ୍ଟ ଅଫିସ)ଠିକଣାରେ ଡାକ ମିଳୁଛି। ପୂର୍ବରୁ ଓଡ଼ିଶାରୁ ଡାକ ସେବା ପାଉଥିବା ଆନ୍ଧ୍ରର ୫ ଗ୍ରାମର ଲୋକଙ୍କ ଡାକ ସେବାକୁ ଲୋକଙ୍କ ଦାବି ପରେ ନିଜ ରାଜ୍ୟ(ଆନ୍ଧ୍ର)କୁ ପରିବର୍ତ୍ତନ ହୋଇଛି। କିନ୍ତୁ ଓଡ଼ିଶାର ୩ ଗ୍ରାମର ଠିକଣା ଡାକଘର ଏବେ ବି ଆନ୍ଧ୍ରପ୍ରଦେଶ ରହିଛି। ବି ନୂଆଗାଁ ଓ ଗୁଡିପଦର ପଞ୍ଚାୟତରେ ପୋଷ୍ଟ ଅଫିସ ରହିଥିବା ବେଳେ ବି.ନୂଆଗାଁ ପଞ୍ଚାୟତର ସବରଦେଇପେଟା, ଗୁଡିପଦର ପଞ୍ଚାୟତର ଏସ.ବଳରାମ ପୁର ଏବଂ ବଳରାମପୁର ଗ୍ରାମର ଲୋକମାନଙ୍କ ବାରମ୍ବାର ଦାବି ସତ୍ତ୍ବେ ପୋଷ୍ଟ ଠିକଣା ଓଡ଼ିଶାକୁ ପରିବର୍ତ୍ତନ ନ ହୋଇ ଆନ୍ଧ୍ର ଠିକଣାରେ ଡାକ(ଚିଠି) ମିଳୁଛି। ବି ନୂଆଗାଁ ପଞ୍ଚାୟତ ଶବରଦେଇ ପେଟା ଗ୍ରାମର ଲୋକମାନେ ଆନ୍ଧ୍ରର ଲୋଧାପୁଟି ଗ୍ରାମ ପୋଷ୍ଟ ଅଫିସ(ଡାକ ଘର)ରୁ ଡାକସେବା ପାଉଥିବା ବେଳେ ଗୁଡିପଦର ପଞ୍ଚାୟତ ବଳରାମପୁର ଏବଂ ଏସ. ବଳରାମପୁର ଗ୍ରାମର ଲୋକମାନେ ଆନ୍ଧ୍ରର ଧରମପୁର ଡାକଘରୁ ଡାକସେବା ପାଉଛନ୍ତି। ଓଡ଼ିଶାର ଏହି ତିନୋଟି ଗ୍ରାମର ବହୁ ଲୋକ ବିଦେଶ ଏବଂ ରାଜ୍ୟ ବାହାରେ ରହୁଥିବା ବେଳେ ଏଭଳି ସ୍ଥିତି ଯୋଗୁଁ ଗାଁରେ ଡାକ ମିଳିବାରେ ବିଳମ୍ବ ହେଉଛି। ସୀମାନ୍ତର କେତେକ ଗ୍ରାମରେ ଉଭୟ ଓଡ଼ିଶା ଓ ଆନ୍ଧ୍ରର ଲୋକମାନେ ବସବାସ କରୁଛନ୍ତି। ବୁରାତାଲ ପଞ୍ଚାୟତର ଗୁଡିଖଳା, ତୁମ୍ବା ପଞ୍ଚାୟତର କୁଲାଡି ଏବଂ ସାତପୁରୀ ଗ୍ରାମର ଲୋକଙ୍କୁ ଆନ୍ଧ୍ର ଏବଂ ଓଡ଼ିଶା ପୋଷ୍ଟ ଠିକଣାରେ ଚିଠିପତ୍ର ମିଳୁଥିବା ବେଳେ ଉଭୟ ରାଜ୍ୟର ପଡ଼ିକାର୍ଡ଼ରେ ବିଭିନ୍ନ ସହାୟତା ମିଳୁଛି। ଏହି ତିନୋଟି ଗ୍ରାମର ଲୋକଙ୍କ ପାଖରେ ଉଭୟ ରାଜ୍ୟର ଆଧାର ଓ ଭୋଟର ପରିଚୟପତ୍ର ରହିଛି। ପାତ୍ରପୁର ବ୍ଳକ ବ୍ରାହ୍ମଣ ନୂଆଗାଁ ପଞ୍ଚାୟତ ଜୟପୁର ମୌଜାରେ ଥିବା ଟି. ବ୍ରହ୍ମପୁର ଗ୍ରାମରେ ଓଡ଼ିଶା ଏବଂ ଆନ୍ଧ୍ରର ଲୋକମାନେ ବସବାସ କରନ୍ତି। ଟି.