ପୁତିନ୍ଙ୍କ ବିରୋଧରେ ରୁଷ୍ରେ ବିକ୍ଷୋଭ
ମସ୍କୋ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ସ୍ୱେଚ୍ଛାଚାରିତା ପ୍ରତିବାଦରେ ବିରୋଧୀ ଦଳ ପକ୍ଷରୁ ତୀବ୍ର ଆନ୍ଦୋଳନ ଆରମ୍ଭ ହୋଇଛି। ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍ନିଙ୍କ ନେତୃତ୍ୱରେ ମସ୍କୋ ସମେତ ଦେଶର ୯୦ଟି ସହରରେ ବିକ୍ଷୋଭ ପ୍ରଦର୍ଶନ ସହ ଶେଭାଯାତ୍ରା ବାହାର କରାଯାଇଛି। ଏହି ଘଟଣାରେ ପୁଲିସ ପ୍ରାୟ ୧୦୦୦ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ପୁତିନ୍ ଗତ ମାର୍ଚ୍ଚରେ ଚତୁର୍ଥ ଥର ପାଇଁ ଆଉ ଛ’ ବର୍ଷ ଯାଏ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାବେଳେ ଆଲେକ୍ସି ଏହାକୁ ସ୍ୱୀକାର କରିପାରୁ ନାହାନ୍ତି। ଏହା ‘ଜାର୍ ଶାସନ’ ବୋଲି ସେ ଆକ୍ଷେପ କରିଛନ୍ତି। ଏହି ନିର୍ବାଚନରେ ଆଲେକ୍ସିଙ୍କୁ ବିଭିନ୍ନ ଆଳରେ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ବଞ୍ଚିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ସୋଭିଏତ୍ ଏକଚ୍ଛତ୍ରବାଦୀ ଶାସକ ଯୋଶେଫ୍ ଷ୍ଟାଲିନ୍ଙ୍କ ପରେ ପୁତିନ୍ ହେଉଛନ୍ତି ଏକମାତ୍ର ନେତା ଯେ କି ଅଦ୍ୟାବଧି ୧୮ବର୍ଷ ଶାସନ କରିସରିଲେଣି।