ନିଜ ରାୟ ଉପରେ ରହିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଏସ୍‍ସି/ଏସ୍‍ଟି ନିର୍ଯାତନା ନିରୋଧୀ ଆଇନ ସମ୍ପର୍କିତ ନିଜ ରାୟ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରିଦେଇଛନ୍ତି। ଏହି ସମ୍ପ୍ରଦାୟର ଲୋକଙ୍କ ଅଧିକାରର ସୁରକ୍ଷା କରିବା ତଥା ସେମାନଙ୍କୁ ନିର୍ଯାତନା ଦେଉଥିବା ଲୋକଙ୍କୁ ଦଣ୍ଡିତ କରିବା ସପକ୍ଷରେ ସର୍ବଦା ସୁପ୍ରିମକୋର୍ଟ ରହିଛନ୍ତି ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି। ଏହି ଆଇନ ଅଧୀନରେ ରୁଜୁ ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମକୋର୍ଟ ମାର୍ଚ୍ଚ ୨୦ରେ ଯେଉଁ ରାୟ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ଦର୍ଶାଇ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିଥିଲେ। ଏଥିସହ ଏହି ରାୟର ସମୀକ୍ଷା ଆବେଦନକୁ ବୃହତର ପୀଠ ନିକଟକୁ ପଠାଇବା ଲାଗି କେନ୍ଦ୍ର ସରକାର ନିବେଦନ କରିଥିଲେ। ଏହି ମାମଲାର ବିଚାର କରୁଥିବା ବିଚାରପତିଙ୍କ ଜାତି ସମ୍ବନ୍ଧରେ ଆଇନଜୀବୀ ଇନ୍ଦିରା ଗୋସ୍ୱାମୀଙ୍କ ଟ୍ୱିଟ୍‍ ପ୍ରସଙ୍ଗ ମଧ୍ୟ ଆବେଦନକାରୀ ଗୁରୁବାର ଶୁଣାଣି ବେଳେ ଉଠାଇଥିଲେ। ମାତ୍ର ଏହି ପ୍ରସଙ୍ଗ ଉପରେ ଆଲୋଚନା ଶେଷ ହୋଇଛି ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି।
ଏସ୍‍ସି/ଏସ୍‍ଟି ନିର୍ଯାତନା ନିରୋଧୀ ଆଇନ ଅଧୀନରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ବାଧ୍ୟତାମୂଳକ ନୁହେଁ ଏବଂ ଏହି ଅଭିଯୋଗଗୁଡିକର ପ୍ରାଥମିକ ତଦନ୍ତ ସାତ ଦିନ ମଧ୍ୟରେ ଶେଷ କରିବା ବାଧ୍ୟତାମୂଳକ ବୋଲି ମାର୍ଚ୍ଚ ୨୦ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହି ରାୟକୁ ନେଇ ଦେଶବ୍ୟାପୀ ଦଳିତ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଦଳିତ ସାଂସଦ ଏବଂ ବିରୋଧୀ ଦଳଗୁଡିକ ଦ୍ୱାରା ସମାଲୋଚିତ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରାୟର ସମୀକ୍ଷା ଲାଗି ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ରାୟ ଉପରେ ରହିତାଦେଶ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୬ରେ ହେବ।

Leave A Reply