ଏଏମୟୁରେ ‘ସ୍ୱାଧୀନତା’ ପାଇଁ ସ୍ଲୋଗାନ

0

ଆଲିଗଡ଼ : ଉତ୍ତରପ୍ରଦେଶର ଆଲିଗଡ ମୁସଲିମ୍‌ ୟୁନିଭର୍ସିଟି (ଏଏମ୍‌ୟୁ)ରୁ ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କ ଫଟୋ ହଟାଇବା ଦାବିକୁ ନେଇ ଦେଖାଯାଇଥିବା ବିବାଦ ଦିନକୁ ଦିନ ଜଟିଳ ହେଉଛି। ବିଶ୍ୱବିଦ୍ୟାଳୟ ପରିସରକୁ ଯାଇ ଛାତ୍ରଙ୍କୁ ଆକ୍ରମଣ କରିଥିବା ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ ଦାବିରେ ଛାତ୍ର ସଂଘ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ରବିବାର ୫ମ ଦିନରେ ପହଞ୍ଚିଛି । ଇତି ମଧ୍ୟରେ ଏଏମ୍‌ୟୁ ପରିସରର ଏକ ବିବାଦୀୟ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଏଏମ୍‌ୟୁ ଛାତ୍ରମାନେ ସ୍ୱାଧୀନତା ପାଇଁ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଶୁକ୍ରବାରର ବୋଲି କୁହାଯାଉଛି । ଏଏମ୍‌ୟୁ ପ୍ରଶାସନ ସ୍ୱାଧୀନତା ପାଇଁ ସ୍ଲୋଗାନ ଅଭିଯୋଗକୁ ଖଣ୍ଡନ କରିଛି। ଏଏମ୍‌ୟୁ ମୁଖପାତ୍ର ଶାଫି କିଦୱାଇ କହିଛନ୍ତି ଯେ ଛତ୍ରମାନେ ବାବା-ଏ-ସୟଦ ଫାଟକ ନିକଟରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ଏହି ସମୟରେ ଛାତ୍ରଛାତ୍ରୀମାନେ ‘ଗୁଣ୍ଡା ଏବଂ ଆତଙ୍କ’ରୁ ସ୍ୱାଧୀନତା ପାଇଁ ସ୍ଲୋଗାନ ଦେଉଥିବାର ଭିଡ଼ିଓ ଭାଇରାଲ ହୋଇଛି । ୩ ଦିନ ତଳେ ଏଏମ୍‌ୟୁରେ ପଶି ଅରାଜକତା ସୃଷ୍ଟି କରିଥିବା ଅସାମାଜିକ ତତ୍ତ୍ୱଙ୍କୁ ପୁଲିସ୍‌ ତୁରନ୍ତ ଗିରଫ ଦାବିରେ ସ୍ଳୋଗାନ ଦିଆଯାଇଛି । ଏହି ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଦାବି କରାଯାଇଛି । ପୁଲିସ୍‌ ଏହି ଘଟଣାରେ ପୁଲିସ୍‌ ଛାତ୍ର ନେତା ଅମିତ ଗୌସ୍ୱାମୀ ଏବଂ ଯୋଗେଶ ଭାର୍ଶନେୟଙ୍କୁ ଗିରଫ କରିଛି । ଏଏମ୍‌ୟୁରେ ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟର କେତେକ ପରୀକ୍ଷାକୁ ମଇ ୧୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଆନ୍ଦୋଳନରତ ଏଏମ୍‌ୟୁ ଛାତ୍ରଙ୍କ ନିକଟରେ ଏସ୍‌ପି, କଂଗ୍ରେସ ଓ ବିଏସ୍‌ପି ନେତାମାନେ ପହଞ୍ଚି ସମର୍ଥନ ଜଣାଇଛନ୍ତି । ରବିବାର ଇତିହାଦ-ଇ-ମିଲାଟ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ତୌକିର ରଜା ଖାନ ଆଲିଗଡ଼ରେ ମେୟର ଫୁକାନଙ୍କ ଘରେ ପହଞ୍ଚି ଆଲୋଚନା କରିଥିଲେ । ସେ ଧାରଣାସ୍ଥଳକୁ ଯାଉଥିବାବେଳେ ପୁଲିସ୍‌ ତାଙ୍କୁ ବାଟରେ ଅଟକାଇଥିଲା । ତାଙ୍କୁ ପୁଲିସ୍‌ ନେଇ ଜିଲା ସୀମା ବାହରେ ଛାଡିଥିବା ସୂଚନା ମିଳିଛି । ଉଲ୍ଲେଖ ଯେ ଏଏମୟୁର ଛାତ୍ର ସଂସଦ କାର୍ଯ୍ୟାଳୟରେ ରହିଥିବା ଜିନ୍ନାଙ୍କ ଫଟୋ ହଟାଇବା ଲାଗି ଆଲଗିଡର ବିଜେପି ସାଂସଦ ସତୀଶ ଗୌତମ କୁଳପତିଙ୍କୁ ପତ୍ର ଲେଖିବା ପରେ ବିବାଦ ଦେଖାଯାଇଥିଲା। ସତୀଶ ଦାବିକୁ ଦଳର ରାଜ୍ୟସଭା ସାଂସଦ ହରନାଥ ସିଂହ ସମର୍ଥନ ଜଣାଇଥିଲେ। ମଇ ୨ରେ ଦକ୍ଷିଣ ପନ୍ଥୀ ଛାତ୍ର ଗୋଷ୍ଠୀ ବିଶ୍ୱବିଦ୍ୟାଳୟ ପରିସରକୁ ଯାଇ ଜିନ୍ନାଙ୍କ ଫଟୋ ହଟାଇବାକୁ ଉଦ୍ୟମ କରିଥିଲେ। ପୁଲିସ ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଅନେକ ଛାତ୍ର ଆହତ ହୋଇଥିଲେ।

Leave A Reply