ଦଳିତଙ୍କ ସହ ଖାଇବାକୁ ମନା କଲେ ଉମାଭାରତୀ

0

ଛତରପୁର : ବିଜେପିର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଦଳିତ ସମ୍ପ୍ରଦାୟର ଲୋକଙ୍କ ସହିତ ଖାଦ୍ୟ ଗ୍ରହଣ କରିବାକୁ ମନା କରି ସମାଲୋଚିତ ହୋଇଛନ୍ତି। ଦକ୍ଷିଣ ଦିଲ୍ଲୀର ଛତରପୁରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ଅବସରରେ ଭୋଜନର ଆୟୋଜନ କରାଯାଇଥିଲା। ଉମା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମଧ୍ୟ ଭୋଜନ ଗ୍ରହଣ କରିବାକୁ ମନା କରିଥିଲେ। ସେ ପ୍ରଭୁ ଶ୍ରୀରାମଙ୍କ ପରି ନୁହନ୍ତି ଯେ ଲୋକଙ୍କୁ ପବିତ୍ର କରିବା ଉଦ୍ଦେଶ୍ୟରେ ସେମାନଙ୍କ ସହିତ ଭୋଜନ ଗ୍ରହଣ କରିବେ ବୋଲି ଉମା କହିଥିଲେ। ଏଠାରେ ଭୋଜନ ଗ୍ରହଣ କରିବାକୁ ହେବ ବୋଲି ତାଙ୍କୁ ଜଣା ନ ଥିବା ଉମା କହିଥିଲେ। ଏ ନେଇ ସେ ଆୟୋଜକଙ୍କୁ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ। ଦଳିତଙ୍କ ଘରକୁ ଯାଇ ଖାଦ୍ୟ ଗ୍ରହଣ କରିବା ପ୍ରକ୍ରିୟାକୁ ଯଦିଓ ସେ ସମର୍ଥନ କରନ୍ତି ତେବେ ନିଜେ କେବେ କୌଣସି ଦଳିତଙ୍କ ଘରେ ଖାଇ ନାହାନ୍ତି; ବରଂ ଦଳିତ ଲୋକଙ୍କୁ ନିଜ ଘରକୁ ଆମନ୍ତ୍ରଣ କରି ଖାଇବାକୁ ଦିଅନ୍ତି ବୋଲି ଉମା କହିଥିଲେ। ଜାତିକୁ ନେଇ ଭେଦଭାବ ଦୂର କରିବା ତଥା ସମାଜିକ ଏକତା ବୃଦ୍ଧି ଆଭିମୁଖ୍ୟରେ ବିଜେପି ଏବଂ ଆର୍‌ଏମ୍‌ଏସ୍‌ ପକ୍ଷରୁ ସାମୂହିକ ଭୋଜନକୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଉମାଙ୍କ ଏଭଳି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply