ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର : ବିକାଶର ନକ୍ସାରେ କୃଷି ସର୍ବାଗ୍ରେ ଥାଏ। ସ୍ୱଭାବ କବିଙ୍କ ଭାଷାରେ: ‘‘ବାର ମାସ ଖେତେ ମୋ ଲାଗିଥାଏ କାମ, ମାସେ ପକ୍ଷେ କେବେହେଁ ନ ଥାଏ ବିଶ୍ରାମ।’’ ଏ ଉକ୍ତି ପ୍ରଗତିଶୀଳ ପ୍ରଦେଶରେ କୃଷିର ଭୂମିକାକୁ ସ୍ମରଣ କରାଏ। ତେବେ ଆମ ପ୍ରଦେଶରେ ଚାଷ ଓ ଚାଷୀଙ୍କ କଥାକୁ ଅନୁଧ୍ୟାନ କରି ସେ ଦିଗରେ କାର‌୍ୟ୍ୟ କରିବାର ସ୍ପୃହାକୁ ତୀବ୍ର କରିବାକୁ ପଡ଼ିବ। ଏଥିପାଇଁ ଆମ ଚାଷୀଙ୍କ ମୁଣ୍ଡ ପିଛା ଆୟର ପରିମାଣକୁ ବଢ଼଼ାଇବାର ଆବଶ୍ୟକତା ଅଛି।

ଆମ ପ୍ରଦେଶର ଅର୍ଥନୀତି କୃଷି ଓ ଆନୁଷଙ୍ଗିକ କୃଷି ଉପରେ ନିର୍ଭର କରେ। ୨୦୨୩-୨୪ରେ ଏହା ରାଜ୍ୟର ସାମଗ୍ରିକ ମୂଲ୍ୟ ସଂଯୋଗ ମୋଟ ୨୦.୪ ଶତକଡ଼ା ଯୋଡ଼ୁଥିବା ବେଳେ ୪୮.୧ ଶତକଡ଼ା ଲୋକକୁ କାର‌୍ୟ୍ୟ ଯୋଗାଇଛି। କୃଷି ଓ ଆନୁଷଙ୍ଗିକ କୃଷି ମୁଖ୍ୟତଃ ଚାରୋଟି ଉପାଦାନକୁ ନେଇ ଗଠିତ ହୋଇଥାଏ। ଏଥିରେ ଫସଲ, ପ୍ରାଣୀସମ୍ପଦ, ଜଙ୍ଗଲ ଓ ମତ୍ସ୍ୟକୁ ନେଇ ଏହା ପର‌୍ୟ୍ୟବସିତ। ୨୦୨୨-୨୩ର ରିପୋର୍ଟ ଅନୁସାରେ ଓଡ଼ିଶାର ନିଟ୍‌‌ ଚାଷ କ୍ଷେତ୍ରର ପରିମାଣ ୫୪.୬ ଲକ୍ଷ ହେକ୍ଟର। ଆମ ରାଜ୍ୟର ପ୍ରମୁଖ ଫସଲ ଭାବେ ଧାନକୁ ଗଣା ଯାଇଥାଏ। ଆମ ରାଜ୍ୟର ଚାଷୀମାନେ ଅନେକ ସ୍ଥାନରେ ଖରିଫ ଓ ରବି ଋତୁରେ ଧାନକୁ ଚାଷ କରନ୍ତି। ତେବେ ମୋଟ ବୁଣା କ୍ଷେତ୍ରରେ ଏହାର ଭାଗୀଦାରିତା ୪୭.୯ରୁ କମି ୨୦୨୨-୨୩ ରେ ଏହା ୪୬.୪ ଶତକଡ଼ାରେ ପହଞ୍ଚିଛି। ୨୦୨୧-୨୨ରେ ଧାନର ଉତ୍ପାଦନ ୯୨.୯ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୨୨-୨୩ରେ ଏହା ୧୧୯.୩ ଲକ୍ଷ ମେଟ୍ରିକ ଟନ ଅଛି। ଓଡ଼ିଶାର ମୋଟ ଖାଦ୍ୟ ଉତ୍ପାଦନ ୨୦୨୦-୨୧ରେ ୧୩୦.୪ ଲକ୍ଷ ମେଟ୍ରିକ ଟନ୍‌‌ ଥିବାବେଳେ ୨୦୨୨-୨୩ରେ ଏହା ୧୪୧.୪ ଲକ୍ଷ ମେଟ୍ରିକ ଟନ୍‌‌ରେ ପହଞ୍ଚିଛି। ଏହି ଖାଦ୍ୟ ଉତ୍ପାଦନର ହାର ଭିତରେ ଦେଶର ସବୁ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ତ୍ରୟୋଦଶରେ ଅଛିଟ୍ଟ ଯେଉଁଥିରେ ଏହି ହାରର ପରିମାଣ ହେକ୍ଟର ପିଛା ୨୦୦୧ କିଗ୍ରା ଅଟେ। ଓଡ଼ିଶା ଚାଷୀଙ୍କ କୃଷି କ୍ଷେତ୍ରରେ ମାସିକ ଆୟ କଥା ଯଦି ବିଚାର କରାଯାଏ ତେବେ ଏହାର ଏକ ବିବରଣୀ ନିମ୍ନରେ ପ୍ରଦାନ କରାଗଲା।

