ଧାୱନ ଓ ବିଜୟଙ୍କ ଶତକ ; ଭାରତ ୬/୩୪୭

0

ବେଙ୍ଗାଲୁରୁ :  ସର୍ବପ୍ରଥମ ମ୍ୟାଚ୍‍ରେ ଟେଷ୍ଟ କ୍ରିକେଟ୍‍ର ବାସ୍ତବତା ଅନୁଭବ କରିପାରିଛି ଆଫ୍‍ଗାନିସ୍ତାନ । ଗୁରୁବାରଠାରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‍ରେ ଆରମ୍ଭ ହୋଇଥିବା ଏହି ଏକମାତ୍ର ଟେଷ୍ଟମ୍ୟାଚ୍‍ରେ ଭାରତୀୟ ଓପ୍‍ନିଂ ଯୋଡ଼ି ଶିଖର ଧାୱନ ଓ ମୁରଲୀ ବିଜୟ ଶତକ ହାସଲ କରିଛନ୍ତି। ବର୍ଷା ବାଧାପ୍ରାପ୍ତ ପ୍ରଥମଦିନର ଶେଷ ଅଧିବେଶନରେ ଆଫ୍‍ଗାନିସ୍ତାନ ୫ଟି ୱିକେଟ ନେଇ ପାରିଥିଲେ ହେଁ ପ୍ରଥମଦିନ ଭାରତ ନାମରେ ଯାଇଛି। ପ୍ରଥମଦିନ ୭୮ ଓଭର ଖେଳ ସମ୍ଭବ ହୋଇଥିବା ବେଳେ ଭାରତ ଦିନର ଶେଷ ସୁଦ୍ଧା ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୩୪୭ ରନ୍‍ କରିପାରିଛି। ଉଲ୍ଲେଖନୀୟ କଥା ହେଉଛି; ଭାରତ ଓଭର ପିଛା ୪.୪୪ ହାରରେ ରନ୍‍ ସ୍କୋର୍‍କରିଛି। ପୁଣି ଆଇସିସି ଟ୍ୱେଣ୍ଟି୨୦ ମାନ୍ୟତାରେ ୧ନଂ ସ୍ଥାନରେ ଥିବା ରସିଦ ଖାଁ ଶହେରୁ ଅଧିକ ରନ୍‍ ବ୍ୟୟ କରିଛନ୍ତି। ପ୍ରଥମଦିନ ଆଫ୍‍ଗାନିସ୍ତାନର ବୋଲର ୫୨ଟି ଚୌକା ଓ ୪ଟି ଛକା ଦେଇଥିଲେ।

ବ୍ୟାଟିଂ ପାଇଁ ଉପଯୋଗୀ ପିଚ୍‍ରେ ଟସ୍‍ ଜିତି ଭାରତ ବ୍ୟାଟିଂ ନେଇଥିଲା। ଦୁଇ ଆଫ୍‍ଗାନ୍‍ ପେସ୍‍ ବୋଲର ଆରମ୍ଭରୁ ବଲ୍‍କୁ ସ୍ୱିଙ୍ଗ୍‍ କରି ପାରିଥିଲେ। ହେଲେ ଭାରତୀୟ ଓପ୍‍ନରଙ୍କ ଉପରେ ଏହାର ପ୍ରଭାବ ପଡ଼ିନଥିଲା। ଆରମ୍ଭରୁ ହିଁ ଭାରତୀୟ ଓପ୍‍ନର ପ୍ରଧାନ୍ୟ ବିସ୍ତାରକରି ଖେଳିଥିଲେ ଏନଂ ନିୟମିତ ଭାବେ ବାଉଣ୍ଡରୀ ମାରି ଚାଲିଥିଲେ। ବିଶେଷକରି ବାମହାତି ଶିଖର ଧାୱନ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଭାରତ ଏକଦା ୧ ୱିକେଟରେ ୨୮୦ ରନ୍‍ କରିଥିଲା। ଏହାପରେ ବର୍ଷା ଯୋଗୁଁ ପାଖାପାଖି ୨ ଘଣ୍ଟା ଖେଳ ବନ୍ଦ ରହିଥିଲା। ହେଲେ ଅନ୍ତିମ ଅଧିବେଶନ୍‍ରେ ଭାରତର ମାତ୍ର ୬୩ ରନ୍‍ ଯୋଗକରି ୫ଟି ୱିକେଟ ହରାଇଥିଲା। ଭୋଜନ ବିରତି ପୂର୍ବରୁ ଶତକ ଅର୍ଜନ କରିଥିବା ଶିଖର ଧାୱନ ବିରତି ପରେ ଆଉଟ ହୋଇ ଯାଇଥିଲେ। ଏହା ପୂର୍ବରୁ ଧାୱନ ୯୬ ବଲ୍‍ରୁ ୩ଟି ଛକା ଓ ୧୯ଟି ଚୌକା ସହ ୧୦୭ ରନ୍‍ କରିଥିଲେ। ଧାୱନଙ୍କର ଏହା ୭ମ ଟେଷ୍ଟ ଶତକ। ୧୬୮ ରନ୍‍ର ଓପ୍‍ନିଂ ଭାଗିଦାରୀ ଭାଙ୍ଗିଯିବା ପରେ କେ.ଏଲ୍‍. ରାହୁଲ ଆସି ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ମୁରଲୀ ବିଜୟଙ୍କ ସହ ୨ୟ ୱିକେଟ ପାଇଁ ଦ୍ରୁତ ୧୧୨ ରନ୍‍ ଯୋଗ କରିଥିଲେ। ରାହୁଲ ୬୪ ବଲ୍‍ରୁ ୮ଟି ଚୌକା ସହ ଆକର୍ଷଣୀୟ ୫୪ ରନ୍‍କରି ଆଉଟ ହୋଇଥିଲେ। ବର୍ଷା ବିରତି ପରେ ବିଜୟ ଶତକ ଅର୍ଜନ କରିଥିଲେ। ଗୋଟିଏ ଛକା ଓ ୧୫ଟି ଚୌକା ସହ ବିଜୟ ୧୦୫ ରନ୍‍କରି ଆଉଟ ହୋଇଥିଲେ। ବିଜୟଙ୍କର ଏହା ୧୨ଶ ଟେଷ୍ଟ ଶତକ। ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୦ ରନ୍‍କରି ଆଉଟ ହୋଇଥିଲେ। ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା ୫୨ ବଲ୍‍ରୁ ୬ଟି ଚୌକା ସହ ୩୫ ରନ୍‍କରି ବିଦାୟ ନେଇଥିଲେ। ବହୁତ ବର୍ଷ ପରେ ଟେଷ୍ଟ ଦଳକୁ ଫେରିଥିବା ଦିନେଶ କାର୍ତ୍ତିକ ୪ ରନ୍‍କରି ରନ୍‍ଆଉଟ ହୋଇଥିଲେ। ଷ୍ଟମ୍ପ୍‍ ଅପସାରଣ ବେଳକୁ ହାର୍ଦିକ ପାଣ୍ଡ୍ୟା ୧୦ ଓ ରବିଚନ୍ଦ୍ରନ ଅଶ୍ୱିନ ୭ ରନ୍‍କରି ଅପରାଜିତ ରହିଛନ୍ତି। ପେସ୍‍ ବୋଲର ୟାମିନ୍‍ ଅହମ୍ମଦଜାଇ ୨ଟି ଏବଂ ୱାଫାଦାର, ରସିଦ୍‍ ଖାଁ ଓ ମୁଜିବ୍‍ ଉର୍‍ ରେହ୍‍ମାନ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ। ଟେଷ୍ଟ କ୍ରିକେଟ୍‍ରେ ଆଫ୍‍ଗାନିସ୍ତାନ ପଦାର୍ପଣ କରିଥିଲେ ହେଁ ମ୍ୟାଚ୍‍ ଦେଖିବା ପାଇଁ ପ୍ରଥମଦିନରେ ବହୁତ କମ୍‍ ଦର୍ଶକ ଉପସ୍ଥିତ ଥିଲେ।

Leave A Reply