www.samajalive.in
Sunday, December 7, 2025
18.1 C
Bhubaneswar

ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ମହାନିଦ୍ଦେର୍ଶକ ଅଭୟ ପାଢ଼ୀଙ୍କ ପରଲୋକ

ସମ୍ବଲପୁର : ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ ଅଭୟ କୁମାର ପାଢ଼ୀଙ୍କ ସୋମବାର ପୂର୍ବାହ୍ନରେ ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବିଗତ କିଛି ଦିନ ହେବ ସେ କରୋନା ରୋଗରେ ପୀଡିତ ହୋଇଥିବାରୁ ପ୍ରାୟ ୭ ଦିନ ହେବ ବରଗଡ ସ୍ଥିତ ବିକାଶ ହସ୍ପିଟାଲରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଅପରାହ୍ନରେ ତାଙ୍କର ପାର୍ଥିବ ଶରୀରକୁ ତାଙ୍କର ଜନ୍ମମାଟି ସମ୍ବଲପୁରକୁ ଅଣାଯାଇ କମଳି ବଜାର ସ୍ଥିତ ରାଜଘାଟରେ କୋଭିଡ – ୧୯ ନିୟମାନୁଯାୟୀ ଅନ୍ତିମ ସଂସ୍କାର କରାଯାଇଛି।

ସ୍ଥାନୀୟ ପଟ୍ଟନାୟକପଡା ନିବାସୀ ଅଭୟ ୧୬ ସେପ୍ଟେମ୍ବର ୧୯୪୯ରେ ଜନ୍ମଗ୍ରହଣ କରିଥିଲେ। ସ୍ଥାନୀୟ ପଟ୍ଟନାୟକପଡା ପ୍ରାଥମିକ ବିଦ୍ୟାଳୟ ଏବଂ ଟାଉନ ହାଇସ୍କୁଲରୁ ଶିକ୍ଷା ଗ୍ରହଣ ପରେ ସେ ଗଙ୍ଗାଧର ମେହେର ମହାବିଦ୍ୟାଳୟ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଇଂରାଜୀ ସ୍ନାତ୍ତୋକତ୍ତର ଡିଗ୍ରି ହାସଲ କରିଥିଲେ। ଏହା ପରେ ସେ କିଛି ସମୟ ପର୍ଯ୍ୟନ୍ତ ବରଗଡ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ଇଣ୍ଡିଆନ ଇନଫରମେସନ ସାର୍ଭିସରେ ସାମିଲ ହୋଇଯାଇ ଆକାଶବାଣୀର ଟ୍ରାନ୍ସମିସନ୍ ଏକଜ୍ୟୁକିଟିଭ ଭାବରେ କାର୍ଯ୍ୟାରମ୍ଭ କରିଥିଲେ। ସେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ବିଭିନ୍ନ ପଦରେ ସଫଳତାର ସହିତ କାର୍ଯ୍ୟ କରିଥିଲେ। ସେ ସମ୍ବଲପୁର ଓ କଟକ ଅଲ ଇଣ୍ଡିଆ ରେଡିଓ ଷ୍ଟେସନର ନିର୍ଦ୍ଦେଶକ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ସେ ଉତ୍ତର ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ, ମିଜୋରାମ ରାଜ୍ୟରେ ମଧ୍ୟ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ସେ ତାଙ୍କର କାର୍ଯ୍ୟକାଳର ଶେଷ କିଛି ବର୍ଷ ସମୟରେ ପ୍ରସାର ଭାରତୀର ଅତିରିକ୍ତ ମହା ନିର୍ଦ୍ଦେଶକ ପଦରେ ଅଭିସିକ୍ତ ହୋଇଥିଲେ ଏବଂ ସେହି ପଦରୁ ଅବସର ଗ୍ରହଣ କରିଥିଲେ।

- Advertisement -

ସ୍ୱର୍ଗତ ପାଢ଼ୀ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ହେବା ସହିତ ଏକାଧାରରେ ପ୍ରବନ୍ଧ ଲେଖକ, ଗୀତିକାର, କବି ଏବଂ ସମାଜ ସୁଧାରକ ଥିଲେ। ସେ ତାଙ୍କର ବ୍ୟସ୍ତବହୁଳ ଚାକିରୀ ସମୟରେ ମଧ୍ୟ ସମୟ ବାହାର କରି ସାହିତ୍ୟ ଓ ସାମାଜିକ ସୁଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ସେ ତାଙ୍କର ମାତୃଭାଷା ‘ସମ୍ବଲପୁରୀ’ କୁ ନେଇ ବେଶ ସମ୍ବେଦନଶୀଳ ଥିଲେ। ସେ ରେଡିଓରେ ପ୍ରସାରିତ ସିରିଆଲ ‘ଟିକେ ସୁନୁନ ତ’ ରେ ନିଜର ସ୍ୱର ଦେଇଥିଲେ ଏବଂ ରେଡିଓରେ ପ୍ରସାରିତ କାର୍ଯ୍ୟକ୍ରମ ‘ଗୁଲା ଗୁପା’ ର ଲେଖକ ଥିଲେ। ବହୁମୁଖୀ ପ୍ରତିଭାର ଧନୀ ଅଭୟ କିଛି ସମୟ ପାଇଁ ଢ଼େଙ୍କାନାଳ ସ୍ଥିତ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ମାସ କମ୍ୟୁନିକେସନ ଠାରେ ବିଦ୍ୟାର୍ଥୀ ମାନଙ୍କୁ ପତ୍ରକାରିତାର ପାଠ ମଧ୍ୟ ପଢ଼ାଇ ଥିଲେ। ସ୍ୱର୍ଗତ ଅଭୟ ତାଙ୍କ ପଛରେ ଶିକ୍ଷାବିତ ଧର୍ମପତ୍ନୀ ବାସନ୍ତି ମହାନ୍ତି, ପୁତ୍ର ବିଶ୍ୱରୂପ ପାଢ଼ୀ, ପୁତ୍ରୀ ଡ. ନେହା ପାଢ଼ୀ ଓ ପରିବାରବର୍ଗଙ୍କୁ ଛାଡି ଯାଇଛନ୍ତି। ଅଭୟଙ୍କ ଅଚାନକ ବିୟୋଗ ଖବର ମିଳିବା ପରେ ସମଗ୍ର ଓଡିଶାର ଶୋକର ଛାୟା ଖେଳିଯାଇଛି।

 

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories