ମସ୍ଜିଦରେ ପ୍ରବେଶ ଓ ପ୍ରାର୍ଥନା ସଂକ୍ରାନ୍ତ ଆବେଦନ ଖାରଜ
ନୂୂଆଦିଲ୍ଲୀ : ମସ୍ଜିଦରେ ମୁସଲମାନ ମହିଳାଙ୍କୁ ପ୍ରାର୍ଥନା କରିବାର ସୁଯୋଗ ପ୍ରଦାନ ପାଇଁ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ‘ଏଭଳି ଆବେଦନ କରିବାକୁ ଆପଣ କିଏ ? ଆପଣଙ୍କର କ’ଣ କ୍ଷତି ହେଉଛି ? ଯାହାର ଦରକାର ସେ ଆସନ୍ତୁ। କୌଣସି ମୁସଲମାନ ମହିଳାଙ୍କ ପକ୍ଷରୁ ଏହି ଆବେଦନ ହେଲେ ବିଚାର କରାଯିବ’ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ ଦର୍ଶାଇଛନ୍ତି।
କେରଳ ରାଜ୍ୟ ଅଖିଳ ଭାରତ ହିନ୍ଦୁ ମହାସଭା ସଭାପତି ସ୍ବାମୀ ଦତ୍ତାତ୍ରେୟ ସାଇ ସ୍ବରୂପ ନାଥଙ୍କ ଦ୍ବାରା ଏହି ଆବେଦନ କରାଯାଇଥିଲା। ଏଥିସହ ମୁସଲମାନ ମହିଳାଙ୍କ ‘ପରଦା’ ପ୍ରଥା ଉଚ୍ଛେଦ ପାଇଁ ମଧ୍ୟ ସେ ଆବେଦନ କରିଥିଲେ; ଯାହା ଅଗ୍ରାହ୍ୟ ହୋଇଯାଇଛି। ପୂର୍ବରୁ ସ୍ବାମୀ ଦତ୍ତାତ୍ରେୟଙ୍କ ପକ୍ଷରୁ କେରଳ ହାଇକୋର୍ଟରେ ଏ ନେଇ ଆବେଦନ ହୋଇଥିଲା; କିନ୍ତୁ ହାଇକୋର୍ଟ ଏହାକୁ ଖାରଜ କରିଦେବାରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମସ୍ଜିଦରେ ପ୍ରାର୍ଥନାରୁ ମହିଳାଙ୍କୁ ବଞ୍ଚିତ କରାଯିବା ସମ୍ବିଧାନର ଧାରା ୨୧ ଓ ୧୪ର ଉଲ୍ଲଙ୍ଘନ ବୋଲି ସେ ଦର୍ଶାଇଥିଲେ। ସେହିଭଳି ପରଦା ପ୍ରଥା ଉପରେ ସେ ଦର୍ଶାଇଥିଲେ ଯେ ଭାରତ ଭଳି ଗ୍ରୀଷ୍ମପ୍ରଧାନ ରାଷ୍ଟ୍ରରେ ପରମ୍ପରା ଓ ସଂସ୍କୃତି ଆଳରେ ମହିଳାଙ୍କୁ ଏମିତି ଘୋଡ଼ାଇ ରଖାଯିବା ଅନୁଚିତ। ପୁନଶ୍ଚ ପରଦା ଅସାମାଜିକ ବ୍ୟକ୍ତିବିଶେଷଙ୍କୁ ସୁହାଉଛି ବୋଲି ସେ ଉଲ୍ଲେଖ କରିଥିଲେ।
Comments are closed.