ଅମରନାଥ ଯାତ୍ରାରେ ବଡ଼ ଧରଣର ଆତଙ୍କବାଦ ଆକ୍ରମଣ ଯୋଜନା

0

ନୂଆଦିଲ୍ଲୀ: ଏଥର ଅମରନାଥ ଯାତ୍ରା ବେଳେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ଲସ୍କର ଇ ତୋଇବା ତାଲିମପ୍ରାପ୍ତ ପ୍ରାୟ ୨୦ ଜଣ ଆତଙ୍କବାଦୀ ଅମରନାଥ ତୀର୍ଥଯାତ୍ରୀଙ୍କୁ ଆକ୍ରମଣ ପାଇଁ ପାକ୍‍ ଅଧିକୃତ କଶ୍ମୀରରେ ପ୍ରସ୍ତୁତ ରହିଛନ୍ତି। ଗୁଇନ୍ଦା ବିଭାଗ ଏହି ସୂଚନା ଦେବା ପରେ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି। ସୁରକ୍ଷା କର୍ମୀଙ୍କୁ ସଜାଗ ରହିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଗୁଇନ୍ଦା ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ଦୁଇଟି ଦଳରେ ବିଭକ୍ତ ହୋଇ ଆନ୍ତର୍ଜାତିକ ସୀମାରେଖା ଦେଇ ପ୍ରବେଶ କରିବେ। କଙ୍ଗନ ଅଞ୍ଚଳରେ ସେମାନେ ପ୍ରଥମେ ଆକ୍ରମଣ କରିବାର ଯୋଜନା ରହିଛି।

ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା

prayash

ଅପରପକ୍ଷରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନାକୁ ପଣ୍ଡ କରିବା ପାଇଁ ବ୍ୟାପକ ଓ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ସିଆରପିଏଫ୍‍ ପକ୍ଷରୁ ଏକ ସ୍ୱତନ୍ତ୍ର ମୋଟର ସାଇକଲ୍‍ ଟିମ୍‍ ନିୟୋଜିତ କରାଯିବ। ପ୍ରତି ମୋଟର ସାଇକେଲ୍‍ରେ ରେଡିଓ ଫ୍ରିକ୍ୱେନ୍ସି ବ୍ୟବସ୍ଥା ରହିବ। ସୀମାରେଖା ଭିତରେ ପ୍ରବେଶ କରୁଥିବା ପ୍ରତିଟି ଯାନବାହନକୁ ଯାଞ୍ଚ କରାଯିବ। କୌଣସି ଆପତ୍ତିଜନକ ସାମଗ୍ରୀ କିମ୍ବା ବିସ୍ଫୋରକ ନେବା ବେଳେ ଉକ୍ତ ରେଡିଓ ଫ୍ରିକ୍ୱେନ୍ସି ସହାୟତାରେ ଧରାପଡ଼ିବ। ପ୍ରତି ସମ୍ବେଦନଶୀଳ ସ୍ଥାନରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ୍‍ ରୁମ୍‍ ଖୋଲାଯିବ। ଏହି କଣ୍ଟ୍ରୋଲ୍‍ ରୁମ୍‍ ସେନାବାହିନୀ, ସୁରକ୍ଷା ବାହିନୀ ଓ ପୁଲିସ୍‍ ସହିତ ନିରନ୍ତର ଯୋଗସୂତ୍ର ସ୍ଥାପନ କରିବ। ଅମରନାଥ ଯାତ୍ରା ପଥକୁ ଅତିରିକ୍ତ ୨୨,୫୦୦ ସୁରକ୍ଷା କର୍ମୀ ଜଗି ରହିବେ। ଏହାଛଡ଼ା ଜମ୍ମୁକଶ୍ମୀର ପୁଲିସ, ସୁରକ୍ଷା କର୍ମୀ, ଏନ୍‍ଡିଆରଏଫ୍‍ ଓ ସେନାବାହିନୀର ୪୦ ହଜାର ଅଧିକାରୀ ଓ କର୍ମଚାରୀ ନିୟୋଜିତ ହେବ। ଉପଗ୍ରହ ମାଧ୍ୟରେ ଯାତ୍ରୀ ଓ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯିବ। ପ୍ରତି ସମ୍ବେଦନଶୀଳ ସ୍ଥାନରେ ଜାମ୍‍ର ଓ ସିସିଟିଭି ଲଗାଯିବ। ବୁଲେଟ୍‍ପ୍ରୁଫ୍‍ ବଙ୍କର ନିର୍ମାଣ କରାଯାଇ ବିସ୍ଫୋରକ ନିରୋଧୀ ଡଗ୍‍ ସ୍କ୍ୱାଡ୍‍ ନିୟୋଜିତ କରାଯିବ। କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ କ୍ୱିକ୍‍ ଆକକ୍ସନ୍‍ ଟିମ୍‍କୁ ସଜାଗ ରଖାଯିବ। ପ୍ରତି ଦୁଇ ଘଣ୍ଟାରେ ସତର୍କ ପାଣିପାଗ ସମ୍ପର୍କିତ ସୂଚନା ପାଇଁ ଡୋପ୍‍ଲାର ରାଡାରକୁ ସଜାଗ ରଖାଯିବ। ୩,୮୮୦ ମିଟର ଉଚ୍ଚ ଶୃଙ୍ଗରେ ଅବସ୍ଥିତ ଅମରନାଥଙ୍କ ଯାତ୍ରା ଆଗାମୀ ୨୮ ତାରିଖରୁ ଆରମ୍ଭ ହେଉଛି। ଚଳିତ ବର୍ଷ ଅମରନାଥ ଯାତ୍ରା ବେଳେ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମନ୍‍, ସେନାଧ୍ୟକ୍ଷ ଜେନେରାଲ୍‍ ବିପିନ୍‍ ରାୱତ୍‍ ବାଲ୍‍ତାଲ୍‍ ବେସ୍‍ କ୍ୟାମ୍ପକୁ ଯାଇଥିଲେ।

