ହିମାଚଳ ପ୍ରଦେଶ: ମହିଳା ଅଧିକାରୀଙ୍କ ହତ୍ୟାକାରୀ ଗିରଫ

0

ସିମଳା : ସୁପ୍ରିମକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ କରୁଥିବା ସମୟରେ ହିମାଚଳ ପ୍ରଦେଶର କଶୌଲିଠାରେ ଜଣେ ମହିଳା ସରକାରୀ ଅଧିକାରୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ପୁଲିସ ଗୁରୁବାର ମଥୁରାରୁ ଗିରଫ କରିଛି। ଅଭିଯୁକ୍ତର ନାଁ ବିଜୟ ଠାକୁର ଓ ସେ ଜଣେ ସ୍ଥାନୀୟ ହୋଟେଲବାଲା। ତା’ ସମ୍ପର୍କରେ ସୂଚନା ପାଇଁ ପୁଲିସ ଲକ୍ଷେ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଏ ନେଇ ବୁଧବାର ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିବା ସହ ନିଜ ଆଡ଼ୁ ହସ୍ତକ୍ଷେପ କରି ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବାକୁ ହିମାଚଳ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏଥିସହ ଉଚ୍ଛେଦ ପ୍ରକ୍ରିୟା ଓ ଅଭିଯୁକ୍ତକୁ ଧରାଯିବା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାର ତଥା ପୁଲିସ ଡିଜିଙ୍କୁ କହିଥିଲେ।
କଶୌଲିଠାରେ ସୁପ୍ରିମକୋର୍ଟ ନିର୍ଦେଶକ୍ରମେ ମଙ୍ଗଳବାର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବାବେଳେ କାର୍ଯ୍ୟରତ ୫୧ବର୍ଷୀଆ ସହକାରୀ ଟାଉନ୍‌ପ୍ଲାନିଂ ଅଫିସର ସାହିଲ ବାଳା ଶର୍ମାଙ୍କୁ ବିଜୟ ଗୁଳିକରି ହତ୍ୟା କରିଥିଲା। ଏହା ପରେ ସେ ଫେରାର ହୋଇଯାଇଥିଲା। ବୁଧବାର ସୁପ୍ରିମକୋର୍ଟଙ୍କ ତାଗିଦା ପରେ ସ୍ଥାନୀୟ ସୋଲାନ ଜିଲା ଅତିରିକ୍ତ ପୁଲିସ ଅଧୀକ୍ଷକ ଶିବ କୁମାରଙ୍କ ନେତୃତ୍ୱରେ ଏସ୍‌ଆଇଟି ଗଠନ କରାଯାଇଥିଲା। ଗିରଫ ବିଜୟ ହେଉଛି ସ୍ଥାନୀୟ ନାରାୟଣୀ ଅତିଥି ଶାଳାର ମାଲିକ; ଯାହାକୁ କର୍ତ୍ତୃପକ୍ଷ ଜବରଦଖଲ ଉଚ୍ଛେଦବେଳେ ଭାଙ୍ଗି ଦେଇଛନ୍ତି।

Leave A Reply