ବୃଦ୍ଧି ପାଉଛି ହାତୀ ନଦୀର ଜଳସ୍ତର, ବନ୍ୟା ଆଶଙ୍କା

କଲମପୁର : ହାତୀ ନଦୀର ଉପରମୁଣ୍ଡ ତଥା ଏହାର ଶାଖା ନଦୀମାନଙ୍କ ଉପର ମୁଣ୍ଡରେ ଗତ ୫ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା କାରଣରୁ ଏବେ ହାତୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ହାତୀ ନଦୀରେ ବନ୍ୟା ଆସିବାର ଆଶଙ୍କା କରାଯାଉଛି। ବର୍ତ୍ତମାନ ହାତୀ ନଦୀ ସମେତ ଏହାର ଶାଖା ନଦୀ କମଳ, ଗାଇଧାର ସମେତ ଲିଟିଜୋର, କୁଲେଇଜୋର, ଘର୍ଲା ଜୋର, ନକଟିଜୋର, ଛଂଚାଣଗାଡ ନାଳ ସମୂହରେ ଜଳସ୍ତର ବୃଦ୍ଧି ପାଉଛି। ଏହାସହ ଇନ୍ଦ୍ରାବତୀ ବିଦ୍ୟୁତ୍‍ ପ୍ରକଳ୍ପରୁ ବିଦ୍ୟୁତ୍‍ ଉପ୍‍ôାଦନ ଜାରି ରହିଥିବାରୁ ଜଳ ବିଦ୍ୟୁତ୍‍ ପ୍ରକଳ୍ପର ବଳକା ପାଣି ମଙ୍ଗଳପୁର ବ୍ୟାରେଜରୁ ହାତୀ ନଦୀରେ ନିଷ୍କାସିତ କରାଯାଉଥିବାରୁ ବନ୍ୟା ହେବାର ଆଶଙ୍କା କରାଯାଉଛି। ଏପରିକି ହାତୀ ନଦୀର ବିରିପୁର ନିକଟରେ ଅପରାହ୍ନରେ ନଦୀ କୂଳ ଲଂଘନ କରିଥିଲା। ସୋମବାର ଅପରାହ୍ନରୁ କଲମପୁର ଓ ଥୁଆମୁଳ ରାମପୁର ଅଞ୍ଚଳରେ ବର୍ଷା କମିଥିଲେ ମଧ୍ୟ ବନ୍ୟା ଆଶଙ୍କା ଟଳି ନାହିଁ। ବ୍ଲକ ପ୍ରଶାସନ ତରଫରୁ ବି.ଡି.ଓ ହେମସାଗର ଭୋଇଙ୍କ ନେତୃତ୍ୱରେ ହାତୀ ନଦୀ ବନ୍ୟା ଦ୍ୱାର ପ୍ରଭାବିତ ବିରିପୁର, ମାଟିଖାଲ, କର୍ମେଲ, ଜାମପଡା ଆଦି ଅଞ୍ଚଳ ଗସ୍ତ କରିଥିଲେ। ଇନ୍ଦ୍ରାବତୀରୁ ଜଳ ବିଦ୍ୟୁତ୍‍ ଉତ୍ପାଦନ ଜାରି ରହିଥିିବାରୁ ପ୍ରାୟ ୫୦ କ୍ୟୁମେକ୍ସ ପାଣି ମଙ୍ଗଳପୁର ବ୍ୟାରେଜକୁ ଆସୁଥିବା ବେଳେ ମଙ୍ଗଳପୁର ବ୍ୟାରେଜରୁ ହାତୀ ନଦୀରୁ ଅପରାହ୍ନ ୨ଟା ସୁଦ୍ଧା ୨ଶହ କ୍ୟୁମେକ୍ସରୁ ଅଧିକ ପାଣି ୨ ଗୋଟି ଗେଟ ମାଧ୍ୟମରେ ନିଷ୍କାସିତ କରାଯାଉଥିବା ବେଳେ ବର୍ତ୍ତମାନ ୧୦୫ କ୍ୟୁମେକ୍ସ ପାଣି ନିଷ୍କାସିତ କରାଯାଉଛି। ସେହିଭଳି ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ୬ ଓ ବାମ ମୁଖ୍ୟ କେନାଲ ମାଧ୍ୟମରେ ୮ କ୍ୟୁମେକ୍ସ ପାଣି ନିଷ୍କାସିତ କରାଯାଉଛି। ଏହି ପାଣି ମଧ୍ୟ ହାତୀ ନଦୀରେ ସଂଯୋଗ ହେଉଛି। ଯଦି ଉପରମୁଣ୍ଡରେ ବର୍ଷାର ପ୍ରକୋପ ବୃଦ୍ଧି ପାଇଲେ ବନ୍ୟା ହେବାର ଆଶଙ୍କା କରାଯାଉଛି। ଏଥିପାଇଁ ବ୍ଲକ ପ୍ରଶାସନ ପ୍ରସ୍ତୁତ ମଧ୍ୟ ରହିଥିବା ବି.ଡି.ଓ ଶ୍ରୀ ଭୋଇ ମତବ୍ୟକ୍ତ କରିଥିଲେ।

kalyan agarbati

Comments are closed.