କେବେ ହୋଇଥିଲା ଆକ୍ରମଣ

ପ୍ରତିବର୍ଷ ପ୍ରାୟ ୩ ଲକ୍ଷ ଯାତ୍ରୀ ଅମରନାଥଙ୍କୁ ଦର୍ଶନ କରିବାକୁ ଦୁର୍ଗମ ରାସ୍ତା ଦେଇ ଯାଉଛନ୍ତି। ସେମାନଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧା ପାଇଁ କେନ୍ଦ୍ର ସରକାର ଯଥାସାଧ୍ୟ ଉଦ୍ୟମ କରୁଛନ୍ତି। ତଥାପି ଆତଙ୍କବାଦୀଙ୍କ ଆକ୍ରମଣରେ ଧନଜୀବନ ହାନି ହେଉଛି।
ଗତ ବର୍ଷ ଲସ୍କର ଇ ତୋଇବା ଆତଙ୍କବାଦୀଙ୍କ ଆକ୍ରମଣରେ ଗୁଜରାଟ୍‍ ଓ ମହାରାଷ୍ଟ୍ରର ୬ ମହିଳାଙ୍କ ସମେତ ୧୦ ଜଣ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଶ୍ରୀନଗର-ଜମ୍ମୁ ରାସ୍ତାରେ ଖାନବାଲ୍‍ଠାରେ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‍ ଉପରେ ସକାଳ ୮.୨୦ରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।
ଏହାପୂର୍ବରୁ ୨୦୦୧ରେ ଶେଷନାଗ ଅଞ୍ଚଳରେ ଅମରନାଥ ଯାତ୍ରା ବେଳେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।
୨୦୦୦ ଅଗଷ୍ଟ ୧ ତାରିଖରେ ପାହାଲଗାମ୍‍ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ୩୦ ଜଣ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

kalyan agarbati
Leave A Reply