ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଅଭାବନୀୟ ଘଟଣା

0

ନୂଆଦିଲ୍ଲୀ : ସ୍ଥାନୀୟ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଅଭାବନୀୟ ଘଟଣା ଘଟିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଘଣ୍ଟାଏ ଉପସ୍ଥିତ ରହିବା ସହ ୧୩୭ କୃତୀ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ମାତ୍ର ୧୧ଜଣଙ୍କୁ ପୁରସ୍କାର ପ୍ରଦାନ କରି ଫେରିଯିବାରେ ଅସନ୍ତୋଷ ବ୍ୟକ୍ତ ପୂର୍ବକ ଅନ୍ୟ କଳାକାରମାନେ ଉତ୍ସବକୁ ବର୍ଜନ କରିଛନ୍ତି। ସୂଚନାନୁଯାୟୀ, ପୁରସ୍କାର ପାଇବାକୁ ଥିବା ୬୮ଜଣ କଳାକାର ଉତ୍ସବ ବର୍ଜନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ଜଣ ରାଷ୍ଟ୍ରପତିଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେମାନେ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କଠାରୁ ସେମାନେ ପୁରସ୍କାର ପାଇବାକୁ ଅପେକ୍ଷା କରିଥିଲେ ମଧ୍ୟ ତାଙ୍କ ଘଣ୍ଟିଆ କାର୍ଯ୍ୟକ୍ରମ ସମ୍ପର୍କରେ ସେମାନଙ୍କୁ ପୂର୍ବରୁ ଅବଗତ କରାଯାଇ ନଥିଲା ବୋଲି କଳାକାରମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ରାଷ୍ଟ୍ରପତି ଭବନରୁ ତୁରନ୍ତ ଏହାର ଜବାବ ଦିଆଯାଇଛି। ରାଷ୍ଟ୍ରପତିଙ୍କ ପ୍ରେସ୍‌ ସଚିବ ଅଶୋକ ମଲ୍ଲିକ ଦର୍ଶାଇଛନ୍ତି ଯେ କୌଣସି କାର୍ଯ୍ୟକ୍ରମରେ ଯୋଗଦେଲେ ମଧ୍ୟ ରାଷ୍ଟ୍ରପତି ଘଣ୍ଟାକରୁ ଅଧିକ ସମୟ ଉପସ୍ଥିତ ରହି ନଥାନ୍ତି। ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭାବେ ଶପଥ ନେବା ଦିନୁ ଏହା ଏକ ପରମ୍ପରାରେ ପରିଣତ ହୋଇଛି। ଏହି କାର୍ଯ୍ୟକ୍ରମରେ ସେ ଘଣ୍ଟାଏ ରହିବେ ବୋଲି ଯଥେଷ୍ଟ ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଅବଗତ କରିଥିଲେ ଏବଂ ମନ୍ତ୍ରଣାଳୟ ଏ ସମ୍ପର୍କରେ ବେଶ୍‌ ସଚେତନ ଥିଲା। ଏହା ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ଏ ନେଇ ପ୍ରଶ୍ନ ଉଠିବାରେ ରାଷ୍ଟ୍ରପତି ଭବନ ବିସ୍ମିତ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।
