ପଞ୍ଜାବକୁ ଜିତାଇଲେ ମୁଜିବ୍‌, ରାହୁଲ

0

ଇନ୍ଦୋର : ଆଇପିଏଲ୍‌-୧୧ର ୩୮ତମ ମ୍ୟାଚ୍‌ରେ ବିଜୟୀ ହୋଇଛି କିଙ୍ଗ୍‌ସ ଏକାଦଶ ପଞ୍ଜାବ। ରବିବାର ସନ୍ଧ୍ୟାର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସକୁ ୬ ୱିକେଟରେ ପଞ୍ଜାବ ପରାସ୍ତ କରିଛି। ଜୋସ୍‌ ବଟ୍‌ଲରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମୁଜିବ୍‌ ଉର୍‌ ରେହ୍‌ମାନ ୩ଟି ୱିକେଟ ନେବାରୁ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ରୟାଲ୍‌ସ ୯ ୱିକେଟ ହରାଇ ୧୫୨ ରନ୍‌ କରି ପାରିଥିଲା। ପରେ କେ.ଏଲ୍‌. ରାହୁଲଙ୍କ ଅପରାଜିତ ୮୪ ରନ୍‌ ବଳରେ ୧୮.୪ ଓଭରରେ ୪ ୱିକେଟ ହରାଇ ପଞ୍ଜାବ ଜିତିଥିଲା। ୯ମ ମ୍ୟାଚ୍‌ରେ ପଞ୍ଜାବର ଏହା ୬ଷ୍ଠ ବିଜୟ। ରାଜସ୍ଥାନ ୯ମ ମ୍ୟାଚ୍‌ରେ ୬ଷ୍ଟ ପରାଜୟ ଭୋଗିଛି।
୧୫୩ ରନ୍‌ର ବିଜୟଲକ୍ଷ୍ୟ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପାଇଁ ସହଜ ମନେ ହେଉଥିଲା। ତେବେ ରାଜସ୍ଥାନ ରୟାଲ୍‌ସର ବୋଲର ଚମତ୍କାର ବୋଲିଂକରି ମ୍ୟାଚ୍‌କୁ ସଂଘର୍ଷପୂର୍ଣ୍ଣ କରି ପାରିଥିଲେ। ଓପ୍‌ନିଂ ଯୋଡ଼ି ୨୩ ରନ୍‌ କରିବା ପରେ କ୍ରିସ୍‌ ଗେଲ୍‌ ୮ ରନ୍‌କରି ଆଉଟ ହୋଇଥିଲେ। ପରେ ମୟଙ୍କ ଅଗ୍ରୱାଲ ୨ ରନ୍‌କରି ବିଦାୟ ନେଇଥିଲେ। ୨୯ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ କର୍ଣ୍ଣାଟକର ଦୁଇ ବ୍ୟାଟ୍‌ସମ୍ୟାନ୍‌ କେ.ଏଲ୍‌. ରାହୁଲ ଓ କରୁଣ ନାୟାର ୬ ଓଭରରେ ୫୦ ରନ୍‌ ଯୋଡ଼ିଥିଲେ। ନାୟାର ୨୩ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୧ ରନ୍‌କରି ଆଉଟ ହେବା ପରେ ଅକ୍ଷର ପଟେଲ ୪ ରନ୍‌କରି ବିଦାୟ ନେଇଥିଲେ। ଆରମ୍ଭରୁ ଦ୍ରୁତଗତିରେ ସ୍କୋର୍‌ କରିଥିବା ରାହୁଲ ପରେ ଧିମେଇ ଯାଇଥିଲେ। ୮୭ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ ରାହୁଲ ଓ ମାର୍କସ ଷ୍ଟୋଇନିସ୍‌ ସ୍କୋର୍‌କୁ ଆଗେଇ ନେଇଥିଲେ। ଶେଷ ୪ ଓଭରରୁ ପଞ୍ଜାବ ୪୩ ରନ୍‌ ଆବଶ୍ୟକ କରୁଥିବା ବେଳେ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ ଜିତିଥିଲା। ୪୩ ବଲ୍‌ରୁ ୪୮ ରନ୍‌ କରିଥିବା ରାହୁଲ ପରବର୍ତ୍ତୀ ୧୧ ବଲ୍‌ରୁ ୩୬ ରନ୍‌ ନେଇ ଦଳକୁ ଜିତାଇଥିଲେ। ରାହୁଲ ୫୪ ବଲ୍‌ରୁ ୩ଟି ଛକା ଓ ୭ଟି ଚୌକା ସହ ୮୪ ରନ୍‌କରି ଅପରାଜିତ ଥିଲେ। ଷ୍ଟୋଇନିସ୍‌ ୧୬ ବଲ୍‌ରୁ ୨୩ ରନ୍‌କରି ଅପରାଜିତ ଥିଲେ।
କିଙ୍ଗ୍‌ସ ଏକାଦଶ ପଞ୍ଜାବ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ରାଜସ୍ଥାନ ରୟାଲ୍‌ସ ସହଳ ୨ଟି ୱିକେଟ ହରାଇଥିଲା। ଓପ୍‌ନର ଡି’ଆର୍ସି ସର୍ଟ ୨ ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ ୫ ରନ୍‌କରି ବିଦାୟ ନେଇଥିଲେ। ତେବେ ଅନ୍ୟପଟୁ ଓପ୍‌ନର ଜୋସ୍‌ ବଟ୍‌ଲର ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ସଞ୍ଜୁ ସାମ୍‌ସନଙ୍କ ସହ ବଟ୍‌ଲର ୩ୟ ୱିକେଟ ପାଇଁ ୪୯ ରନ୍‌ ଯୋଡ଼ିଥିଲେ। ସାମ୍‌ସନ ୨୩ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୮ ରନ୍‌ କରିଥିଲେ। ଏହାସହ ୩୦ ରନ୍‌ରେ ରାଜସ୍ଥାନ ୫ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ପହଞ୍ଚି ପାରିଥିଲେ। ବେନ୍‌ ଷ୍ଟୋକ୍‌ସ ପୁଣି ବିଫଳ ହୋଇ ମାତ୍ର ୧୨ ରନ୍‌ କରିଥିବା ବେଳେ ରାହୁଲ ତ୍ରିପାଠୀ ୧୧ ରନ୍‌ କରିଥିଲେ। ଜୋଫ୍ରା ଆର୍ଚର ୦ ଓ କେ. ଗୌତମ ୫ ରନ୍‌କରିଥିଲେ। ତେବେ ଶେଷ ୩ ଓଭରରେ ଶ୍ରେୟାସ ଗୋପାଳଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁଁ ରାଜସ୍ଥାନ ଦେଢ଼ଶହ ରନ୍‌ ଅତିକ୍ରମ କରି ପାରିଥିଲା। ଗୋପାଳ ୧୬ ବଲ୍‌ରୁ ୩ଟି ଚୌକା ସହ ୨୪ ରନ୍‌ କରିଥିଲେ। ଆଫ୍‌ଗାନ ଅଫ୍‌ସ୍ପିନର ମୁଜିବ୍‌ ଉର୍‌ ରେହ୍‌ମାନ ୨୭ ରନ୍‌ଦେଇ ୩ଟି ୱିକେଟ ନେଇ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ଅଷ୍ଟ୍ରେଲୀୟ ପେସ୍‌ ବୋଲର ଆଣ୍ଡଽୁ ଟାଇ ୨ଟି ୱିକେଟ ନେଇଥିଲେ।

Leave A Reply