କୃତ୍ରିମ ବୁଦ୍ଧିମତ୍ତା ଓ ଗଣତନ୍ତ୍ର

ଭୁବନେଶ୍ଵର: ବିଜ୍ଞାନ ସହାୟତାରେ ମନୁଷ୍ୟ ଶିଳ୍ପର ବିକାଶ କରିଛି ଓ ମହାକାଶକୁ ବି ଯାଇଛି। ମନୁଷ୍ୟର ଏ ସଫଳତା ପଛରେ ରହିଛି ତା’ର ତଥ୍ୟ ହାସଲ କରିପାରିବାର ଶକ୍ତି। ପ୍ରକୃତିଦତ୍ତ ବୁଦ୍ଧି ଏ ଶକ୍ତିର ମୂଳ ଉତ୍ସ; କିନ୍ତୁ ବର୍ତ୍ତମାନ ମାନବ ସମାଜର ଆଶା ଓ ଆକାଙ୍କ୍ଷା ବହୁତ ବଢି ଯାଇଛି। ଆମେ ବିଭିନ୍ନ ଜଟିଳ ସମସ୍ୟାର ସମାଧାନ କରି ଜୀବନକୁ ଆହୁରି ସାବଲୀଳ କରିବାକୁ ଚାହୁଁଛୁ। ଏସବୁ ହାସଲ କରିବାରେ ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟା ଆମକୁ ସାହାଯ୍ୟ କରୁଛି। କମ୍ପ୍ୟୁଟର ବିପୁଳ ପରିମାଣର ତଥ୍ୟ ସଂଗ୍ରହ କରି ପାରୁଛି – ଯାହା ମନୁଷ୍ୟର ପ୍ରାକୃତିକ ବୁଦ୍ଧିର ପରିସୀମା ଠାରୁ ଯଥେଷ୍ଟ ଅଧିକ। ଏହି କୃତ୍ରିମ ବୁଦ୍ଧିମତ୍ତା ଆମ ଜୀବନ ଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ସାରିଛି। ବିଭିନ୍ନ ଜଟିଳ ତଥ୍ୟ ଆମର ମୋବାଇଲ ଫୋନ ଓ ସାମାଜିକ ଗଣ ମାଧ୍ୟମରେ ପହଞ୍ଚୁଛି। ମନୁଷ୍ୟର ଭାବନା ଓ ଆଦର୍ଶର ଭିତ୍ତିକୁ ଯାନ୍ତ୍ରିକ ବୁଦ୍ଧି ଦୁର୍ବଳ କରି ଦେବାର ସମ୍ଭାବନା ଅଛି। ବିନା ଚାଳକ, ବିନା ଡାକ୍ତର ଅଥବା ବିନା ଶ୍ରମିକରେ ମନୁଷ୍ୟ ସମାଜ କିପରି ଦେଖାଯିବ ତାହା ଆମ ଆକଳନର ବାହାରେ; କିନ୍ତୁ କୃତ୍ରିମ ବୁଦ୍ଧିମତ୍ତା ଆଜିର ସାମାଜିକ ଓ ରାଜନୈତିକ ବ୍ୟବସ୍ଥାକୁ ଦୋହଲେଇ ଦେବାର ପୂର୍ବାଭାସ ମିଳିଲାଣି। ବିଶେଷକରି ଗଣତାନ୍ତ୍ରିକ ପଦ୍ଧତି ଉପରେ ଏହାର ଏକ ନକାରାତ୍ମକ ପ୍ରଭାବ ଦେଖା ଯାଉଛି। ଗଣତନ୍ତ୍ରକୁ ଯାନ୍ତ୍ରିକ ଉପକରଣ ସହିତ ତୁଳନା କରାଯାଇ ପାରିବ ନାହିଁ। ଗଣ ବା ସାଧାରଣ ଜନତାଙ୍କର ବୁଦ୍ଧି ଓ ବିଚାର ଦ୍ବାରା ସରକାର ଗଠନ ଓ ପରିଚାଳନା କରିବା ଗଣତନ୍ତ୍ରର ପ୍ରଥମ ଓ ପ୍ରଧାନ ଚିନ୍ତାଧାରା। କୃତ୍ରିମ ବୁଦ୍ଧିମତ୍ତା ଗଣର ପ୍ରାକୃତିକ ବୁଦ୍ଧିକୁ ହେୟଜ୍ଞାନ କରୁଛି। ବିସ୍ତାରିତ ତଥ୍ୟ ସଂଗ୍ରହ କରି ନିଜକୁ ଅତି-ମାନବ ସ୍ତରକୁ ନେଇ ଯାଉଛି। ନୂତନ ଜ୍ଞାନ ପ୍ରଦାନ ବାହାନାରେ ଆମ ମନୋଭାବକୁ ନିୟନ୍ତ୍ରଣ କରୁଛି। ଆମ ବିଚାରଧାରା ମଧ୍ୟ ବଦଳି ଯିବାର ସମ୍ଭାବନା ରହୁଛି; କିନ୍ତୁ ଯାନ୍ତ୍ରିକ ବୁଦ୍ଧି ସବୁବେଳେ ସତ୍ୟ ଉପରେ ଆଧାରିତ ନୁହେଁ। ଜଣେ ସାଧାରଣ ନାଗରିକ ମିଛ ଖବରକୁ ଆଧାର କରି ଭୁଲ ନିଷ୍ପତ୍ତି ନେବାର ଆଶଙ୍କା ରହିଛି। କେବଳ ସେତିକି ନୁହେଁ, ଏ ବୈଷୟିକ ଜ୍ଞାନକୁ ନିଜ ଅକ୍ତିଆରରେ ରଖିପାରୁଥିବା ଶକ୍ତି ଜନସାଧାରଣଙ୍କର ଚିନ୍ତା କରିବାର ପ୍ରକ୍ରିୟାକୁ ନିୟନ୍ତ୍ରଣ କରିପାରେ। ଏହା ପରେ ଗଣତନ୍ତ୍ରକୁ ନିଜ ସ୍ବାର୍ଥ ଅନୁସାରେ ପରିଚାଳନା କରିବା ସହଜ ହୋଇଯାଏ।
ଆମେ ଗଣତନ୍ତ୍ରର ଦୁଇଟି ଦିଗର ବିଶ୍ଳେଷଣ କରିବା। ପ୍ରଥମ, ନିର୍ବାଚନ ପ୍ରକ୍ରିୟା ପ୍ରତିନିଧିଙ୍କୁ ଉତ୍ତରଦାୟୀ କରେ। ସରକାରଙ୍କର କାର୍ଯ୍ୟ ନିରୀକ୍ଷଣ କରିବାର ସୁଯୋଗ ସାଧାରଣ ନାଗରିକଙ୍କୁ ମିଳେ। ବିଭିନ୍ନ ରାଜନୈତିକ ଦଳଙ୍କ ନୀତି ଓ ଆଦର୍ଶର ତଥ୍ୟ ଜନତାଙ୍କ ପାଖରେ ପହଞ୍ଚେ। ଆଜିକାଲି ନେତାମାନେ ସିଧା ଜନତାଙ୍କ ପାଖକୁ ଯାଇ ପ୍ରଚାର କରିବା କମିଗଲାଣି। କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ଯାନ୍ତ୍ରିକ ମାଧ୍ୟମରେ ବିଭିନ୍ନ ତଥ୍ୟ ମତଦାତା ପାଖରେ ପହଞ୍ଚୁଛି। ଏ ତଥ୍ୟ କିଏ ପଠାଉଛି, କେଉଁ ଦେଶରୁ ଆସୁଛି, ସତ ବା ମିଛ, ଏସବୁ ଜାଣିବା ସହଜ ନୁହେଁ। କୁହାଯାଏ ଯେ, ୨୦୧୬ ମସିହାରେ ଆମେରିକାର ନିର୍ବାଚନ ରୁଷିଆରୁ ଆସୁଥିବା ତଥ୍ୟଦ୍ବାରା ପ୍ରଭାବିତ ହୋଇଥିଲା। ବିଦେଶୀ ଶକ୍ତିମାନେ ଆମ ଦେଶର ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ଆଜିକାଲି ନିର୍ବାଚନ ପ୍ରଚାର ତଥ୍ୟ ବିଶ୍ଳେଷକଙ୍କ କମ୍ପ୍ୟୁଟରରୁ ବାହାରୁଛି। ଏମାନେ ଜନତାଙ୍କ ବ୍ୟକ୍ତିଗତ ତଥ୍ୟ ସେମାନଙ୍କ ବିନା ସମ୍ମତିରେ ସଂଗ୍ରହ କରୁଛନ୍ତି। ଏହି ତଥ୍ୟକୁ ଆଧାର କରି ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ପ୍ରଚାର ଛାଡୁଛନ୍ତି। ଉଦାହରଣ ସ୍ବରୂପ, ଚାଷୀ ପାଖରେ ଗୋଟିଏ ପ୍ରକାର ପ୍ରଚାର ପହଞ୍ଚୁଥିବା ବେଳେ, ଖାଉଟି ପାଖକୁ ଅନ୍ୟ ପ୍ରକାରର ତଥ୍ୟ ଯାଉଛି। ଦଳିତଙ୍କପାଇଁ କିଛି ସାହାଯ୍ୟର ପ୍ରତିଶ୍ରୁତି ଦେଉ ଥିଲେ, ସମାଜର ଉପର ସ୍ତର ପାଇଁ ଅଲଗା ଚିଠା ପଠା ଯାଉଛି। ବିଭିନ୍ନ ବର୍ଗକୁ ଅଲଗା ଅଲଗା ବାର୍ତ୍ତା ପହଞ୍ଚାଇବାରେ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟ କରୁଛି। ଏହାଦ୍ବାରା ଜଣେ ମତଦାତା ଗୋଟିଏ ଦଳ ବା ଜଣେ ଜନ ପ୍ରତିନିଧିଙ୍କର ପ୍ରକୃତ ବିଚାରଧାରା ବିଷୟରେ ଜାଣି ପାରୁନାହିଁ। ଅନେକ ସମୟରେ ମିଛ ତଥ୍ୟ ଏତେ ପ୍ରଭାବିତ କରୁଛି ଯେ, ସେ ନିଜର ପ୍ରାକୃତିକ ବୁଦ୍ଧିକୁ ବ୍ୟବହାର କରୁନାହିଁ। ମତଦାତା ନିଜର ପ୍ରକୃତ ମତକୁ ଭୋଟ ପେଡ଼ିରେ ରଖୁଛି କି ନାହିଁ ଜାଣିବା କଷ୍ଟ। କୃତ୍ରିମ ବୁଦ୍ଧିମତ୍ତା ପଠାଉଥିବା ବିଭିନ୍ନ ମିଥ୍ୟା ତଥ୍ୟ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଦ୍ବାରା ପ୍ରତିନିଧିମାନଙ୍କୁ ଉତ୍ତରଦାୟୀ କରିବା ସମ୍ଭବ ହେଉନାହିଁ।
