ଶେଷ ବଲ୍‍ରେ ଦିଲ୍ଲୀ ବିଜୟୀ

0

ମୁମ୍ବଇ : ଆଇପିଏଲ୍‍-୧୧ରେ କ୍ରମାଗତ ୩ୟ ମ୍ୟାଚ୍‍ରେ ପରାସ୍ତ ହୋଇଛି ଗତବର୍ଷର ଚମ୍ପିଆନ୍‍ ମୁମ୍ବଇ ଇଣ୍ଡିଆନ୍‍ସ। ଶନିବାର ଓପ୍‍ନର ଜେସନ୍‍ ରୟଙ୍କ ଅପରାଜିତ ୯୧ ରନ୍‍ ବଳରେ ମୁମ୍ବଇକୁ ୭ ୱିକେଟରେ ଦିଲ୍ଲୀ ଡେୟାରଡେଭିଲ୍‍ସ ପରାସ୍ତ କରିଛି। ସୂର୍ଯ୍ୟକୁମାର ଯାଦବ, ଏଭିନ୍‍ ଲୁଇସ୍‍ ଓ ଇଶାନ୍‍ କିଶନ୍‍ଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ମୁମ୍ବଇ ଇଣ୍ଡିଆନ୍‍ସ ୭ ୱିକେଟରେ ୧୯୪ ରନ୍‍ କରିଥିଲା। ପରେ ରୟଙ୍କ ଅପରାଜିତ ୯୧ ରନ୍‍ ବଳରେ ଶେଷ ବଲ୍‍ରେ ୩ ୱିକେଟ ହରାଇ ଦିଲ୍ଲୀ ଜିତିଥିଲା। ୩ୟ ମ୍ୟାଚ୍‍ରେ ଏହା ଦିଲ୍ଲୀର ପ୍ରଥମ ବିଜୟ।
ସମ୍ମୁଖରେ ୧୯୫ ରନ୍‍ କଷ୍ଟସାଧ୍ୟ ଲକ୍ଷ୍ୟ ଥିବା ବେଳେ ଦିଲ୍ଲୀର ଓପ୍‍ନର ଜେସନ୍‍ ରୟ ଝଡ଼ ପରି ଇନିଂସ ଆରମ୍ଭ କରିଥିଲେ। ଓପ୍‍ନିଂ ଯୋଡ଼ି ୫ ଓଭରରେ ୫୦ ରନ୍‍ କରିବା ପରେ ଅଧିନାୟକ ଗୌତମ ଗମ୍ଭୀର ୧୫ ରନ୍‍କରି ବିଦାୟ ନେଇଥିଲେ। ପରେ ଜେସନ୍‍ ରୟ ଓ ଋଷଭ ପନ୍ତ୍‍ ଆକ୍ରମଣାତ୍ମକ ବ୍ୟାଟିଂକରି ୪୦ ବଲ୍‍ରୁ ୬୯ ରନ୍‍ ଯୋଡ଼ିଥିଲେ। ବାମହାତି ପନ୍ତ୍‍ ୨୫ ବଲ୍‍ରୁ ୨ଟି ଛକା ଓ ୬ଟି ଚୌକା ସହ ୪୭ ରନ୍‍ କରିଥିଲେ। ପରେ ଗ୍ଲେନ୍‍ ମ୍ୟାକ୍ସୱେଲ ଦ୍ରୁତ ୧୩ ରନ୍‍କରି ବିଦାୟ ନେଇଥିଲେ। ପରେ ଶ୍ରେୟାସ ଆୟର ଓ ଜେସନ୍‍ ରୟ ଅବିଭାଜିତ ୬୦ ରନ୍‍ ଯୋଡ଼ି ଦଳକୁ ଜିତାଇଥିଲେ। ଆୟର ୨୦ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୭ ରନ୍‍କରି ଅପରାଜିତ ଥିଲେ। ଶେଷ ଓଭରରେ ଦିଲ୍ଲୀ ୧୧ ରନ୍‍ ଆବଶ୍ୟକ କରୁଥିବା ବେଳେ ରୟ ପ୍ରଥମ ୨ଟି ବଲ୍‍ରୁ ଛକା ଓ ଚୌକା ମାରିଥିଲେ ହେଁ ପରବର୍ତ୍ତୀ ୩ଟି ବଲ୍‍ରେ ରନ୍‍ ନେଇ ପାରିନଥିଲେ। ଶେଷ ବଲ୍‍ରେ ସେ ଦଳକୁ ଜିତାଇଥିଲେ। ରୟ ୫୩ ବଲ୍‍ରୁ ୬ଟି ଲେଖାଏଁ ଛକା ଓ ଚୌକା ସହ ୯୧ ରନ୍‍ କରିଥିଲେ। ମ୍ୟାଚ୍‍ ବିଜୟୀ ଇନିଂସ ପାଇଁ ରୟ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ପ୍ରଥମ ୨ଟି ମ୍ୟାଚ୍‍ ହାରିଥିବା ଗତବର୍ଷର ଚମ୍ପିଆନ୍‍ ମୁମ୍ବଇ ଇଣ୍ଡିଆନ୍‍ସ ଏହି ମ୍ୟାଚ୍‍ରେ ଆକ୍ରମଣାତ୍ମକ ମନୋଭାବ ନେଇ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ୧୩ ଓଭର ଶେଷରେ ମୁମ୍ବଇ ୨ ୱିକେଟରେ ୧୪୧ ରନ୍‍କରି ବିଶାଳ ସ୍କୋର୍‍ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଦିଲ୍ଲୀ ଡେୟାରଡେଭିଲ୍‍ସର ବୋଲର ଶେଷ ୭ ଓଭରରେ ଲଢ଼ୁଆ ପ୍ରଦର୍ଶନ କରି ମାତ୍ର ୫୩ ରନ୍‍ ଦେବା ସହ ୫ଟି ୱିକେଟ ନେଇ ପାରିଥିଲେ। ଡେୟାରଡେଭିଲ୍‍ସ ଟସ୍‍ ଜିତି ଫିଲ୍‍ଡିଂ ନେବା ପରେ ମୁମ୍ବଇ ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଓପନ୍‍ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ ଓ ୱେଷ୍ଟଇଣ୍ଡିଜ୍‍ର ଓପ୍‍ନର ଏଭିନ୍‍ ଲୁଇସ୍‍ ବିସ୍ଫୋରକ ବ୍ୟାଟିଂକରି ୩ୟ ଓଭରରେ ୫୦ ରନ୍‍ ପାର କରିଥିବା ବେଳେ ୬ ଓଭରର ପାୱରପ୍ଲେ ଶେଷରେ ୮୪ ରନ୍‍ କରିଥିଲା। ୯ ଓଭରରେ ଓପ୍‍ନିଂ ଯୋଡ଼ି ୧୦୨ ରନ୍‍ କରିବା ପରେ ବାମହାତି ଲୁଇସ୍‍ ଆଉଟ ହୋଇଥିଲେ। ସେ ୨୮ ବଲ୍‍ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୪୯ ରନ୍‍ କରିଥିଲେ। ସୂର୍ଯ୍ୟକୁମାର ୩୨ ବଲ୍‍ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୫୩ ରନ୍‍ କରିଥିଲେ। ତେବେ ମୁମ୍ବଇ ପାଇଁ ସବୁଠାରୁ ବିଧ୍ୱଂସୀ ଇନିଂସ ଖେଳିଥିଲେ ଝାଡ଼ଖଣ୍ଡର ବାମହାତି ଈଶାନ୍‍ କିଷନ୍‍। ରୋହିତଙ୍କ ସହ କିଷନ୍‍ ୫୭ ରନ୍‍ ଯୋଡ଼ିଥିଲେ। କିଷନ୍‍ ୨୩ ବଲ୍‍ରୁ ୨ଟି ଛକା ଓ ୫ଟି ଚୌକା ସହ ୪୪ ରନ୍‍ କରିଥିଲେ। ରୋହିତ ପୁଣି ବିଫଳ ହୋଇ ୧୫ ବଲ୍‍ରୁ ୧୮ ରନ୍‍ କରିଥିଲେ। ପରେ କ୍ରୁନାଲ ୧୧ ରନ୍‍ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ଟ୍ରେଣ୍ଟ୍‍୍‍ ବୋଲ୍‍ଟ, ଡାନିଏଲ୍‍ କ୍ରିଷ୍ଟିଆନ୍‍ ଓ ରାହୁଲ ତିୱାତିଆ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Leave A Reply