ଆଜି ପବିତ୍ର ଅଅଁଳା ନବମୀ, ଶ୍ରୀରାଧା ପାଦ ପଦ୍ମ ଦର୍ଶନ ପାଇଁ ଭକ୍ତଙ୍କ ଭିଡ

ଆଜି ହେଉଛି ପବିତ୍ର ଅଅଁଳା ନବମୀ ବା ଧାତ୍ରୀ ନବମୀ। ଉପକାରୀ ଫଳଗୁଡିକ ମଧ୍ୟରୁ ଅଅଁଳା ହେଉଛି ଅନ୍ୟତମ। ଏହାର ଅମ୍ଳ ରସ ଦ୍ବାରା ବାୟୁଦୋଷ, ମଧୁର ରସ ଦ୍ବାରା ପିତ୍ତଦୋଷ ଏବଂ କଷାୟ ରସ ଦ୍ବାରା କଫଦୋଷ ନଷ୍ଟ ହୋଇଥାଏ। ଜୀବନ ଧାରଣରେ ଅଅଁଳା ସାହାଯ୍ୟ କରିଥିବାରୁ ଏହାକୁ ଧାତ୍ରୀ ମଧ୍ୟ କୁହାଯାଏ।

ଅଅଁଳା ନବମୀରେ ଶ୍ରୀରାଧା ପାଦ ପଦ୍ମ ଦର୍ଶନର ପରମ୍ପରା ରହିଛି। ଏହି ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଛି। ଅଅଁଳା ନବମୀ ଦିନ ଶ୍ରୀରାଧା ଓଡିଆଣୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଏହି ଦିନ ଶ୍ରୀ ରାଧାରାଣୀ ନୂତନ ପାଟବସ୍ତ୍ର ପରିଧାନ କରି କାଣିଆ କଚ୍ଛା ମାରିଥାନ୍ତି। କାଣିଆ କଚ୍ଛା ମାରିବା ଦ୍ବାରା ଠାକୁରାଣୀଙ୍କ ପାଦପଦ୍ମ ଉପରୁ ପିନ୍ଧା ବସ୍ତ୍ର ଉଠିକି ରହିଥାଏ। ଫଳରେ ଭକ୍ତମାନେ ଠାକୁରାଣୀଙ୍କ ପାଦପଦ୍ମ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ଶ୍ରୀରାଧା ପଣତକାନୀରେ ଗୁଆ, ଅରୁଆ ଚାଉଳ ଓ ଦୁବ ବନ୍ଧା ଯାଇଥାଏ। ଏହା ସହ ପାଦରେ ଅଳତା, ଚକ୍ଷୁରେ କଜ୍ଵଳ ଓ ମୁଣ୍ଡରେ ସିନ୍ଦୂର ଲଗାଯାଇଥାଏ। ଶ୍ରୀ ରାଧାରାଣୀଙ୍କ ମସ୍ତକରେ ସୁବର୍ଣ୍ଣ କିରିଟ, ଗଳାରେ ସୁବର୍ଣ୍ଣ ସେବତୀ ଫୁଲହାର, ସୁବର୍ଣ୍ଣ ଅଅଁଳା ଫଳ ମାଳ ଏବଂ ପାଦରେ ନୂପୁର, ଘୁଙ୍ଗୁର, ବାଙ୍କି, ଝୁଣ୍ଟିଆ ଏବଂ ପାଦ ପଦ୍ମରେ ପାପଦ୍ମ ଶିକୁଳି ଶୋଭା ପାଏ।

Comments are closed.