ବାପା ମୁଁ ଦୁଃଖିତ : ମୃତ୍ୟୁ ପୂର୍ବରୁ ପ୍ରଫେସର ଭଟ୍ଟଙ୍କ ଶେଷ କଥା

0

ଶ୍ରୀନଗର : ‘ବାପା, ମୋର କାର୍ଯ୍ୟ ଯଦି ତୁମକୁ କଷ୍ଟ ଦେଇଥାଏ ତେବେ ମୁଁ ଦୁଃଖିତ।’ ପ୍ରଫେସର ମହମ୍ମଦ ରଫି ଭଟ୍ଟ ମୃତ୍ୟୁ ପୂର୍ବରୁ ବାପାଙ୍କୁ ଏପରି ନିବେଦନ କରିଥିଲେ। ଆତଙ୍କବାଦୀ ସଂଗଠନରେ ଯୋଗ ଦେବାର ୩୬ଘଣ୍ଟା ମଧ୍ୟରେ ପ୍ରାଣ ହରାଇଥିବା ପ୍ରଫେସର ରଫି ଭଟ୍ଟ ରବିବାର ସକାଳେ ଗୁଳି ବିନିମୟ ସ୍ଥଳରୁ ବାପା ଫାୟାଜ ଅହମ୍ମଦ ଭଟ୍ଟଙ୍କ ନିକଟକୁ ଫୋନ କରି ଏପରି ନିବେଦନ କରିଥିଲେ। ପୁଅର ଏପରି ନିବେଦନ ସମ୍ପର୍କରେ ଫାୟାଜ ପୁଲିସକୁ ଜଣାଇଛନ୍ତି। ଆତଙ୍କବାଦୀ ସଂଗଠନ ଛାଡି ଆତ୍ମସମର୍ପଣ କରିବାକୁ ପୁଅକୁ ଫାୟାଜ ଫୋନରେ ନିବେଦନ କରିଥିଲେ; ମାତ୍ର ପୁଅ ତାଙ୍କ କଥାକୁ ମାନି ନଥିଲା। ମାଆ, ପତ୍ନୀ ଓ ଭଉଣୀଙ୍କ ନିବେଦନକୁ ମଧ୍ୟ ସେ ରକ୍ଷା କରି ନ ଥିଲା। ଶେଷରେ ସେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିଲା।
ମହମ୍ମଦ ରଫି ଭଟ୍ଟ ହେଉଛନ୍ତି କାଶ୍ମୀର ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗର ପ୍ରଫେସର। ଶୁକ୍ରବାର ଅପରାହ୍ଣ ୩ଟା ୩୦ରେ ସେ ବିଶ୍ୱବିଦ୍ୟାଳୟ ପରିସରରୁ ନିଖୋଜ ହୋଇଯାଇଥିଲେ। ପୁଲିସ ତାଙ୍କୁ ଖୋଜାଖୋଜି ଚଳାଇଥିଲା। ଏଥିପାଇଁ ପୁଲିସ ତାଙ୍କର ଫୋନ କଲକୁ ଟ୍ରାକ କରିଥିଲା। ତେବେ ସେ ବିଶ୍ୱବିଦ୍ୟାଳୟ ପରିସରରୁ ଯାଇ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିଲେ। ରବିବାର ଭଟ୍ଟଙ୍କ ସହିତ ଅନ୍ୟ ୪ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।
ପୁଅ ରଫି ଭଟ୍ଟକୁ ଆତସମର୍ପଣ ପାଇଁ ବାପା ଫାୟାଜ ଫୋନରେ ପ୍ରଥମେ ନିବେଦନ କରିଥିଲେ। ପରେ ପରିବାର ଲୋକ ପତ୍ନୀ, ମା, ଭଉଣୀ ଓ ବାପା ଗୁଳିବିନିମୟ ସ୍ଥାନକୁ ଯିବାକୁ ବାହାରିଥିଲେ। ତେବେ ଗୁଳିବିନିମୟସ୍ଥାନରେ ପରିବାର ଲୋକ ପହଞ୍ଚିବା ପୂର୍ବର ରଫି ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇ ସାରିଥିଲେ। ରଫି ଭଟ୍ଟଙ୍କ ଘର ଜାମ୍ମୁ-କାଶ୍ମୀରର ଗନ୍ଦେରବାହାଲ ଜିଲା ଚୁନ୍ଦିଆନା ଅଞ୍ଚଳରେ। ତାଙ୍କର ବୟସ ମାତ୍ର ୩୩ବର୍ଷ। ସେ କାଶ୍ମୀର ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବେ ଠିକାରେ ନିଯୁକ୍ତି ପାଇଥିଲେ। ୧୮ବର୍ଷ ବୟସରେ ରଫି ଭଟ୍ଟ ପାକିସ୍ତାନ ଅଧିକୃତ କାଶ୍ମୀରକୁ ଚାଲିଯିବାକୁ ଉଦ୍ୟମ କରିଥିଲେ; ମାତ୍ର ପୁଲିସ ତାଙ୍କୁ ଧରି ବାପା ମା’ଙ୍କ ଜିମା ଦେଇଥିଲା। ୧୯୯୦ରେ ରଫିଙ୍କର ଦୁଇଜଣ ସମ୍ପର୍କୀୟ ଭାଇ ଆତଙ୍କବାଦୀ ସଂଗଠନରେ ଯୋଗଦେଇ ପ୍ରାଣ ହରାଇଥିଲେ। ଏପରିକି ରଫିଙ୍କର ପିତା ମଧ୍ୟ ୧୯୯୦ ଦଶକରେ ଆତଙ୍କବାଦୀ ସଂଗଠନରେ କାମ କରୁଥିବା ଜଣାଯାଇଛି। ସୂଚନାଯୋଗ୍ୟ ସୋଫିଆନା ଜିଲାର ବଡିଗାମରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ୫ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏହି ଆତଙ୍କବାଦୀଙ୍କ ମଧ୍ୟରୁ ପ୍ରଫେସର ରଫି ଭଟ୍ଟ ଅନ୍ୟତମ।

Leave A Reply