ଯନ୍ତ୍ରୀଙ୍କ ଉପରକୁ କାଦୁଅ ଫିଙ୍ଗିଥିବା ବିଧାୟକ ଜେଲ୍ ଗଲେ
ସିନ୍ଧୁଦୁର୍ଗ : ରାଜପଥ ନିର୍ମାଣ କାର୍ଯ୍ୟ ତଦାରଖ ସମୟରେ ଯନ୍ତ୍ରୀଙ୍କ ଉପରକୁ କାଦୁଅ ଫିଙ୍ଗି ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ନିତେଶ ରାଣେ ଓ ତାଙ୍କର ୧୮ଜଣ ସମର୍ଥକ ଜେଲ୍ ଯାଇଛନ୍ତି। ମଙ୍ଗଳବାର ମହାରାଷ୍ଟ୍ର ସିନ୍ଧୁଦୁର୍ଗର କାଙ୍କାଭାଲି କୋର୍ଟ ରାଣେ ଓ ତାଙ୍କର ସମର୍ଥକଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।
ପୁଲିସ ହାଜତ ମିଆଦ ଶେଷ ହେବା ପରେ ବିଧାୟକ ଓ ତାଙ୍କ ସମର୍ଥକଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଗତ ୪ ତାରିଖରେ ମୁମ୍ବଇ-ଗୋଆ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟର ତଦାରଖ ବେଳେ ବିଧାୟକ ରାଣେ ଘଟଣାସ୍ଥଳକୁ ପିଡବ୍ଲ୍ୟୁଡି ଯନ୍ତ୍ରୀ ପ୍ରକାଶ ଖାଦେକରଙ୍କୁ ଡକାଇଥିଲେ। ଏହି ସମୟରେ ଖାଦେକରଙ୍କ ଉପରେ ବିଧାୟକ ଓ ତାଙ୍କ ସମର୍ଥକମାନେ ବାଲଟିରେ ରଖାଯାଇଥିବା କାଦୁଅକୁ ପକାଇବା ସହ ରାଜପଥ ପୋଲରେ ତାଙ୍କୁ ବାନ୍ଧି ଧମକ ଦେଇଥିଲେ। ଏହି ରାଜପଥର କାଙ୍କଭାଲି ଅଞ୍ଚଳରେ କେତେକ ସ୍ଥାନରେ ଗାତ ରହିଥିବାବେଳେ ତାକୁ ସମତଳ କରାଯାଇ ନ ଥିଲା; ଯଦ୍ଦ୍ବାରା ଗାଡିମଟର ଯିବା ଆସିବା ବେଳେ ଦୁର୍ଘଟଣା ଘଟୁଥିଲା। ରାଜପଥର ଏପରି ଅବସ୍ଥା ଦେଖି ବିଧାୟକ ଉତ୍କ୍ଷିପ୍ତ ହୋଇ ଉପସ୍ଥିତ ଯନ୍ତ୍ରୀ ପ୍ରକାଶଙ୍କ ଉପରେ କାଦୁଅକୁ ଢାଳିଥିଲେ। ଯନ୍ତ୍ରୀଙ୍କ ଉପରେ ବିଧାୟକଙ୍କ ଏପରି ଆକ୍ରମଣ ଭିଡିଓ ସାର୍ବଜନୀନ ହୋଇଥିଲା। ଆକ୍ରମଣକୁ ନେଇ ଯନ୍ତ୍ରୀ ବିଧାୟକ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପରେ ବିଧାୟକ ଓ ତାଙ୍କ ସମର୍ଥକଙ୍କୁ ଗିରଫ କରାଯାଇଥିଲା।
Comments are closed.