୧୨୦ରୁ ଅଧିକ ଆସନରେ ଜିତିବୁ: ଶାହା

0

ବଲାଙ୍ଗୀର, ୨୦୧୯ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ୧୨୦ରୁ ଅଧିକ ଆସନରେ ଜିତିବ । ଦୁଇଦିନିଆ ଓଡ଼ିଶା ଗସ୍ତ ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏଭଳି ଦମ୍ଭୋକ୍ତି କରିଛନ୍ତି । ବଲାଙ୍ଗୀର କୌଶଳ କଳା ମଙ୍ଗଳ ପଡ଼ିଆରେ ଆୟୋଜିତ ଯୁବ ସମ୍ମେଳନକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି ଯେ ଗତକାଲି ଭବାନୀପାଟଣାରେ ଆୟୋଜିତ ସମାବେଶରେ ୧୨୦ ମିଶନ୍‌ ପ୍ରସଙ୍ଗ କାହିଁକି ଉତ୍‌ଥାପନ କରାଯାଇ ନାହିଁ ବୋଲି ପ୍ରଶ୍ନ ଉଠିଛି । ଆଗାମୀ ବିଧାନସଭା ନିର୍ବାଚନରେ ୧୨୦ ନୁହେଁ ବରଂ ତା’ଠାରୁ ଅଧିକ ଆସନରେ ବିଜେପି ବିଜୟ ଲାଭ କରି ସରକାର ଗଢ଼ିବ । ଗତ ବିଜେପୁର ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପରାଜୟ ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହଙ୍କ ନୂଆ ଗଣିତ ଦଳର ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବ ବୋଲି କୁହାଯାଉଛି । 
ଯୁବବର୍ଗଙ୍କ ଉଦ୍ଦେଶ୍ୟ ଶ୍ରୀ ଶାହା କହିଛନ୍ତି ଯେ ଦେଶ ଓ ରାଜ୍ୟର ବିକାଶରେ ଯୁବବର୍ଗଙ୍କ ବିଶାଳ ଭୂମିକା ରହିଛି । ମାତ୍ର ବିଜେଡି ସରକାର ସେମାନଙ୍କ ପାଇଁ ଉପଯୁକ୍ତ ସୁଯୋଗ ସୃଷ୍ଟି କରିପାରିନାହାନ୍ତି । ଅପରପକ୍ଷରେ କେନ୍ଦ୍ର ସରକାର ସ୍କିଲ୍‌ ଇଣ୍ଡିଆ, ଷ୍ଟର୍ଟ ଅପ୍‌ ଇଣ୍ଡିଆ, ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ, ମୁଦ୍ରା ବ୍ୟାଙ୍କ ଆଦି ଜରିଆରେ ୯ କୋଟି ଯୁବକଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଶ୍ରୀ ଶାହା କହିଛନ୍ତି ଗତ ଦେଢ଼ ବର୍ଷ ଭିତରେ ବିଜେପିର ୧୪ ଜଣ କର୍ମୀଙ୍କୁ ହତ୍ୟା କରାଯାଇଛି । ହତ୍ୟାକାରୀଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇପାରିନାହିଁ । ଫ୍ଲୋରାଇଡ୍‌ଯୁକ୍ତ ପାଣି ପିଇ ଏହି ଅଞ୍ଚଳର ୪୨୦୦ରୁ ଅଧିକ ଲୋକ କୀଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ ସରକାର ଚିନ୍ତା କରିନାହାନ୍ତି । ୧୮ ବର୍ଷ ଭିତରେ ରାଜ୍ୟବାସୀଙ୍କୁ ପିଇବା ପାଣି ଯୋଗାଇ ଦେବାରେ ଅକ୍ଷମ ସରକାରଙ୍କ କ୍ଷମତାରେ ରହିବା ଅଧିକାର ନାହିଁ ।

Leave A Reply