ଦ୍ବିତୀୟରେ, ନିର୍ବାଚିତ ସରକାର ନାଗରିକଙ୍କର ପ୍ରତିନିଧି। ଜନ ସାଧାରଣଙ୍କ ସୁଖ ସୁବିଧାକୁ ଆଖିରେ ରଖି ନୀତି ପ୍ରଣୟନ କରିବା ସରକାରଙ୍କ ଦାୟିତ୍ବ। ଜନତାଙ୍କ ଆଶା ଓ ଆକାଙ୍କ୍ଷା ଶାସନ କଳ ପାଖରେ ପହଞ୍ଚି ପାରିବା ଦରକାର। ସରକାର ମଧ୍ୟ ନିଜ ନିଷ୍ପତ୍ତିର ସଫଳତା ବା ବିଫଳତା ବିଷୟରେ ବିଭିନ୍ନ ସୂତ୍ରରୁ ଜାଣିବା ଦରକାର। ଏଥିପାଇଁ ତଥ୍ୟ ସଂଗ୍ରହର ଆବଶ୍ୟକତା ରହିଛି। ରାଜତନ୍ତ୍ରରେ ଗୁପ୍ତଚର ମାଧ୍ୟମରେ ଏ ଖବର ଆସୁଥିଲା। ଗଣତନ୍ତ୍ରରେ ସରକାର ନିଜ କର୍ମଚାରୀ ଅଥବା ନିରପେକ୍ଷ ସର୍ବେକ୍ଷଣ ଦ୍ୱାରା ଜନତାଙ୍କ ମତାମତ ଜାଣିବାକୁ ଚେଷ୍ଟା କରନ୍ତି; କିନ୍ତୁ କୃତ୍ରିମ ବୁଦ୍ଧିମତ୍ତାର ଆବିର୍ଭାବ ପରଠାରୁ ଆନୁଷ୍ଠାନିକ ଭାବରେ ଲୋକଙ୍କ ମୁହଁରୁ ତଥ୍ୟ ସଂଗ୍ରହ ପ୍ରକ୍ରିୟା କମି ଯାଇଛି। ସଞ୍ଚାର ବିଦ୍ୟା ମାଧ୍ୟମରେ ଯୋଗାଯୋଗ ହେଉଛି। ମୋବାଇଲ ଫୋନ ଓ ଇଣ୍ଟରନେଟ ଦ୍ବାରା ଜନତା ଓ ସରକାରଙ୍କ ମଧ୍ୟରେ ମତ ଆଦାନ ପ୍ରଦାନ ହେଉଛି। ଆଗରୁ ଚିଠି ଲେଖିଲେ ସରକାରୀ ଦପ୍ତରରୁ ଉତ୍ତର ଆସୁଥିଲା। ଟେଲିଫୋନ କଲେ କେହି ବ୍ୟକ୍ତି ଶୁଣୁଥିଲେ। ବର୍ତ୍ତମାନ ଇ-ମେଲ୍ ବା ପୋର୍ଟାଲ୍ ମାଧ୍ୟମରେ ବାର୍ତ୍ତା ଓ ଅଭିଯୋଗ ଦେବାପାଇଁ କୁହା ଯାଉଛି। ସାଧାରଣ ଜନତାଙ୍କ ମତ କୌଣସି ଅଧିକାରୀ ବା ନିର୍ବାଚିତ ପ୍ରତିନିଧିଙ୍କ ପାଖରେ ପହଞ୍ଚୁଛି କି ନାହିଁ ଜାଣିବା ଅସମ୍ଭବ। ଏହା କେବଳ କୃତ୍ରିମ ବୁଦ୍ଧିମତ୍ତା ପାଇଁ ଗୋଟିଏ ତଥ୍ୟ ବିନ୍ଦୁ ହୋଇ ଯାଇପାରେ। ଅନ୍ୟ ପକ୍ଷରେ, ଅନେକ ସମୟରେ ସରକାର ନିଜର ପ୍ରସ୍ତାବିତ ନୀତି ଉପରେ ସର୍ବସାଧାରଣଙ୍କ ମତ ଲୋଡ଼ିଥାନ୍ତି। ଯେପରି କି, ନିକଟ ଅତୀତରେ ଭାରତ ସରକାର ଶିକ୍ଷା ନୀତି ଓ ଏକକାଳୀନ ନିର୍ବାଚନ ପ୍ରକ୍ରିୟା ଉପରେ ମତାମତ ଚାହିଁଥିଲେ; କିନ୍ତୁ ସିଧା ସଳଖ ସର୍ବେକ୍ଷଣ ହୋଇ ନଥିଲା। ଯାନ୍ତ୍ରିକ ମାଧ୍ୟମରେ କେବଳ ଇଚ୍ଛୁକ ବ୍ୟକ୍ତି ମତ ଦେଇଥିଲେ; କିନ୍ତୁ କେଉଁମାନେ ମତ ଦେଇଥିଲେ ଜାଣିବାର ଉପାୟ ନାହିଁ। ବିଦେଶରୁ ବି ମତ ଆସିଥାଇପାରେ। ବର୍ତ୍ତମାନ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ଗୋଟିଏ କମ୍ପ୍ୟୁଟର ଅନେକ ଥର ମତ ଦେବାର ସମ୍ଭାବନା ମଧ୍ୟ ରହିଛି। ସରକାରଙ୍କୁ ସହଯୋଗ ଅଥବା ବିରୋଧ କରିବା ପାଇଁ କେହି ବ୍ୟକ୍ତି ବା ସଂସ୍ଥା ମତାମତ ପ୍ରକ୍ରିୟାର ଦୁରୁପଯୋଗ କରି ପାରନ୍ତି। ସରକାର ନିଜେ ବି ଜାଣି ପାରିବେ ନାହିଁ ଯେ ଯାନ୍ତ୍ରିକ ତଥ୍ୟ ଠିକ୍ ନା ନୁହେଁ। ଗଣତାନ୍ତ୍ରିକ ସରକାର ଜନତାଙ୍କ ପ୍ରତି ଥିବା ନିଜର ଦାୟିତ୍ବ ନିର୍ବାହ କରି ପାରିବେ ନାହିଁ।
କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର ନେଇ ତଥ୍ୟ ସଂଗ୍ରହରେ ତିନିଟି ଦୁର୍ବଳତା ଅଛି। ପ୍ରଥମ, ଯାନ୍ତ୍ରିକ ପଦ୍ଧତିରେ ବର୍ତ୍ତମାନ ସମାଜର ତଥ୍ୟ ସଂଗ୍ରହ କରାଯାଉଛି। ଭବିଷ୍ୟତର ସମ୍ଭାବନା ଏହାର ଆକଳନର ବାହାରେ। ବର୍ତ୍ତମାନ ବ୍ୟବସ୍ଥାରେ ପକ୍ଷପାତିତା ଥିଲେ, ଯାନ୍ତ୍ରିକ ମାଧ୍ୟମ ଏହାକୁ ସ୍ବାଭାବିକ ଭାବେ ଗ୍ରହଣ କରେ। ଉଦାହରଣ ସ୍ବରୂପ, ଯଦି କୌଣସି ଆଦିବାସୀ ସମ୍ପ୍ରଦାୟ ଅପରାଧ ପ୍ରବଣ ହୋଇଥାନ୍ତି, ଏ ତଥ୍ୟ ସହଜରେ ବଦଳେ ନାହିଁ। ଦ୍ବିତୀୟ, କୃତ୍ରିମ ବୁଦ୍ଧିମତ୍ତାର ତଥ୍ୟ ସଂଗ୍ରହ ପଦ୍ଧତି ଅତି ଜଟିଳ। ଏଥିରେ ସ୍ବଚ୍ଛତା ଆଶା କରିବା ବୃଥା। କିଏ ତଥ୍ୟ ସଂଗ୍ରହ କରୁଛି, କେଉଁ ଉଦ୍ଦେଶ୍ୟରେ କରୁଛି, କିଏ ଏ ତଥ୍ୟ ବ୍ୟବହାର କରିବ – ଏ ସବୁର ଉତ୍ତର ଆମ ପାଖରେ ନଥାଏ। ଯଦି ଓଡ଼ିଆ ଅସ୍ମିତା ଉପରେ ଲେଖୁଥିବା ବ୍ୟକ୍ତିକୁ ବିଦେଶରେ ଥିବା ତଥ୍ୟ ସଂଗ୍ରହକାରୀ ଆଞ୍ଚଳିକ ଉଗ୍ରପନ୍ଥୀ ଭାବେ ଚିହ୍ନଟ କଲା, ଏଭଳି ଭୁଲର କାରଣ ଆମେ କେବେ ବି ଖୋଜି ପାଇ ପାରିବା ନାହିଁ। ତୃତୀୟ, କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ସାଧାରଣ ବ୍ୟକ୍ତିମାନଙ୍କ ଉପରେ ବିଶଦ ଭାବରେ ତଥ୍ୟ ସଂଗ୍ରହ କରାଯାଉଛି। ଏପରି କି ସାମାଜିକ ଗଣମାଧ୍ୟମରେ ନିଜ ବଗିଚାର ଫଟୋ ପଠାଇଲେ ବା କିଛି ମନ୍ତବ୍ୟ ଦେଲେ, ଏହା ସଂଗୃହୀତ ବୃହଦାକାର ତଥ୍ୟର ଅଂଶ ହୋଇ ଯାଉଛି। ବ୍ୟକ୍ତିଗତ ତଥ୍ୟ ବ୍ୟବହାର ପାଇଁ କେହି ଅନୁମତି ନିଅନ୍ତି ନାହିଁ। ଏ ତଥ୍ୟର ଅପପ୍ରୟୋଗ ହେବାର ବି ସମ୍ଭାବନା ରହିଛି। ନିଜସ୍ବ ତଥ୍ୟର ଗୋପନୀୟତା ନରହିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଏ ଅବସ୍ଥା ସୁଧାରିବା ପାଇଁ ନୈତିକ ଚାପ ଆସିବ କିମ୍ବା ଆଇନଗତ ବ୍ୟବସ୍ଥା ହେବ ତାହା ଦେଖିବାକୁ ରହିଲା।
ଗଣତନ୍ତ୍ର ଏକ ବିଶ୍ବାସର ପ୍ରତୀକ। ଗଣତାନ୍ତ୍ରିକ ଚିନ୍ତାଧାରା ଏହାର ଆଧାର। ନାଗରିକମାନେ ଶାସନରେ ଭାଗ ନିଅନ୍ତି। ସରକାରଙ୍କୁ ଉତ୍ତରଦାୟୀ କରନ୍ତି। କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଆସୁଥିବା ଅସୁମାରି ତଥ୍ୟ ଏ ବିଶ୍ବାସକୁ ଦୋହଲାଇ ଦିଏ। ପ୍ରତି ତଥ୍ୟର ସତ୍ୟାସତ୍ୟ ଅନୁଧ୍ୟାନ କରିବା ସାଧାରଣ ନାଗରିକର ଚିନ୍ତାଶକ୍ତିର ବାହାରେ। ଏପରି ଦ୍ୱନ୍ଦ୍ବ ମଧ୍ୟରେ ସବୁ ସାମାଜିକ ଓ ଗଣମାଧ୍ୟମ ଉପରୁ ଜଣେ ସଚେତନ ନାଗରିକର ଆସ୍ଥା ତୁଟିଯାଇପାରେ। ସେ ନିଜର ପ୍ରାକୃତିକ ବୁଦ୍ଧିର ବ୍ୟବହାର ଉପରେ ମଧ୍ୟ ଭରସା ହରାଇବ। ଏହା ପରେ ଗଣତନ୍ତ୍ର ଉପରେ ମନୁଷ୍ୟର ନିୟନ୍ତ୍ରଣ କମିଯିବ। କୃତ୍ରିମ ବୁଦ୍ଧିମତ୍ତାର ଆଧିପତ୍ୟ ଗଣର ଶକ୍ତିକୁ ଦୋହଲାଇ ଦେବ।
Comments are closed.