ଡା.ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ: ୧୧ ବର୍ଷ ପରେ ଦକ୍ଷତା ପରୀକ୍ଷା, ଦଶହରାରେ ମିଳିଲାନି ଦରମା

ମିନି ଫାର୍ମାସି ବନ୍ଦ ଘଟଣା, ଗଠନ ହେଲା ତଦାରଖ କମିଟି

ଭୁବନେଶ୍ବର:ଡା. ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ମିନି ଫାର୍ମାସି ବିବାଦ ନୂଆ ମୋଡ଼ ନେଇଛି। ଫାର୍ମାସି ବନ୍ଦ ରହିଥିବାବେଳେ କାର୍ଯ୍ୟରୁ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ତେବେ ଏହାର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି। କମିଟି ଏ ଦିଗରେ ତଦାରଖ କରି ବିବରଣୀ ଦେଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଛଟେଇ ହୋଇଥିବା କର୍ମଚାରୀଙ୍କ ମାର୍ଚ୍ଚରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ବକେୟା ଦରମା ମିଳିନାହିଁ। ଦଶହରା ସମୟରେ ଦରମା ନ ମିଳିବାରୁ ସେମାନେ ଅସନ୍ତୋଷ ଜାହିର କରିଛନ୍ତି।

prayash

ଡା. ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ପରିସରରେ ଥିବା ମିନି ଫାର୍ମାସିରେ ଗତ ୨ ମାସ ହେବ ତାଲା ପଡ଼ିଛି। ଫାର୍ମାସି କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପରେ ଏବେ ଔଷଧ ତିଆରି କାର୍ଯ୍ୟ ବନ୍ଦ ରହିଛି। ସେହିିପରି ଛଟେଇ ହୋଇଥିବା କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ମିଳିପାରିଲା ନାହିଁ। ତେବେ ଏନେଇ ଏକ କମିଟି ଗଠନ କରାଯାଇଛି। କମିଟିରେ ଆୟୁଷ ନିର୍ଦେଶାଳୟର ଉପନିର୍ଦେଶକ, ନୋଡାଲ ଅଧିକାରୀ, ଆୟୁର୍ବେଦ ଭେଷଜ ନିୟନ୍ତ୍ରକ ଏବଂ ବିତ୍ତ ଅଧିକାରୀ ରହିଛନ୍ତି। କମିଟିର ଯାଞ୍ଚ ପରେ ଏ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ଫାର୍ମାସିରେ କାର୍ଯ୍ୟରତ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଏବଂ କିଭଳି କୁଶଳୀରୁ ଉଚ୍ଚକୁଶଳୀ ଭାବେ କାର୍ଯ୍ୟ କଲେ ତାହାର ତଦାରଖ ଏହି କମିଟି କରିବ। ଅଭିଜ୍ଞତା ଆଧାରରେ ତତ୍‌କାଳୀନ ଆୟୁଷ ନିର୍ଦେଶକ ଓ ଅଧ୍ୟକ୍ଷଙ୍କ ନିଷ୍ପତ୍ତି ଅନୁସାରେ ଏକ କମିଟି ଗଠନ କରାଯାଇ ତାଙ୍କୁ ଉଚ୍ଚକୁଶଳୀ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଥିଲା। ହେଲେ ବିନା କୌଣସି ନୋଟିସରେ ଦରମା ନ ଦେଇ ହଠାତ୍‌ କାର୍ଯ୍ୟରୁ ଅନ୍ତର କରାଯାଇଛି। ୨୦୧୫ରୁ ଉଚ୍ଚକୁଶଳୀ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ୮ ବର୍ଷ ପରେ କାହିଁକି କେଁ ବାହାରିଲା ବୋଲି ଅନେକ କର୍ମଚାରୀ ପ୍ରଶ୍ନ କରିଛନ୍ତି। ଏତେ ଦିନ ହେଲା ନିର୍ଦେଶକ ଓ ନିର୍ଦେଶାଳୟ କ’ଣ କରୁଥି‌ଲେ, ଯଦି କୌଣସି ବେନିୟମ କାର୍ଯ୍ୟ ହୋଇଛି କାହିଁକି ପୂର୍ବରୁ ବା ଆରମ୍ଭରୁ ସମାଧାନ କଲେ ନାହିଁ ବୋଲି କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି। ତେବେ ପୂଜା ପରେ ଏହି କମିଟି ଯାଞ୍ଚ କରି ବିବରଣୀ ଦେବା ପରେ ସେହି ଆଧାରରେ କାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ମିନି ଫାର୍ମାସିରେ ଔଷଧ ପ୍ରସ୍ତୁତ ହେଲେ ରାଜ୍ୟର ୫୬୦ ଡିସ୍ପେନସାରୀ ସହିତ ୪ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟକୁ ଔଷଧ ପଠାଯାଇଥାଏ। ଏବେ ମିନି ଫାର୍ମାସି ବନ୍ଦ ରହିଥିବାବେଳେ କେବେ କର୍ମଚାରୀ ନିଯୁକ୍ତି ପାଇବେ ଏବଂ କାର୍ଯ୍ୟ ଆରମ୍ଭ ହେବ ବୋଲି ଅନେକ ପ୍ରଶ୍ନ କରିଛନ୍ତି।

Comments are closed.