ଲୋକସଭାରେ ଆଜମ ଖାନଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗ : କ୍ଷମା ନମାଗିଲେ ହେବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ : ବିଜେପି ସାଂସଦ ତଥା ଅଧିଷ୍ଠାତା ମଣ୍ଡଳୀ ସଦସ୍ୟ ରମା ଦେବୀଙ୍କ ଉପରେ ଏସପି ସାଂସଦ ଆଜମ ଖାନ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ବାଚସ୍ପତି ଓମ ବିର୍ଲାଙ୍କ ଦ୍ୱାରା ଶୁକ୍ରବାର ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ଡକାଯାଇଥିଲା। କୁହାଯାଉଛି ଯେ ସମସ୍ତ ଦଳ ଏ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନେବା ଭାର ବାଚସ୍ପତିଙ୍କ ଉପରେ ଛାଡ଼ିଦେଇଛନ୍ତି। ଶୁଣିବାକୁ ମିଳୁଛି ଯେ ବାଚସ୍ପତି ବିବାଦୀୟ ବୟାନ ପାଇଁ ଆଜମ ଖାନଙ୍କୁ କ୍ଷମା ମାଗିବାକୁ କହିବେ। କ୍ଷମା ନମାଗିଲେ ତାଙ୍କୁ ସଂସଦର ଚଳିତ ଅଧିବେଶନରୁ ନିଲମ୍ବନ କରାଯିବ।
ପ୍ରକାଶଯୋଗ୍ୟ ଯେ ଗୁରୁବାର ଲୋକସଭାରେ ତିନି ତଲାକ ବିଲ୍ ଉପରେ ଆଲୋଚନା ବେଳେ ଆଜମ ଖାନ ଗୃହକାର୍ଯ୍ୟ ପରିଚାଳନା କରୁଥିବା ବିଜେପି ସଦସ୍ୟା ରମା ଦେବୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଜେପି ସଦସ୍ୟମାନେ ଗୃହରେ ହୋହଲ୍ଲା କରିଥିଲେ। ହୋହଲ୍ଲା ପରେ ବାଚସ୍ପତି ଓମ ବିର୍ଲା କ୍ଷମା ମାଗିବା ପାଇଁ ଆଜମ ଖାନଙ୍କୁ କହିଥିଲେ। କ୍ଷମା ମାଗିବା ବଦଳରେ ସେ କିଛି ଖରାପ କହିନଥିବା ଯୁକ୍ତି ବାଢିଥିଲେ।
ଘଟଣା ଅନୁଯାୟୀ ତିନି ତଲାକ ବିଲ ଉପରେ ଆଲୋଚନା ବେଳେ ଆଜମ ଖାନ ଏଣେତେଣେ ଦେଖି ନିଜ ବକ୍ତବ୍ୟ ରଖୁଥିଲାବେଳେ ଗୃହ କାର୍ଯ୍ୟ ପରିଚାଳନା କରୁଥିବା ରମାଦେବୀ ତାଙ୍କୁ ତାଗିଦ କରିଥିଲେ। ଏହାକୁ ନେଇ ଆଜମ ଖାନ କହିଥିଲେ ଯେ ମୋତେ ଆପଣ (ରମା ଦେବୀ) ଏତେ ଭଲ ଲାଗୁଛନ୍ତି କି ଆପଣଙ୍କ ଆଖିରେ ଆଖି ମିଶେଇ ରହିବାକୁ ଇଚ୍ଛା ହେଉଛି। ଏହାକୁ ନେଇ ଗୃହରେ ହୋହଲ୍ଲା ହୋଇଥିଲା। ବିଜେପି ସଦସ୍ୟମାନେ ଆଜମ ଖାନଙ୍କ ଆପତ୍ତିଜନକ ମନ୍ତବ୍ୟର କଡ଼ା ନିନ୍ଦା କରିଥିଲେ।
ବାଚସ୍ପତି ସୋମବାର ଅର୍ଥାତ ଜୁଲାଇ ୨୯ରେ ଆଜମ ଖାନଙ୍କୁ କ୍ଷମା ମାଗିବାକୁ କୁହିବେ। କ୍ଷମା ମାଗିବାକୁ ରାଜି ନହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।
Comments are closed.