ବୁଡ଼ିଗଲା ଚାରି ଟ୍ରଲର: ୨୭ ମତ୍ସ୍ୟଜୀବୀ ନିଖୋଜ
କଲକାତା : ବଙ୍ଗୋସାଗରରେ ମାଛ ଧରିବାକୁ ଯାଇ ୪ଟି ଟ୍ରଲର ବୁଡ଼ିଯିବା ଘଟଣାକୁ ନେଇ କାକଦ୍ୱୀପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଘଟଣାଟି କାକଦ୍ୱୀପସ୍ଥିତ ବଙ୍ଗୋପସାଗରରେ ଘଟିଛି। ବୁଡ଼ିଯାଇଥିବା ଚାରିଟି ଟ୍ରଲରରେ ମୋଟ ୬୧ଜଣ ମତ୍ସ୍ୟଜୀବୀ ଥିଲେ। ଏମାନଙ୍କ ମଧ୍ୟରେ ସୋମବାର ସନ୍ଧ୍ୟା ସୁଦ୍ଧା ୨୭ଜଣ ନିଖୋଜ ଅଛନ୍ତି। ରବିବାର ରାତିରେ ମତ୍ସ୍ୟଜୀବୀମାନେ ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲେ। ଘଟଣା ଖବର ପାଇ ତଟରକ୍ଷୀ ବାହିନୀ ପକ୍ଷରୁ ନିଖୋଜଙ୍କ ସନ୍ଧାନ ଜାରି ରହିଛି।
କାକଦ୍ୱୀପ ମତ୍ସ୍ୟଜୀବୀ ଉନ୍ନୟନ ତରଫରୁ କୁହାଯାଇଛି ଯେ ଗତ କିଛି ଦିନ ଧରି ପାଣିପାଗ ବିଭାଗ ପକ୍ଷରୁ ସମୁଦ୍ରରେ ପ୍ରବେଶ ପକ୍ଷରେ ନିଷେଧାଜ୍ଞା ଜାରି ରହିଛି। ଏହା ସତ୍ତ୍ବେ ରବିବାର ରାତିରେ ଚାରିଟି ଟ୍ରଲର ମାଛ ଧରିବା ଉଦ୍ଦେଶ୍ୟରେ ସମୁଦ୍ର ମଧ୍ୟକୁ ଯାଇଥିଲେ। ଝଡ଼-ବତାଶ ଯୋଗୁଁ ଟ୍ରଲରଗୁଡ଼ିକ ବାଂଲାଦେଶ ସୀମାନ୍ତ ଆଡ଼କୁ ଅଗ୍ରସର ହୋଇଯାଇଥିଲା। ସମ୍ଭବତଃ ନିୟନ୍ତ୍ରଣ ହରାଇ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଖବର ପାଇ ତଟରକ୍ଷୀ ବାହିନୀ ୩୪ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ବେଳେ ୨୭ଜଣଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇପାରି ନାହିଁ। ଉପକୂଳ ବାହିନୀ ପକ୍ଷରୁ ତଲାସି ଜାରି ରହିଛି। ସେହିପରି ଦୁର୍ଘଟଣାଗ୍ରସ୍ତ ଚାରିଟି ଟ୍ରଲର ମଧ୍ୟରୁ ଦୁଇଟିର ସନ୍ଧାନ ମିଳିଥିଲେ ସୁଦ୍ଧା ଅନ୍ୟ ଦୁଇଟିର ସନ୍ଧାନ ମିଳିନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରତ୍ୟେକ ମତ୍ସ୍ୟଜୀବୀ ପାଥରପ୍ରତିମା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।
Comments are closed.