ଦିଲ୍ଲୀ ସୀମାରେ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଆନ୍ଦୋଳନରତ କୃଷକମାନେ ଟ୍ରାକ୍ଟର ରାଲି ବାହାର କରିଥିବା ବେଳେ କେତେକ ସ୍ଥାନରେ ପୁଲିସ ବ୍ୟାରିକେଡ଼ ଭାଙ୍ଗି ଉଗ୍ର ରୂପ ଧାରଣ କରିଛନ୍ତି। ସେମାନେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ସୀମାରେ ପୁଲିସର ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ସୀମାରେ ପ୍ରବେଶ କରିଛନ୍ତି। କେତେକ ସ୍ଥାନରେ କୃଷକମାନେ ପଥର ଫିଙ୍ଗିବା ସହ ଆକ୍ରମଣ କରିବା ଫଳରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ଚାଷୀଙ୍କ ଟ୍ରାକ୍ଟର ଯାତ୍ରାକୁ ରୋକିବା ପାଇଁ ସୀମାରେ କରାଯାଇଥିବା ବ୍ୟାରିକେଡ଼ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ କହିଛନ୍ତି ଯେ କୃଷକଙ୍କ ଉପରେ କୌଣସି ପଦକ୍ଷେପ ନେବାକୁ ଆଦେଶ ଦିଆଯାଇ ନାହିଁ। ଚାଷୀଙ୍କୁ ଅଟକାଇବା ବେଳେ ପୁଲିସ ଚୁପ୍ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଚାଷୀଙ୍କ ବିରୋଧ ସମୟରେ ଦିଲ୍ଲୀ ପୁଲିସ ଯବାନ ଦିଲଶାଦ ଡ୍ୟୁଟି କରୁଥିବା ସମୟରେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏହି ସମୟ ମଧ୍ୟରେ ଅନ୍ୟ ପୁଲିସ କର୍ମଚାରୀମାନେ ତାଙ୍କର ଯତ୍ନ ନେଇଥିଲେ। ଚେତା ଆସିବା ହେବା ପରେ ତାଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର କମିଶନର ଦୀପେନ୍ଦ୍ର ପାଠକ କହିଛନ୍ତି ଯେ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି, ଚାଷ ନେତାଙ୍କ ସହ ଆଲୋଚନା ଚାଲିଛି। ଅନ୍ୟ ପକ୍ଷରେ ବୁରାରି ରାସ୍ତାରେ କଂକ୍ରିଟ୍ର ବ୍ୟାରିକେଡିଂ ହଟାଇବା ପାଇଁ କୃଷକମାନେ କ୍ରେନ୍ ସାହାଯ୍ୟରେ ଉଦ୍ୟମ ଚଳାଇଛନ୍ତି।
ଦିଲ୍ଲୀ ଆଇଟିଓ ଅଞ୍ଚଳରେ କୃଷକ ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ସେଠାରେ ବିକ୍ଷୋଭକାରୀମାନେ ପୁଲିସ ଉପରେ ଆକ୍ରମଣ କରିବା ପରେ ପୁଲିସ ଲାଠି ଚାର୍ଜ କରିଛି। ଏଥିରେ ବହୁ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କୁ ଘାଉଡେଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରୁଛି। ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ କୃଷକ ବିକ୍ଷୋଭକାରୀମାନେ ମଧ୍ୟ ପୁଲିସର ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି।
ସୀତାପୁରରେ ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି କରୁଥିବା ଏସପି ବିଧାୟକ ନରେନ୍ଦ୍ର ସିଂ ବର୍ମାଙ୍କୁ ପୁଲିସ ଅଟକ ରଖିଛି। ଅନ୍ୟ ପକ୍ଷରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ କହିଛି ଯେ ଆଇଟିଓ ମେଟ୍ରୋ ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ବନ୍ଦ ରଖାଯାଇଛି। ଏହା ବ୍ୟତୀତ ଇନ୍ଦ୍ରପ୍ରସ୍ଥ ମେଟ୍ରୋ ଷ୍ଟେସନର ମଧ୍ୟ ପ୍ରବେଶ ଓ ପ୍ରସ୍ଥାନ ଫାଟକ ବନ୍ଦ ରଖାଯାଇଛି।



