ବମିଖାଲ୍‍ ଦୁର୍ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କଲେ ଧର୍ମେନ୍ଦ୍ର

0

ଭୁବନେଶ୍ୱର: ବମିଖାଲ୍‍ ଭୁଶୁଡ଼ିବା ଘଟଣାରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଘଟଣାସ୍ଥଳ ପରିଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକାସ୍ଥାନରେ ଦୁଇ ଦୁଇ ଥର ଦୁର୍ଘଟଣା ଘଟିବା ଦୁଃଖଦାୟକ। ଯୋଗ୍ୟତା ନଥିବା ଠିକାଦାରଙ୍କୁ ନିର୍ମାଣ ଦାୟିତ୍ୱ ଦେବା ଯୋଗୁଁ ଏଭଳି ଘଟଣା ଘଟିଲା। କଳାତାଲିକା ଭୁକ୍ତ ହେବା ପରେ ମଧ୍ୟ ଏକ ସଂସ୍ଥାକୁ କାହା ସ୍ୱାର୍ଥରେ ପୁଣି ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହିତ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଦଣ୍ଡବିଧାନ କରାଯାଉ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି। ଏହାଛଡ଼ା ଚେନ୍ନାଇର ଏକ ଦକ୍ଷ ସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ୨୦୧୭, ସେପ୍ଟେମ୍ବର ୧୦ ତାରିଖରେ ବମିଖାଲ୍‍ର ନିର୍ମାଣାଧୀନ ବ୍ରିଜ୍‍ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ନିର୍ମାଣ ସଂସ୍ଥା ପଣ୍ଡା ଇନ୍‍ଫ୍ରା ପ୍ରୋଜେକ୍ଟକୁ କଳା ତାଲିକାଭୁକ୍ତ କରାଯାଇଥିଲା। ସଂସ୍ଥାର ମାଲିକ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କୁ ଗିରଫ କରାଯାଇଥିବା ବେଳେ ସେ ଜାମିନ୍‍ରେ ମୁକୁଳିଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ତାଙ୍କୁ ବ୍ରିଜ୍‍ର ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ଗତ ୩ ତାରିଖରେ ନିର୍ମାଣାଧୀନ ବ୍ରିଜ୍‍ର ରିଟେନ୍‍ ୱାଲ୍‍ ପାଇଁ ବନ୍ଧା ଯାଇଥିବା ଫାଉଣ୍ଡେସନ୍‍ ଲୁହା ରଡ ଖସି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦିଆଯାଇଛି। ଅପରପକ୍ଷରେ ସଂସ୍ଥାର ମୁଖ୍ୟ ପ୍ରତାପ ପଣ୍ଡାଙ୍କୁ ପୁଣି ଥରେ ଗିରଫ କରାଯାଇ ଜେଲ୍‍ ପଠାଯାଇଛି। ଗତ କାଲି ତାଙ୍କୁ ଗିରଫ କରାଯିବା ପରେ କୋର୍ଟରେ ହାଜର କରିବା ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କ୍ୟାପିଟାଲ୍‍ ହସ୍ପିଟାଲ୍‍ରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ କଟକ ବଡ଼ ମେଡିକାଲ୍‍କୁ ପଠାଯାଇଥିଲା। କିନ୍ତୁ ତାଙ୍କୁ ବେଡ୍‍ ରେଷ୍ଟ ଆବଶ୍ୟକ ନାହିଁ ବୋଲି କଟକ ବଡ଼ ମେଡିକାଲ୍‍ କର୍ତ୍ତୃପକ୍ଷ କହିବା ପରେ ଆଜି ଶ୍ରପଣ୍ଡାଙ୍କୁ ଝାରପଡ଼ା ଜେଲ୍‍ ପଠାଇଦିଆଯାଇଛି।

Leave A Reply