ବର୍ଷ           ମାସିକ ହାରାହାରି ଆୟ

୨୦୦୨-୦୩ –  ୧,୦୬୨ ଟଙ୍କା

୨୦୧୨-୧୩ –  ୪,୯୭୬ ଟଙ୍କା

୨୦୧୮-୧୯-  ୫,୧୧୨ ଟଙ୍କା

ଦେଶର ଜିଡ଼ିପିରେ କୃଷିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବା ବେଳେ ଆମ ରାଜ୍ୟରେ ଚାଷୀମାନେ ବିଭିନ୍ନ ସମୟରେ ପ୍ରମୁଖ ସମସ୍ୟା ଦେଇ ଗତି କରୁଛନ୍ତି। କେତେକ ଚାଷୀ ସରକାରୀ ଯୋଜନାରେ ବାଟବଣା ତ ଆଉ କେତେକ ଠିକ ସମୟରେ ଠିକ ତଥ୍ୟ ପାଇବାରୁ ବଞ୍ଚିତ ହେବା ସହ ସମୟ ସହ ତାଳ ଦେଇ ଚାଷ ନ କରିପାରିବା ଯୋଗୁଁ ଏହି ମାସିକ ଆୟରେ ଅଭିବୃଦ୍ଧି ଦେଖାଯାଉନି। ଚାଷୀଙ୍କ ମୁଣ୍ଡପିଛା ଆୟ ବଢ଼଼ିଲେ ତ ପ୍ରଦେଶର ଅଗ୍ରଗତି ହେବ। ଯଦି ଆମେ ଉତ୍ପାଦନ କରି ଠିକ୍‌‌ ଭାବରେ ବିକି ନପାରିବା ତା’ହେଲେ ଚାଷୀଟିଏ ଚାଷ କରିବାକୁ ଅମଙ୍ଗ ହେବ। ତେବେ ଏହି ମୁଣ୍ଡପିଛା ଆୟ ବଢ଼଼ି ନପାରିବାର କେତୋଟି ପ୍ରମୁଖ କାରଣ ଉପରେ ଆଲୋଚନା କରିବା।

