ଗ୍ରହାଣୁରେ ଜୀବନ-ରହସ୍ୟ ସୂତ୍ର

ଭୁବନେଶ୍ବର : ‘ବେଣୁ’ ୧୯୯୯ ମସିହାରେ ଆବିଷ୍କୃତ ଏକ ଗ୍ରହାଣୁ (ଆଷ୍ଟେରୟେଡ)। ଏହା ଆପୋଲୋ ଗ୍ରହାଣୁ ସମୂହର ଏକ ସଦସ୍ୟ। ଏହାର କାକ୍ଷିକ ସମୟ କାଳ ୪୩୭ ଦିନ। ପ୍ରତି ଛଅ ବର୍ଷରେ ଏହା ପୃଥିବୀର ନିକଟତମ ହୋଇଥାଏ। ସେତେବେଳେ ଏହାର ଦୂରତା ପୃଥିବୀଠାରୁ ପ୍ରାୟ ୧୮୬୦୦୦ ମାଇଲ ଥାଏ। ସୂର୍ୟ୍ୟ, ସୃଷ୍ଟି ଓ ପୁନର୍ଜନ୍ମ ସହିତ ସମ୍ପୃକ୍ତ ପ୍ରାଚୀନ ମିଶରୀୟ ପୌରାଣିକ କାଳ୍ପନିକ ପକ୍ଷୀ ‘ବେଣୁ’ର ନାମରେ ଏହି ଗ୍ରହାଣୁର ନାମକରଣ ହୋଇଛି। ଜ୍ୟୋତିର୍ବିଜ୍ଞାନରେ ଏହାକୁ ‘୧୦୧୯୫୫ ବେଣୁଙ୍କ’ ନାଁରେ ଉଲ୍ଲେଖ କରାଯାଏ। ଆମେରିକାସ୍ଥିତ ନାସାର ‘ଓଏସଆଇଆରଆଇଏସ-ଆରଇଏକ୍ସ’ ମିଶନ ଅଧୀନରେ ଏକ ମହାକାଶଯାନ ସେପ୍ଟେମ୍ବର ୨୦୧୬ରେ ଏହି ଗ୍ରହାଣୁ ଅଭିମୁଖେ ଯାତ୍ରା କରିଥିଲା। ପ୍ରାୟ ଚାରିବର୍ଷ ପରେ ଅକ୍ଟୋବର ୨୦୨୦ ଏହା ଗ୍ରହାଣୁଟିର ପୃଷ୍ଠତଳକୁ ସ୍ପର୍ଶ କରି ରୋବୋଟୀୟ ହାତ ସାହାଯ୍ୟରେ ଏହାର ମେଞ୍ଚାଏ ନମୁନା (ପ୍ରାୟ ୧୨୦ ଗ୍ରାମ କଳା ମାଟି) ସଂଗ୍ରହ କରିଥିଲା। ଏହି ନମୁନା ଥିବା କ୍ୟାପସୁଲଟି ସେପ୍ଟେମ୍ବର ୨୦୨୩ରେ ପୃଥିବୀରେ ପହଞ୍ଚିଥିଲା। ଏହା ପରେ ଏହି ନମୁନାର ବିଶ୍ଳେଷଣ ଓ ପରୀକ୍ଷଣ ପାଇଁ ବିଭିନ୍ନ ଦେଶର ଗବେଷଣାଗାରକୁ ଏହାର ଚିମୁଟାଏ ଲେଖେ ପଠାଯାଇଥିଲା। ବର୍ତ୍ତମାନ ଏହି ବିଶ୍ଳେଷଣର ଫଳାଫଳ ସାମନାକୁ ଆସିଛି। ‘ନେଚର’ ଓ ‘ନେଚର ଆଷ୍ଟ୍ରୋନମି’ ପତ୍ରିକାରେ ଏହା ପ୍ରକାଶିତ ହୋଇଛି।
ଜୀବନର ଏକକ ଏହି ନମୁନାରେ ଦେଖିବାକୁ ମିଳିଛି। ‘ଡିଏନଏ’ ଓ ‘ଆରଏନଏ’ ତିଆରି ପାଇଁ ପ୍ରୟୋଜନୀୟ ୫ଟି ‘ନିଉକ୍ଲିଓ-ବେସ’ର ସବୁଗୁଡ଼ିକ ଏଥିରେ ଅଛି। ପ୍ରୋଟିନରେ ଯେଉଁ ୨୦ଟି ଆମିନୋ ଏସିଡ ମିଳେ, ସେଥିରୁ ୧୪ଟିର ଉପସ୍ଥିତି ଏହି ନମୁନାରେ ମିଳିଛି। ତେବେ ଏହା ରହିଛି ଦର୍ପଣ-ପ୍ରତିବିମ୍ବ ଭଳି। ପୃଥିବୀସ୍ଥିତ ଜୀବ ଦେହରେ ଆମିନୋ ଏସିଡର ରାୟାୟନିକ ଗଠନ ବାମାବର୍ତ୍ତ। ବେଣୁରୁ ଆସିଥିବା ନମୁନାରେ ଆମିନୋ ଏସିଡର ଗଠନ ଦକ୍ଷିଣାବର୍ତ୍ତ। ବୈଜ୍ଞାନିକମାନଙ୍କର ଏହି ଅନୁସନ୍ଧାନ-ରିପୋର୍ଟ ‘ନେଚର ଆଷ୍ଟ୍ରୋନମି’ ପତ୍ରିକାରେ ପ୍ରକାଶିତ ହୋଇଛି। ଏହି ଗବେଷଣା ସହିତ ଯୁକ୍ତ ନାସାର ‘ଗଡ଼ାର୍ଡ ସ୍ପେସ ଫ୍ଲାଇଟ’ ସଂସ୍ଥାର ଜ୍ୟୋତିଃଜୀବବିଜ୍ଞାନୀ ଡାନିୟେଲ ଗ୍ଲାଭିନଙ୍କ ମତରେ ଏହି ଫଳାଫଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ତଥ୍ୟ ଅସଲ ନମୁନାରୁ ମିଳିଛି। ପୃଥିବୀରେ ଯେବେ ଉଲ୍କାପାତ ହୁଏ, ସେତେବେଳେ ସେହି ମହାଜାଗତିକ ବସ୍ତୁସବୁ ପୃଥିବୀର ବାୟୁମଣ୍ଡଳ ସହିତ ସଂଘର୍ଷରେ ଉତ୍ତପ୍ତ ହୋଇ ଅଗ୍ନି ଗୋଲକରେ ପରିଣତ ହୁଏ। ଏଥିରେ ସେଗୁଡ଼ିକର ମୌଳିକ ଗୁଣ କିଛିମାତ୍ରାରେ ନଷ୍ଟ ହୋଇଯାଏ। ପୁଣି ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ଉଲ୍କାପିଣ୍ଡ କିଛି ମାତ୍ରାରେ କଳୁଷିତ ହୋଇ ନିଜର ବିଶେଷତ୍ୱ ହରାଏ। ‘ବେଣୁ’ରୁ ଆସିଥିବା ନମୁନାରେ ଗ୍ରହାଣୁର ସକଳ ବୈଶିଷ୍ଟ୍ୟ ଓ ଗୁଣ ଅକ୍ଷତ ରହିଛି। କାରଣ ପୃଥିବୀରେ ଆସିବା ପଥରେ ତାହା କୌଣସି ବାଧାବିପତ୍ତିର ସାମନା କରି ନାହିଁ। ତାହା ଆସିଛି ମହାକାଶଯାନରେ।
ବୈଜ୍ଞାନିକଙ୍କ ମତରେ, ଏ ଯାଏ ଯେତେ ମହାଜାଗତିକ ବସ୍ତୁ, ନମୁନା ମଣିଷର ହାତକୁ ଆସିଛି, ସେଥି ମଧ୍ୟରୁ ‘ବେଣୁ’ରେ ସବୁଠୁ ବେଶି ଜୀବନ-ଉପଯୋଗୀ ଉପାଦାନ ରହିଛି। ‘ବେଣୁ’ର ନମୁନାକୁ ନେଇ ଆଉ ଗୋଟିଏ ରିପୋର୍ଟ ପ୍ରକାଶିତ ହୋଇଛି ‘ନେଚର’ ପତ୍ରିକାରେ। ସେଥିରେ କୁହାଯାଇଛି ‘ବେଣୁ’ର ମାଟିରେ ବିଭିନ୍ନ ପ୍ରକାରର ଖଣିଜ ଲବଣ ଅଛି। ତାହାସବୁ ତିଆରି ହୋଇଛି କୋଟିକୋଟି ବର୍ଷ ପୂର୍ବେ। ବିଜ୍ଞାନୀମାନଙ୍କର ଅନୁମାନ ପୂର୍ବରୁ ‘ବେଣୁ’ କୌଣସି ବଡ଼ ଗ୍ରହାଣୁର ଅଂଶ ଥିଲା। ପରେ ସେଥିରୁ ବିଚ୍ଛିନ୍ନ ହୋଇ ଯାଇଛି। ଅତୀତରେ ସେହି ବଡ଼ ଗ୍ରହାଣୁରେ କୌଣସି ଜଳାଶୟ ଥାଇ ପାରେ। ଜଳ କ୍ରମଶଃ ବାଷ୍ପୀଭୂତ ହୋଇଯାଇଛି, ରହିଛି କେବଳ ଲବଣ, ଯାହା ନମୁନାରେ ମିଳିଛି। ମିଥାନଲ(ଫରମାଲଡିହାଇଡ) ପରି କାର୍ବନର ଯୌଗିକ ମଧ୍ୟ ଏହି ନମୁନାରେ ମିଳିଛି।
ପ୍ରାଣର ଚିହ୍ନ ‘ବେଣୁ’ ନମୁନାରେ ମିଳି ନାହିଁ ସତଟ୍ଟ ତେବେ ଏଥିରେ ଏହି ସବୁ ଲବଣର ଉପସ୍ଥିତି ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରେ। ସେଥିରୁ ମିଳିପାରେ ପ୍ରାଣ-ରହସ୍ୟର ସୂତ୍ର। ଏହା ସେହି ସିଦ୍ଧାନ୍ତକୁ ମଧ୍ୟ ସମର୍ଥନ କରେ ଯେ କୋଟିକୋଟି ବର୍ଷ ପୂର୍ବେ ପୃଥିବୀର ଶୈଶବରେ ଗ୍ରହାଣୁଗୁଡ଼ିକ ସହିତ ସଂଘାତ ପରେ ଜୀବଦେହର ଏହି ଗୁରୁତ୍ୱପୂର୍ଣ୍ଣ ଉପାଦାନସମୂହ ସେଥିରୁ ପୃଥିବୀକୁ ଆସିଥିଲା।
ମୃଦୁଳା ମିଶ୍ର
ଲେଖିକା ଜଣେ ପ୍ରାକ୍ତନ ସହଯୋଗୀ ପ୍ରଫେସର
Comments are closed.