ମାଦ୍ରାସାରେ ୬ ନାବାଳକଙ୍କୁ ଅପ୍ରାକୃତିକ ଯୌନ ଉତ୍ପୀଡ଼ନ, ମୌଲବୀ ଗିରଫ
ହାଇଦରାବାଦ : ତେଲଙ୍ଗାନା ରାଜଧାନୀ ହାଇଦରାବାଦର ଏକ ମାଦ୍ରାସାରେ ୬ ଜଣ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ଉତ୍ପୀଡ଼ନ ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ୍ ମାଦ୍ରାସାର ମୌଲବୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ମୌଲବୀଙ୍କ ବିରାଧରେ ପୋକ୍ସୋ ଆଇନ ସମେତ ଅନ୍ୟ ଧାରାରେ ମାମଲା ରୁଜୁ କରାଯାଇଛି । ଏବେ ପୁଲିସ୍ ଅଭିଯୁକ୍ତ ମୌଲବୀଙ୍କୁ ପଚରାଉଚୁରା କରୁଛି । ଏସିପି ଅଶୋକ ଚକ୍ରବର୍ତ୍ତିଙ୍କ କହିବା ଅନୁସାରେ ଅଭିଯୁକ୍ତ ମୌଲବୀ ଗତ କିଛି ମାସ ଧରି ମାଦ୍ରାସାରେ ନାବାଳକଙ୍କୁ ଯୌନ ଶୋଷଣ କରୁଥିଲା । ଅପ୍ରେଲ ୨୯ରେ ପୀଡ଼ିତ ବାଳକଙ୍କ ଅଭିଭାବକ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ମୌଲବୀଙ୍କୁ ଗିରଫ କରାଯାଇଛି । ଗୁରୁବାର ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।