ଆମ ରାଜ୍ୟରେ ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି, ଯେଉଁମାନଙ୍କର ମୋଟ ଜମିର ପରିମାଣ ୨ ହେକ୍ଟର ମଧ୍ୟରେ ଥାଏ। ପ୍ରାୟ ୯୦ ଶତକଡ଼ା ଚାଷୀ ଏହି ବର୍ଗରେ ଅଛନ୍ତି। ତେବେ ଏହି କ୍ଷୁଦ୍ର ଜମିଗୁଡ଼ିକ ପାଇଁ ଚାଷୀମାନେ ଅନେକ ସମୟରେ ଅଧିକ ଭାବରେ ଅମଳ କରିପାରନ୍ତି ନାହିଁ। ଏଥିରେ ଯାନ୍ତ୍ରିକୀକରଣର ଅସୁବିଧା ହେବା ସହ ଚାଷୀଟିଏ ମନୋକ୍ରପିଙ୍ଗ୍‌‌ ବା ଗୋଟିଏ ଜମିରେ ଗୋଟିଏ ଫସଲକୁ ବାରମ୍ବାର ଚାଷ କରିବାକୁ ବାଧ୍ୟ ହୋଇଥାଏ, ଯାହା ଜମିର ମାନ କମାଇଥାଏ। ଅନେକ ସମୟରେ କୃଷି କ୍ଷେତ୍ରରେ ଯାନ୍ତ୍ରିକୀକରଣର ସୁବିଧା ଚାଷୀ ମାନେ ନେଇନଥାନ୍ତି। ସାରା ଭାରତରେ ୬୦-୭୦ ପ୍ରତିଶତ କୃଷି ଯାନ୍ତ୍ରିକୀକରଣ କେବଳ ହଳ, ଅମଳ ଓ ଥ୍ରେସିଙ୍ଗରେ ବ୍ୟବହାର କରାଯାଏ। ଆଜି ବି ଅନେକ ଚାଷୀ ଚାଷ ଜମିରେ ମଜୁରି ଲଗାଇ କାମ କରନ୍ତି। ଏସବୁର ପ୍ରମୁଖ କାରଣ କ୍ଷୁଦ୍ର ଜମି। ଯାହା ଫଳରେ ଚାଷୀଟିଏ ନିଜ ହାତରୁ ଅଧିକ ଖର୍ଚ୍ଚ କରିବାକୁ ସକ୍ଷମ ହୋଇପାରେ ନାହିଁ।

୧୯୬୦ରେ ସବୁଜ ବିପ୍ଳବ ପରେ ପରେ ରାସାୟନିକ ସାରର ମାତ୍ରା ଅଧିକ ପରିମାଣରେ ବ୍ୟବହାର କରାଗଲା। ଅଧିକ ଅମଳ ଆଶାରେ ହାଇବ୍ରିଡ଼ ବିହନ ବ୍ୟବହାର କରାଗଲା। ବିହନ ଯେତେ ଅମଳକ୍ଷମ ହେଲା ବିହନ ଗଜାହେଇ ଗଛ ହେବା ପାଇଁ ମାଟିରୁ ସେତେ ଅଧିକ ପୋଷକ ତତ୍ତ୍ୱ ଗ୍ରହଣ କଲା। ମାଟିର ଉପର ସ୍ତରରେ ଥିବା ଅଣୁଜୀବଙ୍କ ସଂଖ୍ୟା କମିଲା। ଯେଉଁମାନେ ମାଟି ହାଲୁକା କରୁଥିଲେ, ସେମାନେ ଏହି ସାର ବିଷ ପାଇ ମଲେ। ୨୦୨୨-୨୩ରେ ମୋଟ ରାସାୟନିକ ସାରର ୫୭.୯ ଶତକଡ଼ା ୟୁରିଆ ଅଟେ। ଏହା ମାଟିରେ ସହଜରେ ମିଶିଯାଉଥିବାରୁ ମାଟି ତା’ର ସବୁ ଗୁଣ ହରେଇବସିଲା। ଚାଷୀର ମୁଣ୍ଡପିଛା ଆୟ କେବଳ ​‌େ‌ଗାଟିଏ ଫସଲରୁ କେମିତି ବଢ଼଼ିବ? ଆମ ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ ଯଦି ଚାଷୀର ମାସିକ ହାରାହାରି ଆୟ ୧୦, ୪୮୦ଟଙ୍କା ହୋଇପାରୁଛି ଆମେ କାହିଁକି କରିପାରିବାନି?

ଏହା ସହ ଜଳବାୟୁ ପରିବର୍ତ୍ତନ ଚାଷୀର ଆୟ କମାଇବାରେ ପ୍ରମୁଖ ଭୂମିକା ନେଉଛି। ଏହା ଯୋଗୁଁଁ କେତେବେଳେ ମରୁଡ଼ିର ସ୍ଥିତି ତ କେବେ ଉଚ୍ଚ ତାପମାତ୍ରା ଚାଷ ଓ ଚାଷୀକୁ ବେଶ୍‌ ପ୍ରଭାବିତ କରୁଛି। ଆମ ରାଜ୍ୟର ଚାଷୀ ମୌସୁମୀ ଉପରେ ନିର୍ଭର କରି ରହିଥାନ୍ତିଟ୍ଟ କିନ୍ତୁ ଏବେ ବର୍ଷାର ପରିମାଣ କମି କମି ଯାଉଛି। ଏହି ପରିବର୍ତ୍ତନର ଫଳ ସ୍ୱରୂପ ଚାଷର ସମୟ ବଢ଼଼ିଯିବା ସହ ଚାଷ କାର‌୍ୟ୍ୟ କରିବା କଷ୍ଟକର ହୋଇଯାଏ। ଏହା ସର୍ବୋପରି କୃଷି, ମୃତ୍ତିକାର ଗୁଣବତ୍ତା, ଗ୍ରାମ୍ୟ ଜୀବନ ତଥା ଚାଷୀକୁଳ ଉପରେ ପ୍ରଭାବ କମାଇଥାଏ। ଯେଉଁ ଚାଷୀମାନଙ୍କର ଚାଷର ଅବଧି ଅଧିକ ସମୟ ଯାଏ ସେମାନଙ୍କୁ ଜମିରେ ଅଧିକ ପରିଶ୍ରମ, ଜଳସେଚନଠାରୁ ସବୁ ଖର୍ଚ୍ଚ ଅଧିକ ପଡ଼ିଥାଏଟ୍ଟ କିନ୍ତୁ ଖର୍ଚ୍ଚ ଅନୁସାରେ ଆୟ ସେତିକି ହୁଏ ନାହିଁ।

ଏହା ସହ କୃଷି ସମ୍ପ୍ରସାରଣକୁ ଏ ଦିଗରେ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି। ଠିକ ସୂଚନା ଚାଷୀଙ୍କ ପାଖରେ ପହଞ୍ଚି ପାରୁ ନଥିବା ଯୋଗୁଁଁ ଯେଉଁ କିଛି ରିଆତି ଚାଷୀ ଚାଷ କ୍ଷେତ୍ରରେ ପାଇବା କଥା ସେଗୁଡ଼ିକୁ ଠିକ ଭାବରେ ପାଇପାରୁନାହିଁ। ଆମେ କେବଳ ଏମଏସପି ଆଶାରେ ଚାଷ କଲେ ଆମ ଆୟ ବୃଦ୍ଧି ହେବ ନାହିଁ। ଏକ ଭାରସାମ୍ୟ ଥିବା ଉପଯୁକ୍ତ ଫସଲଚକ୍ରକୁ ଆମକୁ ଅନୁସରଣ କରିବାକୁ ପଡ଼ିବ। ତେବେ ଏ ଦିଗରେ କିଛିଟା ସମାଧାନର କଥା ଆଲୋଚନା କରିବା।

ପ୍ରଥମରେ ଆମ ଚାଷୀଙ୍କୁ ବୁଝିବାକୁ ହେବ ଯେହେତୁ ଆମ ପାଖରେ ବଡ଼ ବଡ଼ ଚାଷ ଜମି ନାହିଁ ତେଣୁ ଯେଉଁ ନିର୍ଦିଷ୍ଟ ଜମିରୁ ଆମେ କିପରି ବର୍ଷସାରା ଫସଲ ବିବିଧିକରଣ ମାଧ୍ୟମରେ ଅଧିକ ଅମଳ କରିପାରିବା, ସେ ଦିଗରେ ଚିନ୍ତା କରିବା। କେବଳ ଧାନ ନୁହେଁଟ୍ଟ ଧାନ ସହ ଆମ ଜଳବାୟୁକୁ ସୁହାଉଥିବା ଫଳ, ପନିପରିବା, ତୈଳବୀଜ, ଅର୍ଥକରୀ ଫସଲ ଚାଷ କରିବା ଆବଶ୍ୟକ। ଗବେଷଣାଯୁକ୍ତ ଫସଲ କିସମ ବ୍ୟବହାର କରି କିପରି ଚାଷ କରିବା, ସେ ଦିଗରେ ଗବେଷକଙ୍କ ସହାୟତା ନେଇ ଚାଷ କରିପାରିବେ। ଏଥିସହ ଏହା କିପରି ଗ୍ରାମୀଣ କୃଷି ବଜାରରେ ଠିକ ଭାବରେ ବିକ୍ରି ହୋଇ ପାରିବ, ସେ ଦିଗରେ ଅନୁଧ୍ୟାନ କରାଯିବା ଆବଶ୍ୟକ।

ଦ୍ୱିତୀୟରେ ଚାଷ ଜମିରେ ଠିକ ଭାବରେ ଜଳ ପରିଚାଳନା ଦିଗରେ ଆମେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରିବା ଆବଶ୍ୟକ। ଏହା ମଧ୍ୟରେ ସେନସର, ଋତୁ ଅନୁଯାୟୀ ଉପଯୁକ୍ତ ସୂଚନାବଳୀ ପରି ବିଭିନ୍ନ ଉପାଦାନ ଅନ୍ତର୍ଭୁକ୍ତ। ଏପରି କି ଆଚ୍ଛାଦିତ ଫସଲ, ମଲଚିଂ, ସଂରକ୍ଷଣ ଚାଷ ପ୍ରଭୃତି ଜଳର ଆବଣ୍ଟନକୁ ଠିକ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରେ। ଏହା ବ୍ୟତୀତ ଆମେ ସ୍ମାର୍ଟ ଡ଼ିଭାଇସ ସେନସର ଓ ଜଳବାୟୁ ଅନୁଯାୟୀ ସ୍ୱୟଂଚାଳିତ ନିୟନ୍ତ୍ରଣ ଦ୍ୱାରା ଜଳ ପରିଚାଳନା କରିପାରିବା। ଚାଷ ଜମି ନିକଟରେ ଏକ ପୋଖରୀ ତିଆରି କରି ଜଳ ସଂରକ୍ଷଣ କରାଯାଇପାରେ।

ତୃତୀୟରେ ସରକାରଙ୍କ ତରଫରୁ ଅନେକ ସରକାରୀ ସହାୟତା ଚାଷୀଙ୍କ ପାଇଁ ଦିଆଯାଉଛି। ଚାଷୀମାନେ ନିଜ ଅଞ୍ଚଳର କୃଷି ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ଏହାର ଲାଭାର୍ଥୀ ହେବା ଆବଶ୍ୟକ। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଚାଷୀମାନଙ୍କ ପାଇଁ କର୍ମଶାଳା କରି ଅନ୍ୟ ରାଜ୍ୟମାନଙ୍କର ଚାଷ କରିବାର ଶୈଳୀ ଉପରେ ଏକ ପ୍ରତୀକାତ୍ମକ ବିବରଣୀ ପ୍ରଦାନ କରାଯାଉ। ଏହା ସହ ଚାଷୀମାନଙ୍କୁ ଅନ୍ୟ ରାଜ୍ୟର ସଫଳ ଚାଷୀଙ୍କ ଫାର୍ମ ବୁଲାଇବାକୁ ନିଆଯାଉ। ଚତୁର୍ଥରେ ରାସାୟନିକ ସାରର ବ୍ୟବହାର କରି ଅଧିକରୁ ଅଧିକ ଜୈବ ଚାଷ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଚାଷୀମାନଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ହେଲେ ହିଁ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହୋଇପାରିବ।

ଡି.ଶୁଭମ୍

ଭୁବନେଶ୍ୱର

Comments are closed.