ମେ’ ୧୦ରେ ଆଞ୍ଚଳିକ ଦଳ ମୁଖ୍ୟଙ୍କ ବୈଠକ

0

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରରେ କଂଗ୍ରେସ ଏବଂ ବିଜେପିର ବିକଳ୍ପ ଭାବେ ତୃତୀୟ ସାମୁଖ୍ୟ ଗଠନ ଲକ୍ଷ୍ୟ ନେଇ ଟିଆର୍‌ଏସ୍‌ ଅଧ୍ୟକ୍ଷ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଏବେ ଆଞ୍ଚଳିକ ଦଳଗୁଡିକର ମୁଖ୍ୟମାନଙ୍କ ସହିତ ଆଲୋଚନା କରିବାକୁ ଯୋଜନା କରୁଛନ୍ତି। ଏଥିନିମନ୍ତେ ମେ’ ୧୦ରେ ସେ ଆଞ୍ଚଳିକ ଦଳଗୁଡିକର ମୁଖ୍ୟମାନଙ୍କର ଏକ ବୈଠକ ଡାକିଛନ୍ତି। ଏଥିରେ ଯୋଗ ଦେବା ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାଏକ, ଡିଏମ୍‌କେର କାର୍ଯ୍ୟକାରୀ ଅଧ୍ୟକ୍ଷ ଏମ୍‌. ମେ. ଷ୍ଟାଲିନ୍‌, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ୍‌ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ସେ ଆମନ୍ତ୍ରଣ କରିଛନ୍ତି। ମେ’ ୧୦ରେ ମୁଖ୍ୟମନ୍ତ୍ରୀମାନଙ୍କର ସମ୍ମାନଜନକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ‘ରିତୁ ବନ୍ଧୁ’ରେ ଏହି ନେତାମାନେ ଯୋଗଦେବେ ବୋଲି କୁହାଯାଇଛି। ଗତମାସରେ ରାଓ ତୃତୀୟ ସାମ୍ମୁଖ୍ୟ ପ୍ରସଙ୍ଗ ନେଇ ମମତା, ସାରେନ୍‌, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀ ଏବଂ ଜେଡିଏସ୍‌ ଅଧ୍ୟକ୍ଷ ଦେବେଗୌଡାଙ୍କୁ ଭେଟିଥିଲେ। ଏହାପରେ ଚଳିତ ସପ୍ତାହର ପ୍ରଥମ ଦୁଇ ଦିନ ମଧ୍ୟରେ ସେ ଡିଏମ୍‌କେ ନେତା କରୁଣାନିଧିଙ୍କ ସମେତ ଷ୍ଟାଲିନ୍‌, ଟିଆର୍‌ ବାଲୁ, ଏ. ରାଜା ଏବଂ କାନିମୋଝିଙ୍କ ସହିତ ଚେନ୍ନଇଠାରେ ଆଲୋଚନା କରିଛନ୍ତି।
କଂଗ୍ରେସ ଓ ବିଜେପିକୁ ବାଦ୍‌ ଦେଇ ସଂଘୀୟ ସାମ୍ମୁଖ୍ୟ ଗଠନ ଯୋଜନା ଅନୁଯାୟୀ ମଙ୍ଗଳବାର ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ଭେଟିଛନ୍ତି। ହାଇଦରାବାଦରେ କେସିଆରଙ୍କ ସରକାରୀ ବାସଭବନରେ ଉଭୟଙ୍କର ସାକ୍ଷାତ ହୋଇଥିଲା। ସାକ୍ଷାତ କାଳରେ ଉଭୟ ନେତା ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ଆଲୋଚନା କରିଥିଲେ। ବିଭିନ୍ନ ଆଞ୍ଚଳିକ ଦଳକୁ ଏକାଠି କରି ଜାତୀୟ ରାଜନୀତିରେ ବଡ ଧରଣର ପରିବର୍ତ୍ତନ ଆଣିବାକୁ କେସିଆର ଯୋଜନା ଚଳାଇଛନ୍ତି। ରବିବାର କେସିଆର ଚେନ୍ନଇରେ ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧି ଓ ତାଙ୍କ ପୁଅ ଏମ୍‌କେ ଷ୍ଟାଲିନଙ୍କୁ ଭେଟିଥିଲେ।

Leave A Reply