ଗଛର ଅଧିକାର ସାବ୍ୟସ୍ତ କରିବ ପ୍ରଶାନ୍ତ ନନ୍ଦଙ୍କ ‘ବୃକ୍ଷମ୍‍’

0

କଟକ : ଗଛର ବାକ୍‍ଶକ୍ତି ନଥିଲେ ବି ଜିଇବାର ଅଧିକାର ରହିଛି। ସୃଷ୍ଟିର ସ୍ଥିତି ଲାଗି ଗଛର ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲେ ସୁଦ୍ଧା ଅତ୍ୟାଧୁନିକତାର ଚାକଚକ୍ୟରେ ଅନ୍ଧ ମଣିଷ ଅପରିଣାମଦର୍ଶୀ ଭାବେ ଗଛ କାଟି ଚାଲିଛି। ନିଜ ଜୀବନକୁ ରଙ୍ଗମୟ କରିବା ଲାଗି ଗଛକୁ ବଳି ପକାଉଛି। ଗଛର ପ୍ରତିବାଦ କରିବାର ଜୁ’ ନଥିଲେ ବି ତା’ ଆତ୍ମାରେ ବିଦ୍ରୋହ ସୃଷ୍ଟି ହେଉଛି। ଏହି ବିଦ୍ରୋହର ସ୍ୱରକୁ ପରଦା ଉପରେ ପ୍ରତିଧ୍ୱନିତ କରିବ ପ୍ରଶାନ୍ତ ନନ୍ଦଙ୍କ ଆଗାମୀ ଚଳଚ୍ଚିତ୍ର ‘ବୃକ୍ଷମ୍‍’। ନବନିର୍ବାଚିତ ରାଜ୍ୟସଭା ସାଂସଦ ଶ୍ରୀ ନନ୍ଦ ଆଜି ‘ସମାଜ’ କାର୍ଯ୍ୟାଳୟ ଆସିଥିବା ବେଳେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏକ ସୌଜନ୍ୟମୂଳକ ପରିଦର୍ଶନରେ ଆସି ଶ୍ରୀ ନନ୍ଦ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସହ ଅନ୍ୟ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ସାଂସଦ ଭାବେ ନିର୍ବାଚିତ ହେବା ପରେ ବି ସେ ସିନେମାରୁ ଦୂରେଇଯିବେ ନାହିଁ। ତେବେ ବ୍ୟାବସାୟିକ ବଦଳରେ ସାମାଜିକ ପ୍ରସଙ୍ଗକୁ ନେଇ ସିନେମା କରିବେ। ଏହି କ୍ରମରେ ତାଙ୍କର ଆଗାମୀ ସିନେମା ହେଉଛି ‘ବୃକ୍ଷମ୍‍’। ଏହାର ସ୍କ୍ରିପ୍ଟ ପ୍ରସ୍ତୁତି ସରିଥିଲେ ମଧ୍ୟ ରାଜ୍ୟସଭା ନିର୍ବାଚନରେ ବ୍ୟସ୍ତ ରହି ସେ ଏହାର କାମ ଆଗେଇ ପାରିନାହାନ୍ତି। ସାଂସଦ ଭାବେ ଓଡ଼ିଶାର ନ୍ୟାଯ୍ୟ ଦାବି ପ୍ରତି ସ୍ୱର ଉତ୍ତୋଳନ କରିବା ସହିତ ଓଡ଼ିଶାର ଜନଜାତିମାନଙ୍କର ବିକାଶ ଏବଂ ସମ୍ବିଧାନର ପଞ୍ଚମ ପରିଶିଷ୍ଟରେ ସେମାନଙ୍କର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ସେ ଗୁରୁତ୍ୱ ଦେବେ ବୋଲି ଶ୍ରୀ ନନ୍ଦ କହିଥିଲେ। ତାଙ୍କ ସହ ଆଲୋଚନାରେ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ତଥା ଅଙ୍ଗଦାନ ଅଭିଯାନର ଆବାହକ ଡ. ପ୍ରଭାସ ଆଚାର୍ଯ୍ୟ ଏବଂ ସମାଜର ବାର୍ତ୍ତା ସମ୍ପାଦକ ସୁଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply