ମେ ୨୬ରୁ ୬୦ତମ ଓଡିଶା ରାଜ୍ୟ ସନ୍ତରଣ ଚମ୍ପିଆନସିପ୍

ସମ୍ବଲପୁର : ଆସନ୍ତା ମେ ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ୬୦ତମ ଓଡିଶା ରାଜ୍ୟ ସନ୍ତରଣ ଚମ୍ପିଆନସିପ୍ ସମ୍ବଲପୁରର ଡା.ଝସକେତନ ସାହୁ ସନ୍ତରଣାଗାର ଠାରେ ଅନୁଷ୍ଠିତ ହେବ। ସୁଇମିଙ୍ଗ ଫେଡେରେନସନ ଅଫ ଇଣ୍ଡିଆର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଚମ୍ପିଆନସିପ୍ର କୃତୀ ପ୍ରତିଯୋଗୀ ମାନେ ଓଡିଶାର ପ୍ରତିନିଧିତ୍ୱ ଜାତୀୟ ସନ୍ତରଣ ଚମ୍ପିଆନସିପର ସବ-ଜୁନିୟର ଓ ଜୁନିୟର ବର୍ଗରେ କରିବେ। ଜାତୀୟ ସନ୍ତରଣ ଚମ୍ପିଆନସିପ୍ ଆସନ୍ତା ଜୁନର ଶେଷ ସପ୍ତାହରେ ଗୁଜରାଟର ରାଜକୋଟ ସହରରେ ଅନୁଷ୍ଠିତ ହେବ। ସିନିୟର ନ୍ୟାସନାଲ ଚାମ୍ପିଆନସିପ ଓ ନେସନାଲ ଗେମ୍ସ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଚମ୍ପିଆନସିପର କୃତୀ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଚୟନ କରାଯିବ ବୋଲି ଓଡିଶା ରାଜ୍ୟ ସନ୍ତରଣ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବଲପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଚମ୍ପିଆନସିପରେ ଦୁଇଟି ବର୍ଗ ଯଥା ସବ – ଜୁନିୟର ଓ ଜୁନିୟର ବର୍ଗରେ ଖେଳାଳି ମାନେ ଭାଗ ନେଇ ପାରିବେ। ଜୁନିୟର ବର୍ଗ – ୧ ପାଇଁ ୧୫ ରୁ ୧୭ ବର୍ଷ ଓ ଜୁନିୟର ବର୍ଗ – ୨ ପାଇଁ ୧୨ ରୁ ୧୪ ବର୍ଷ ମଧ୍ୟରେ ବୟସ ହୋଇଥିବା ଖେଳାଳି ମାନେ ହିଁ ଭାଗ ନେଇ ପାରିବେ। ସେହିଭଳି ସବ – ଜୁନିୟର ବର୍ଗ -୧ ରେ ୧୧ ବର୍ଷ ବୟସର ଖେଳାଳି ଏବଂ ସବ – ଜୁନିୟର ବର୍ଗ – ୨ ରେ ୯ ରୁ ୧୦ ବର୍ଷ ବୟସ ହୋଇଥିବା ଖେଳାଳି ମାନେ ଭାଗ ନେଇ ପାରିବେ। ଏହି ଚମ୍ପିଆନସିପରେ ଫ୍ରି ଷ୍ଟାଇଲ ବିଭାଗର ୫୦, ୧୦୦, ୨୦୦, ୪୦୦ ଓ ୮୦୦ ମିଟର, ବେକ ଷ୍ଟ୍ରୋକ ବିଭାଗରେ ୫୦, ୧୦୦ ଓ ୨୦୦ ମିଟର, ବ୍ରେଷ୍ଟ ଷ୍ଟ୍ରୋକରେ ୫୦, ୧୦୦ ଓ ୨୦୦ ମିଟର, ବଟର ଫ୍ଲାଇରେ ୫୦, ୧୦୦ ଓ ୨୦୦ ମିଟର, ବ୍ୟକ୍ତିଗତ ମେଡଲିରେ ୨୦୦ ଓ ୪୦୦ ମିଟର, ଫ୍ରି ଷ୍ଟାଇଲ ରିଲେରେ ୪୍ଠ ୫୦ ଓ ୪୍ଠ ୧୦୦ ଏବଂ ମେଡଲି ରିଲେରେ ୪୍ଠ ୫୦, ୪୍ଠ ୧୦୦ ରେ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଜିଲା ସନ୍ତରଣ ସଂଘ ଓ ଜିଲା ଏଥେଲେଟିକ୍ସ ଏସୋସିଏସନଙ୍କ ଦ୍ୱାରା ପ୍ରସ୍ତାବିତ ଫର୍ମ ଦ୍ୱାରା ସନ୍ତରଣକାରୀ ମାନଙ୍କୁ ଚୟନ କରିବା ପାଇଁ ରାଜ୍ୟ ସନ୍ତରଣ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ପ୍ରତିଯୋଗୀତାରେ ଭାଗ ନେବାପାଇଁ ମେ ୨୦ ତାରିଖ ପର୍ଯ୍ୟନ୍ତ ଶେଷ ତାରିଖ ରଖାଯାଇଛି। ଚମ୍ପିଆନସିପ ସମ୍ବନ୍ଧରେ ଅଧିକ ବିବରଣୀ ପ୍ରାପ୍ତ ପାଇଁ ସନ୍ତରଣ ସଂଘର ସଦସ୍ୟ ଆଶୁତୋଷ ନାୟକ ଓ ଲକ୍ଷ୍ମୀ ଚନ୍ଦ୍ର ମହାକୁରଙ୍କୁ ଯୋଗାଯୋଗ କରିବା ପାଇଁ ରାଜ୍ୟ ସନ୍ତରଣ ସଂଘ ପକ୍ଷରୁ ଏକ ପ୍ରେସ ବିବୃତି ଜରିଆରେ ସୂଚନା ଦିଆଯାଇଛି।

Comments are closed.