ଶିଶୁଙ୍କୁ ଯୌନ ନିର୍ଯାତନା ମାମଲା : ପୋକ୍‌ସୋ ଅଧୀନରେ ତ୍ୱରିତ ଶୁଣାଣି ନିର୍ଦେଶ

0

ନୂଆଦିଲ୍ଲୀ : ଏଣିକି ଶିଶୁଙ୍କୁ ଯୌନ ନିର୍ଯାତନା ମାମଲାଗୁଡିକର ତ୍ୱରିତ ଶୁଣାଣି ହେବ। ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା (ପୋକ୍‌ସୋ) ଆଇନ ଅଧୀନରେ ସ୍ୱତନ୍ତ୍ର କୋର୍ଟ ଏହି ମାମଲାଗୁଡିକର ତ୍ୱରିତ (ଫାଷ୍ଟାଟ୍ରାକ୍‌) ଶୁଣାଣି କରିବେ ଏବଂ ଅଯଥାରେ କୋର୍ଟ ମୁଲତବୀ ନ ରଖିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ଦେଶର ସମସ୍ତ ହାଇକୋର୍ଟଗୁଡିକୁ ସର୍ବୋଚ୍ଚ ଅଦାଲତ ନିର୍ଦେଶ ଜାରି କରିଛନ୍ତି। ଏହିଭଳି ମାମଲାଗୁଡିକର ପରିଚାଳନା ନିମନ୍ତେ ହାଇକୋର୍ଟ ତିନିଜଣ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବେ ବୋଲି ପ୍ରଧାନ ବିଚାରପତି ଦୀପକ୍‌ ମିଶ୍ର, ବିଚାରପତି ଏ.ଏମ୍‌. ଖାନ୍‌ୱିଲକର ଏବଂ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ଆଇନଜୀବୀ ଆଲୋକ ଶ୍ରୀବାସ୍ତବଙ୍କ ଦ୍ୱାରା କରାଯାଇଥିବା ଏକ ଆବେଦନ ଉପରେ ଶୁଣାଣି କରି କହିଛନ୍ତି। ଜାନୁଆରୀ ୨୮ରେ ନୂଆଦିଲ୍ଲୀଠାରେ ୮ ମାସର ଏକ ଶିଶୁ କନ୍ୟାକୁ ତା’ର ସମ୍ପର୍କୀୟ ଭାଇ (୨୮ ବର୍ଷ) ବଳାତ୍କାର କରିବା ଭଳି ଜଘନ୍ୟ ଅପରାଧ ଘଟଣାକୁ ଦୃଷ୍ଟିରେ ରଖି ଶ୍ରୀବାସ୍ତବ ନିଜ ଆଡୁ ଏହି ଆବେଦନ କରିଥିଲେ। ଅନ୍ୟପଟେ ୧୨ ବର୍ଷ ବୟସରୁ କମ୍‌ ବୟସ୍କ ଶିଶୁଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ମିଳିବ। ଏନେଇ ପୋକ୍‌ସୋ ଆଇନରେ ସଂସ୍କାର ପୂର୍ବକ ଏକ ଅଧ୍ୟାଦେଶ ଏପ୍ରିଲ ୨୧ରେ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି ଲାଭ କରିଛି।

Leave A Reply