୨୪ରେ ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ଉତ୍ସବ, ଯୋଗ ଦେବେ ୩ଶହ କଳାକାର

ଖର୍ଚ୍ଚ ହେବ ୨୦ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା, ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ଚାଲିଛି ପ୍ରସ୍ତୁତିପର୍ବ, ଢେଙ୍କାନାଳ ଦୁଲୁଦୁଲିରେ ଦୁଲୁକିବ ସମଗ୍ର ପୀଠ

ଆରଡି :  ମଣିକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ମହୋତ୍ସବ ଚଳିତମାସ ୨୪ରେ ଅର୍ଥାତ ବୁଧବାର ମହାଆଡମ୍ବର ସହ ପାଳିତ ହେବ । ଏଥିପାଇଁ ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ଚାଲିଛି ପ୍ରସ୍ତୁତି ପର୍ବ । ବରପିତାଙ୍କ ପକ୍ଷରୁ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ଈଷ୍ଟଦେବ ଓ ବନ୍ଧୁ ପରିଜନଙ୍କୁ ବଣ୍ଟନ କରାଯାଉଥିବା ବେଳେ ଅନୁରୂପ ଭାବେ କନ୍ୟାପିତାଙ୍କ ପକ୍ଷରୁ ମଧ୍ୟ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଉଛି । ସେହିପରି ମନ୍ଦିର ପକ୍ଷରୁ ଆସନ୍ତା ୧୮ରୁ ନିମନ୍ତ୍ରଣ ରଥ ବାହାରିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି। ଏହି ନିମନ୍ତ୍ରଣ ରଥ ସର୍ବପ୍ରଥମେ ଯାଜପୁରର ମାବିରଜାଙ୍କ ମନ୍ଦିରରେ ନିମନ୍ତ୍ରଣ କରାଯିବା ସହ ପ୍ରର୍ଯ୍ୟାୟକ୍ରମେ ମା’ ଭଦ୍ରକାଳୀ ଓ କେନ୍ଦ୍ରାପଡାର ବଳଦେବଜୀଉଙ୍କୁ ନିମନ୍ତ୍ରଣ କରାଯିବ। ବିଶେଷକରି ସମ୍ପୁର୍ଣ୍ଣ ବୈଦିକ ରୀତିନୀତି ଲୋକାଚାରରେ ବିବାହ ମଣ୍ଡପରେ ଦେବଦମ୍ପତିିଙ୍କ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏହି ବିବାହ ଉତ୍ସବ ନିମନ୍ତେ ଲଗ୍ନଧରା କାର୍ଯ୍ୟ ସମ୍ପୁଣ୍ଣ ହୋଇଥିବା ବେଳେ ୨୩ରେ ମଙ୍ଗଳପାଗ ଅନୁଷ୍ଠିତ ହେବ। ଏହି ଉତ୍ସବର ମୁଖ୍ୟ ଆକର୍ଷଣ ବରାନୁଗମନ ଶୋଭାଯାତ୍ରା। ଚଳିତବର୍ଷ ଏହି ଶୋଭାଯାତ୍ରାରେ ରାଜ୍ୟର କଳାହାଣ୍ଡିର ପ୍ରସିଦ୍ଧ କଟାପା ନୃତ୍ୟ ସହ ବିଭିନ୍ନ ଜିଲାରୁ ପ୍ରାୟ ୩ଶହ କଳାକାର ଯୋଗ ଦେବେ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ପ୍ରକାଶ। ଏଥିପାଇଁ ମନ୍ଦିର ପ୍ରସାସନ ପକ୍ଷରୁ ୫ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ବିଭିନ୍ନ ସଂସ୍ଥା ଓ ସ୍ୱେଛାସେବୀଙ୍କ ପକ୍ଷରୁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ବ୍ୟୟ ଅଟକଳ କରାଯାଇଛି । ଚଳିତ ବିବାହ ଉତ୍ସବ ନିମନ୍ତେ ଶ୍ରୀକ୍ଷେତ୍ର ପୁରୀର ସାହିମେଢ, ଘଣ୍ଟବାଦ୍ୟ, ଗୋଟିପୁଅ ନୃତ୍ୟ କେନ୍ଦୁଝରର କଳସନୃତ୍ୟ, ପଡୋଶୀ ପଶ୍ଚିମବଙ୍ଗ କଲିକତାର ମୟୁରଚୂଳ ବାଦ୍ୟ, ଖୋର୍ଦ୍ଧାର ପାଇକ ଆଖଡା, ଢେଙ୍କାନାଳର ମାଦଳ(ଦୁଲୁଦୁଲି) ବାଦ୍ୟ, ଗଞାମ ବ୍ରହ୍ମପୁରର ଯୋଡିଶଙ୍ଖ, ଛତ୍ରପୁରର ରଣପାକାଳୀ ମେଢନୃତ୍ୟ, ଯାଜପୁରର ତେଲିଙ୍ଗିବାଦ୍ୟ, ଖୋର୍ଦ୍ଧା ଜଟଣୀର ଆଖଡା ଓ ବାଘନାଚ, ଭଦ୍ରକର ପ୍ରସିଦ୍ଧ ଘୋଡାନାଚ, ଡ୍ରମପାଟି ଆଦି କଳାକାରଙ୍କ ଆଗମନ ପାଇଁ ବଇନା ଦିଆଯିବା ଆରମ୍ଭ ହୋଇଛି ବୋଲି ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ପ୍ରକାଶ ପାଇଛି । ତାହାସହ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ କିର୍ତ୍ତନମଣ୍ଡଳୀ ଯୋଗ ଦେବେ ବୋଲି ସୂଚନା ମିଳିଛି । ଚଳିତବର୍ଷ ବିବାହ ଉତ୍ସବରେ ଅଗଣିତ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଆରଡି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ମଲ ପ୍ରକାଶ କରିଛନ୍ତି।

Comments are closed.