ବ୍ରହ୍ମପୁର ଗ୍ରାମରେ ଓଡ଼ିଶା ଲୋକଙ୍କ ଜନସଂଖ୍ୟା ତୁଳନାରେ ଆନ୍ଧ୍ରର କମ୍ ଜନସଂଖ୍ୟା ଥିବା ସତ୍ତ୍ବେ ଆନ୍ଧ୍ର ସରକାର ଏହି ଗ୍ରାମରେ ନୂତନ ପଞ୍ଚାୟତ ପ୍ରତିଷ୍ଠା କରିଛନ୍ତି। ଗ୍ରାମର ଦକ୍ଷିଣ ଓ ଉତ୍ତର ସାହିରେ ଓଡ଼ିଶାର ଲୋକମାନେ ବସବାସ କରୁଥିବା ବେଳେ ପୂର୍ବ ଓ ପଶ୍ଚିମ ସାହିରେ ଆନ୍ଧ୍ରର ଲୋକମାନେ ବସବାସ କରୁଛନ୍ତି। ଗ୍ରାମରେ ପିଲାଙ୍କ ପାଠ ପଢ଼ା ପାଇଁ ଉଭୟ ରାଜ୍ୟର ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଗ୍ରାମରେ ଓଡ଼ିଶା ଲୋକଙ୍କ ମଧ୍ୟରୁ ଅଧିକାଂଶ ତେଲୁଗୁ ସମ୍ପ୍ରଦାୟର ହୋଇଥିବା ବେଳେ ପିଲାମାନେ ତେଲୁଗୁ ଶିକ୍ଷା ପାଇଁ ଆନ୍ଧ୍ର ବିଦ୍ୟାଳୟକୁ ଯାଉଛନ୍ତି। ସୀମାନ୍ତ ବହୁ ଗ୍ରାମରେ କିଛି ଲୋକଙ୍କ ପାଖରେ ଉଭୟ ରାଜ୍ୟର ପରିଚୟପତ୍ର ରହିଛି। ଓଡ଼ିଶାରେ ନୂତନ ସରକାର ଆସିବା ପରେ ପଡ଼ିକାର୍ଡ଼ ଯାଞ୍ଚ ବେଳେ ସୀମନ୍ତ ଗ୍ରାମର ପ୍ରାୟ ଦୁଇ ସହ ଲୋକଙ୍କ କାର୍ଡ ଯାଞ୍ଚ କରି କଟା ଯାଇଛି। ଏବେ ବି କିଛି ଲୋକଙ୍କ ପଡ଼ିକାର୍ଡ଼ ଯାଞ୍ଚ ସରିନାହିଁ। ଗୁଡ଼ିପଦର ପଞ୍ଚାୟତର ସମସ୍ତ ଓଡ଼ିଆ ବିଦ୍ୟାଳୟ ବନ୍ଦ ହୋଇଥିବା ବେଳେ ଉକ୍ତ ପଞ୍ଚାୟତ ସହିତ ସୀମାନ୍ତରେ ବସବାସ କରୁଥିବା ତେଲୁଗୁ ପିଲା ତେଲୁଗୁ ଶିକ୍ଷା ପାଇଁ ଆନ୍ଧ୍ରର ବିଭିନ୍ନ ବିଦ୍ୟାଳୟକୁ ଚାଲିଯିବା ପରେ ୧୦ରୁ ଊର୍ଦ୍ଧ୍ବ ବିଦ୍ୟାଳୟରେ ତାଲା ଝୁଲୁଛି। ଓଡ଼ିଆ ଅସ୍ମିତାକୁ ନୂତନ ସରକାର ପ୍ରାଧାନ୍ୟ ଦେଇ କାର୍ୟ୍ୟ ଆରମ୍ଭ କରିଥିବା କହୁଥିବା ବେଳେ ସୀମାନ୍ତ ଗ୍ରାମର ଡାକ ଓ ଶିକ୍ଷା ସମସ୍ୟାର ସମାଧାନ କଲେ ସୀମାନ୍ତ ଲୋକମାନେ ଉପକୃତ ହୋଇ ପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
Comments are closed.