ଜଳ ପୁରୁଷଙ୍କୁ ସହାୟତାର ହାତ ବଢ଼ାଇଲେ ସାଂସଦ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଜନଜାତି ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‍ ଗୋନାସିକା ପଂଚାୟତ ତଳବୈତରଣୀ ଗ୍ରାମର ଜଳ ପୁରୁଷ ଭାମେ ପରିଚିତ ପଦ୍ମଶ୍ରୀ ଦୈତାରୀ ନାଏକ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ଏବଂ ଘର ନିକଟରେ ଥିବା ଉଇ ହୁଙ୍କାରୁ ଝଡ଼ିପୋକ ଓ କାଇବସାରୁ ଅଣ୍ଡା ସଂଗ୍ରହ କରି ସେସବୁ ଖାଇ ବଂଚୁଥିବା ଖବର କିଟ୍‍, କିସ୍‍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଦୈନିକ ‘ସମାଜ’ର ୨୪ ତାରିଖ ସଂସ୍କରଣରୁ ଜାଣିବା ପରେ ବିଚଳିତ ହୋଇପଡ଼ିଥିଲେ। ପଦ୍ମଶ୍ରୀ ପାଇଥିଲେ ମଧ୍ୟ ଦୈତାରୀ ପେଟକୁ ମୁଠେ ଦାନା ଯୋଗାଡ଼ ପାଇଁ ପତ୍ନୀଙ୍କ ସହ ମିଶି ଆମ୍ବସଢ଼ା ପ୍ରସ୍ତୁତ କରି ବଜାରରେ ବିକ୍ରି କରିବା ଏବଂ ଶାଳ ପତ୍ର ସଂଗ୍ରହ କରି ସେଥିରେ ଖଲିପତ୍ର ପ୍ରସ୍ତୁତ କରି ଏବଂ ଜଙ୍ଗଲରୁ ଟୋଲ, ମହୁଲ, ଶାଳମଞ୍ଜି ସଂଗ୍ରହ କରି ତାକୁ ବଜାରରେ ବିକ୍ରିକରି ଗୁଜୁରାଣ ମେଣ୍ଟାଉଥିବା ଜାଣି ଶ୍ରୀ ସାମନ୍ତ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଥିଲେ। ରବିବାର ଦୈତାରୀ ଶ୍ରୀ ସାମନ୍ତଙ୍କୁ କିସ୍‍ରେ ସାକ୍ଷାତ କରିଥିଲେ। ଶ୍ରୀ ସାମନ୍ତ ତାଙ୍କୁ ତୁରନ୍ତ ୪ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ମାସିକ ୩ହଜାର ଲେଖାଏଁ ଟଙ୍କା ଦୈତାରୀଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ।
ଏହା ବ୍ୟତୀତ ଶ୍ରୀ ସାମନ୍ତ ମଧ୍ୟ କେନ୍ଦୁଝର ଜିଲ୍ଲାପାଳଙ୍କୁ ଦୈତାରୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି। ଦୈତାରୀଙ୍କ ଅନୁରୋଧ କ୍ରମେ ତାଙ୍କ ଦୁଇ ନାତିଙ୍କୁ କିସରେ ନାମ ଲେଖାଇବା ସହ ଅନ୍ୟ ଜଣେ ନାତିଙ୍କୁ କିସରେ ନିଯୁକ୍ତି ଦିଆଯିବ। ନିଜ ପ୍ରତିକ୍ରିୟାରେ ଦୈତାରୀ କହିଛନ୍ତି, ଯାହା ହେଉ ଗଣମାଧ୍ୟମରୁ ଜାଣିବା ପରେ କେହି ଜଣେ ସହାୟତାର ହାତ ବଢ଼ାଇଲେ। ସହାୟତା ପାଇଁ ସେ ଶ୍ରୀ ସାମନ୍ତଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ।

Comments are closed.