କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଟିକସ ଛାଡ଼ ସୀମା ୨୦ ଲକ୍ଷ ହେଲା

0

ନୂଆଦିଲ୍ଲୀ : ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଭଲ ଖବର। କାରଣ କେନ୍ଦ୍ର ସରକାର ପେମେଣ୍ଟ ଅଫ୍‍ ଗ୍ରାଚ୍ୟୁଇଟି (ସଂଶୋଧନ) ବିଲ୍‍ ୨୦୧୭ ଆଇନରେ ସଂଶୋଧନ କରିଛନ୍ତି। ଏହା ଫଳରେ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ଟିକସ ମୁକ୍ତ ଗ୍ରାଚ୍ୟୁଇଟି ସୀମାରେ ଦୁଇ ଗୁଣ ବୃଦ୍ଧି ଘଟି ୨୦ ଲକ୍ଷ ଟଙ୍କା ହୋଇଛି। ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଲ୍‍କୁ ଅନୁମୋଦନ ମିଳିବା ପରେ ଦେଶର ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନେ ଗ୍ରାଚ୍ୟୁଇଟି ଉପରେ ୨୦ ଲକ୍ଷ ଟଙ୍କା ଯାଏ ଟିକସ ରିଆତି ପାଇବାକୁ ହକଦାର ହୋଇଛନ୍ତି। ଚଳିତମାସ ପ୍ରାରମ୍ଭରେ ଏ ସମ୍ପର୍କିତ ସଂଶୋଧନ ବିଲ୍‍ ସଂସଦରେ ଅନୁମୋଦନ ଲାଭ କରିଥିଲା। ଏହି ବିଲ୍‍ ମାତୃତ୍ୱ ଅବକାଶ ସ୍ଥିର କରିବା କ୍ଷେତ୍ରରେ ସରକାରଙ୍କୁ ଅଧିକ କ୍ଷମତା ପ୍ରଦାନ କରିଛି। ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସହ ସମାନ୍ତରାଳ ଭାବେ ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ଉପରେ ୨୦ ଲକ୍ଷ ଟଙ୍କା ଯାଏ ଟିକସ ରିଆତି ଦେବାକୁ ଲକ୍ଷ୍ୟ ରଖି ଆଇନରେ ଏହି ସଂଶୋଧନ କରିଛନ୍ତି। ବର୍ତ୍ତମାନ ଜଣେ ମହିଳା କର୍ମଚାରୀଙ୍କୁ ସର୍ବାଧିକ ୨୬ ସପ୍ତାହର ମାତୃତ୍ୱ ଅବକାଶ ମିଳୁଛିି। ୭ମ କେନ୍ଦ୍ରୀୟ ବେତନ ଆୟୋଗ କାର୍ଯ୍ୟକାରୀ କରାଯିବା ପରେ କେନ୍ଦ୍ର କର୍ମଚାରୀଙ୍କ ଟିକସମୁକ୍ତ ଗ୍ରାଚ୍ୟୁଇଟି ସୀମାକୁ ୧୦ ଲକ୍ଷ ଟଙ୍କାରୁ ୨୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ଦୀର୍ଘ ଦିନ ହେବ ଶ୍ରମିକ ସଂଗଠନଗୁଡିକ ପେମେଣ୍ଟ ଅଫ୍‍ ଗ୍ରାଚ୍ୟୁଇଟି ଆଇନରେ ସଂଶୋଧନ ଦାବି କରିଆସୁଥିଲେ। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଗୋଟିଏ ସଂସ୍ଥାନରେ କ୍ରମାଗତ ଭାବେ ଅତିକମ୍‍ରେ ୫ବର୍ଷ କାର୍ଯ୍ୟ କରିଥିବା କର୍ମଚାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ। ଏହାଛଡା ଉକ୍ତ ସଂସ୍ଥାନରେ ୧୦ କିମ୍ବା ତାଠାରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଥିବା ଆବଶ୍ୟକ।

Leave A Reply