ମରାଠାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ: ହାଇକୋର୍ଟ ରାୟ ବିରୋଧରେ ୧୨ରେ ସୁପ୍ରିମକୋର୍ଟ ଶୁଣାଣି
ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିକ୍ଷା ଏବଂ ନିଯୁକ୍ତି େକ୍ଷତ୍ରରେ ମରାଠାମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସମ୍ବନ୍ଧୀୟ ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ କରି ଦାୟର ଏକ ଆବେଦନର ଶୁଣାଣି ନିମନ୍ତେ ସର୍ବୋଚ୍ଚ ଅଦାଲତ ସମ୍ମତି ପ୍ରକାଶ କରିଛନ୍ତି। ଜୁଲାଇ ୧୨ରେ ଏହା ଉପରେ ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କହିଛନ୍ତି।
ଉଲ୍ଲେଖ ଯେ ମହାରାଷ୍ଟ୍ରର ମୋଟ ଜନସଂଖ୍ୟାର ଏକ-ତୃତୀୟାଂଶ ମରାଠା ସମ୍ପ୍ରଦାୟ। ଏମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ୨୦୧୮ ନଭେମ୍ବରରେ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ନାମଲେଖା ନିମନ୍ତେ ୧୬% ସଂରକ୍ଷଣ ଘୋଷଣା କରିଥିଲେ। ଜୁନ ୨୭ରେ ବମ୍ବେ ହାଇକୋର୍ଟ ଏହି ନିଷ୍ପତ୍ତିକୁ କାଏମ ରଖିଥିଲେ ମଧ୍ୟ ସଂରକ୍ଷଣ ସୀମା ଶିକ୍ଷାରେ ୧୨% ଏବଂ ନିଯୁକ୍ତିରେ ୧୩%ରୁ ଅଧିକ ହେବା ଉଚିତ ନୁହେଁ ବୋଲି କହିଥିଲେ। ମରାଠାଙ୍କ ପାଇଁ ୧୬% ସଂରକ୍ଷଣ କରାଯିବା ଦ୍ବାରା ରାଜ୍ୟର ମୋଟ ସଂରକ୍ଷଣ ସୀମା ୫୦% ଅତିକ୍ରମ କରିବ। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସ୍ବେଚ୍ଛାସେବୀ ସଂସ୍ଥା ‘ୟୁଥ ଫର ଇକ୍ବାଲିଟି’ ଦ୍ବାରା ଏହି ଆବେଦନ କରାଯାଇଥିଲା। ଏଥିରେ ଦର୍ଶାଯାଇଛି ଯେ ମରାଠାଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୧୨% ଏବଂ ନିଯୁକ୍ତି କ୍ଷେତ୍ରରେ ୧୩% ସଂରକ୍ଷଣ ବ୍ୟବସ୍ଥା କରିବା ଦ୍ବାରା ସୁପ୍ରିମକୋର୍ଟଙ୍କ ୧୯୯୨ରେ ମୋଟ ୫୦% ସଂରକ୍ଷଣ ପାଇଁ ଦିଆଯାଇଥିବା ରାୟର ଉଲ୍ଲଙ୍ଘନ ହେବ। ଅନ୍ୟପଟେ ହାଇକୋର୍ଟଙ୍କ ରାୟ ଉପରେ ରାଜ୍ୟ ସରକାରଙ୍କ ପକ୍ଷ ନ ଶୁଣି କୌଣସି ରାୟ ନ ଦେବା ନେଇ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଏକ କାଭିଏଟ ଦାଖଲ କରିଛନ୍ତି।
Comments are closed.