ଗୁରୁବାର ଅପରାହ୍ଣ ସାଢ଼େ ୩ଟାରୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନି ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ଦ୍ୱାରା ଉତ୍ସବ ଆରମ୍ଭ ହୋଇଥିଲା। ରାଷ୍ଟ୍ରପତି ସାଢ଼େ ୫ଟା ସମୟରେ ଏଥିରେ ଯୋଗ ଦେଇଥିଲେ। ସଂଖ୍ୟାଧିକ କଳାକାର ଓ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କୁ ପୁରସ୍କୃତ କରାଯିବାକୁ ଥିବାବେଳେ ମାତ୍ର ୧୧ଜଣଙ୍କୁ ପୁରସ୍କାର ପ୍ରଦାନ କରି ଘଣ୍ଟାଏ ପରେ ରାଷ୍ଟ୍ରପତି ଉତ୍ସବ ସ୍ଥଳ ଛାଡ଼ିଥିଲେ। ଏହା ଦ୍ୱାରା ଦୀର୍ଘ ୬୪ବର୍ଷର ପରମ୍ପରା ଭଙ୍ଗ ହୋଇଥିବା ନେଇ ପୁରସ୍କୃତ ହେବାକୁ ଥିବା ଅଧିକାଂଶ ଅସନ୍ତୋଷ ବ୍ୟକ୍ତ କରିଥିଲେ। ରାଷ୍ଟ୍ରପତି ପ୍ରତିବର୍ଷ ଉପସ୍ଥିତ ରହି ସମସ୍ତଙ୍କୁ ପୁରସ୍କୃତ କରିବାର ପରମ୍ପରା ଥିଲାବେଳେ ଏହାର ବ୍ୟତିକ୍ରମ ହୋଇଥିବା ସେମାନେ ଅଭିଯୋଗ କରିବା ସହ ଏହାର ପ୍ରତିବାଦରେ ଉତ୍ସବ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିଲେ।
ରାଷ୍ଟ୍ରପତି ପ୍ରଥମେ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ପୁରସ୍କାର ଦାଦା ସାହେବ ଫାଲ୍‌କେ ସମ୍ମାନ ଦିବଂଗତ ବିନୋଦ ଖାନ୍ନାଙ୍କୁ ଓ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଶ୍ରୀଦେବୀଙ୍କୁ ମରଣୋତ୍ତର ଭାବେ ପ୍ରଦାନ କରିଥିଲେ। ବିନୋଦ ଖାନ୍ନାଙ୍କ ପାଇଁ ତାଙ୍କ ପତ୍ନୀ କବିତା ଓ ପୁତ୍ର ଅକ୍ଷୟ ସମ୍ମାନ ଗ୍ରହଣ କରିଥିଲାବେଳେ ଶ୍ରୀଦେବୀଙ୍କ ପାଇଁ ସ୍ୱାମୀ ବୋନି କପୁର ଓ ଝିଅ ଜାହ୍ନବୀ ଓ ଖୁସି ପୁରସ୍କାର ନେଇଥିଲେ। ଏହା ବ୍ୟତୀତ ରାଷ୍ଟ୍ରପତି ସଙ୍ଗୀତ ନିର୍ଦେଶକ ଏ.ଆର ରେହମାନଙ୍କ ସହ ନାଗରାଜ ମଞ୍ଜୁଲେ ଓ ୟେସୁଦାସ ପ୍ରମୁଖଙ୍କୁ ସମ୍ମାନିତ କରିଥିଲେ। ଏହା ପରେ ସେ ତାଙ୍କ ଉଦ୍‌ବୋଧନ ରଖିଥିଲେ। ‘ଆମ ଚଳଚ୍ଚିତ୍ର ଶିଳ୍ପ ଓ କଳାକାରମାନଙ୍କର ଉତ୍ତରୋତ୍ତର ଉନ୍ନତି ଘଟୁଛି; କିନ୍ତୁ ଆହୁରି ଅନେକ କିଛି ହେବାର ଅଛି’ ବୋଲି କହିବା ସହ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି ପ୍ରସଙ୍ଗରେ ସେ ଏକ ସଂଳାପକୁ ଉଦ୍ଧାର କରି ‘ପିକ୍‌ଚର ଅଭି ବାକି ହୈ’ ବୋଲି କହିଥିଲେ। ନିଜ ଭାଷଣରେ ରାଷ୍ଟ୍ରପତି ବିନୋଦ ଖାନ୍ନା ଓ ଶ୍ରୀଦେବୀଙ୍କୁ ସ୍ମରଣ କରିଥିଲେ। ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ ପୂର୍ବରୁ ଓ ପରେ ସ୍ମୃତି ଇରାନି ଓ ରାଠୋର ଅନ୍ୟମାନଙ୍କୁ ସମ୍ମାନିତ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Leave A Reply