ପ୍ରାଣୀଙ୍କ ଅଧିକାର
ବିଜୟକେତନ ପଟ୍ଟନାୟକ
ସମ୍ବିଧାନର ତୃତୀୟ ଭାଗରେ ଦେଶର ନାଗରିକମାନଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବାସସ୍ଥଳୀ ନିର୍ବିଶେଷରେ କେତେଗୁଡ଼ିଏ ମୌଳିକ ବିଶେଷାଧିକାର ପ୍ରଦାନ କରାଯାଇଛି। ତନ୍ମଧ୍ୟରୁ ମୁଖ୍ୟ ହେଉଛି ବଞ୍ଚିବାର ଅଧିକାର, ଯେଉଁଥିରେ ଆସିବ ଖାଦ୍ୟ ସୁରକ୍ଷା ଅଧିକାର, ସ୍ବାସ୍ଥ୍ୟ ଅଧିକାର, ଶିକ୍ଷା ଅଧିକାର, ସୂଚନା ପ୍ରାପ୍ତି ଅଧିକାର, ବ୍ୟକ୍ତି ସ୍ବାଧୀନତା ଓ ଗୋପନୀୟତା ଅଧିକାର, ସାଂସ୍କୃତିକ ଅଧିକାର ଇତ୍ୟାଦି। ମନୁଷ୍ୟର ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ ଉପରବର୍ଣ୍ଣିତ ସମସ୍ତ ଅଧିକାର କୌଣସି ନା କୌଣସି ସୂତ୍ରରେ ଏକ ସମ୍ବେଦନଶୀଳ ପରିବେଶ ସହ ସଂପୃକ୍ତ ଓ ତା’ ଉପରେ ନିର୍ଭରଶୀଳ। ଜୀବଜଗତ ମଧ୍ୟ ପରିବେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପରିବେଶ ଭାରସାମ୍ୟ ରକ୍ଷା କରିବାରେ ସେମାନଙ୍କର ମଧ୍ୟ ନିର୍ଦିଷ୍ଟ ଭୂମିକା ରହିଛି। ଏହି କାରଣରୁ ମାନବାଧିକାର ସମସ୍ୟାଗୁଡ଼ିକୁ ବିଚାର କଲାବେଳେ, ଆମ ଚାରିପଟରେ ବସବାସ କରୁଥିବା ଜୀବଜନ୍ତୁ ତଥା ପ୍ରାଣୀମାନଙ୍କର ଅଧିକାରକୁ ବାଦଦେଇ ପୃଥକ୍ ଭାବରେ ବିଚାର କରିବା ଆଦୌ ସମୀଚୀନ ନୁହେଁ।
ଅଳ୍ପଦିନ ତେଳ ଚିତାବାଘଟିଏ, ଭୁବନେଶ୍ବର ବିମାନଘାଟି ଅଞ୍ଚଳରେ ରାତିରେ ପ୍ରବେଶ କରିବାର ଦୃଶ୍ୟ ସିସିଟିଭି କ୍ୟାମେରାରୁ ଜଣାପଡ଼ିଲା। ଖବର ପ୍ରଚାରିତ ହୋଇଯିବା ପରେ ରାଜଧାନୀର ସମସ୍ତ ଇଲେକେଟ୍ରାନିକ ଗଣମାଧ୍ୟମ ଅହୋରାତ୍ର, ସେ ସ୍ଥାନରୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ବାଦ ପରିବେଷଣ କରିବାକୁ ପହଞ୍ଚିଗଲେ। ବନବିଭାଗର ‘ସିଟି’ ଡିଭିଜନ, ଚନ୍ଦକା ଅଭୟାରଣ୍ୟ ଡିଭିଜନ, ନନ୍ଦନକାନନର କର୍ମକର୍ତ୍ତା ଓ କର୍ମଚାରୀ, ସ୍ଥାନୀୟ ପୁଲିସ, ବିମାନଘାଟିରେ ମୁତୟନ ସିଆଇଏସଏଫ୍ ଯବାନ ଏବଂ କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ପଶୁଚିକିତ୍ସା ବିଭାଗର କର୍ମକର୍ତ୍ତା ସେଠି ସଦଳବଳ ପହଞ୍ଚିଗଲେ। ଆରମ୍ଭ ହେଲା ଚିତାବାଘ ଧରିବା ଅଭିଯାନ। ସାଙ୍ଗରେ ଯନ୍ତା, ଜାଲ ଓ ନିଶ୍ଚେତକ ପ୍ରୟୋଗ ପାଇଁ ଆବଶ୍ୟକ ଯନ୍ତ୍ରପାତି। କୌଣସି ପଳାତକ ବା ଆତଙ୍କବାଦୀଙ୍କୁ ଧରିବାକୁ ଯେଉଁ ଅଭିଯାନ, ତା’ଠାରୁ ଏହା କୌଣସି ଗୁଣରେ କମ୍ ନଥିଲା। ପଶୁ ଚିକିତ୍ସା ବିଭାଗର ଜନୈକ ଅଧିକାରୀ ହାତରେ ଡବଲ ବ୍ୟାରେଲ ବନ୍ଧୁକ ଧରି ଟିଭି ସାମ୍ନାରେ ବୀରଦର୍ପରେ କହୁଥାନ୍ତି- ଏଥିରେ ଗୋଟିଏ ସଟ୍ ମିସ୍ ହୋଇଗଲେ ଆମେ ସଙ୍ଗେସଙ୍ଗେ ଡବଲ ବ୍ୟାରେଲରୁ ଅନ୍ୟ ସଟ୍ଟିକୁ ଫୁଟାଇବୁ। ଯେମିତି ଜନ୍ତୁଟି ସଙ୍ଗେସଙ୍ଗେ ନିସ୍ତେଜ ହୋଇଯିବ। ବିଚରା କି ଦୋଷ କରିଥିଲା ଚିତାବାଘଟି? ହୁଏତ ଖାଦ୍ୟ ସନ୍ଧାନରେ ଚନ୍ଦକା ଜଙ୍ଗଲରୁ ଏଠିକି ଚାଲିଆସିଛି। ତା’ର କ’ଣ ଖାଦ୍ୟ ସଂଗ୍ରହ କରି ବଞ୍ଚିବାର ଅଧିକାର ନାହିଁ? ଚିତାବାଘ ଆକ୍ରମଣରେ ମନୁଷ୍ୟର କିଛି କ୍ଷୟକ୍ଷତି ହୋଇଥିଲେ ଅଲଗା କଥା ହୋଇଥାନ୍ତା; କିନ୍ତୁ ମାନବିକ ଅଧିକାରକୁ ସୁରକ୍ଷିତ କରିବାକୁ ଯାଇ ପ୍ରାଣୀଟିର ଅଧିକାର ହନନ କଲାବେଳେ ଆମର ଟିକିଏ ବି ଅନୁଶୋଚନା ନାହିଁ। ବନବିଭାଗ ଚିତାବାଘଟିକୁ ଉଦ୍ଧାର କରିନଥିଲେ, ଯଦି ହୁଏତ ସୁଯୋଗ ମିଳିଥାନ୍ତା, ତେବେ ଲୋକେ ତାକୁ ପିଟିପିଟି ମାରି ଦେଇଥାନ୍ତେ। ଏପରି ଘଟଣା ପୂର୍ବରୁ ମଧ୍ୟ ଘଟିଛି।
ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷର ଏବେକାର କଥା ନୁହେଁ। ପ୍ରାଗୈତିହାସିକ କାଳରୁ ମନୁଷ୍ୟ ଜୀବଜନ୍ତୁଙ୍କ ଅଧିକାରକୁ ଗୌଣ କରି ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ଉଦ୍ୟମ ଚଳାଇଛି। ମାତ୍ର ୧୫-୨୦ଲକ୍ଷ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ଆଦିମ ମଣିଷଠାରୁ ଅଧିକ ପ୍ରାଚୀନ, ଅଧିକ ଅଭିଜ୍ଞ ଜୀବମାନେ ଏବେ ମଧ୍ୟ ଜୀବିତ ଅଛନ୍ତି। ଏହି ପ୍ରାଚୀନ ଆଦିମ ଜୀବମାନେ, ମଣିଷ ଆସିବାର ଅନେକ ପୂର୍ବରୁ ଆମ ପ୍ରକୃତିର ବାସିନ୍ଦା। ସେମାନେ ବୁଦ୍ଧି, ବିଦ୍ୟା, ଜ୍ଞାନକୌଶଳରେ ମନୁଷ୍ୟମାନଙ୍କଠାରୁ ଉନ୍ନତ ନୁହନ୍ତି ସତ, ହେଲେ ପୃଥିବୀ, ପ୍ରକୃତି ଓ ପରିବେଶ ସହ ଆତ୍ମିକଭାବେ ଅଧିକ ଜଡ଼ିତ।
ମାନବିକ ଅଧିକାର ପ୍ରେକ୍ଷାପଟରେ ବନ୍ୟପ୍ରାଣୀଙ୍କର ଅଧିକାର କ’ଣ ଏହା ଯଥାର୍ଥ କି? ପ୍ରାଣୀମାନଙ୍କର ପ୍ରଥମ ଅଧିକାର ହେଲା, ନିଜନିଜର ପରିସଂସ୍ଥାନରେ ସ୍ବଇଚ୍ଛାରେ, ନିର୍ଭୟରେ ଏବଂ ସ୍ବଚ୍ଛଳରେ ଜୀବନଯାପନ କରିବା। ପ୍ରାକୃତିକ ପରିବେଶ ଭିତରେ ସେମାନଙ୍କର ପ୍ରାକୃତିକ କାର୍ଯ୍ୟକଳାପ, ଯଥା ଶିକାର, ଖାଦ୍ୟପାନୀୟ ସଂଗ୍ରହ, ସହବାସ, ବିନା ପ୍ରତିବନ୍ଧକରେ ବିଚରଣ କରିବା ସେମାନଙ୍କର ମୌଳିକ ଅଧିକାର। ଏହି ଅଧିକାର କ୍ଷୁଣ୍ଣ ହେବା ପଛରେ ମୂଳକାରଣ ହେଉଛି, ଜୀବଜନ୍ତୁଙ୍କର ପରିସଂସ୍ଥାର ପରିଧି ଭିତରକୁ ମନୁଷ୍ୟମାନଙ୍କର ଅନଧିକାର ପ୍ରବେଶ। ବିକାଶର ଦୌଡ଼ରେ ରାସ୍ତାଘାଟ, ରେଳପଥ, ସହରବଜାର, କେନାଲ ନିର୍ମାଣ ଦ୍ବାରା ତଥା ଖଣି, ଖାଦାନ ଦ୍ବାରା ପ୍ରାଣୀମାନଙ୍କର ବାସସ୍ଥଳ, ଯାତାୟାତ ପଥ ଖଣ୍ଡବିଖଣ୍ଡିତ। ସେଥିପାଇଁ ସେମାନେ ନିଜର ପରିସଂସ୍ଥା ଭିତରୁ ଅନେକ ସମୟରେ ବାହାରକୁ ଚାଲିଆସି ମନୁଷ୍ୟର ଅାକ୍ରୋଶର ଶିକାର ହୁଅନ୍ତି। ଅବିବେକୀ ମନୁଷ୍ୟ ଫାଶ ଓ ଜାଲ ବସାଇ, ଖାଦ୍ୟରେ ବିଷ ମିଶାଇ, ବିଦ୍ୟୁତ ତାରବାଡ଼ ଦେଇ ସେମାନଙ୍କର ସ୍ବାଭାବିକ କାର୍ଯ୍ୟଧାରାରେ ବାଧା ନ ପହଞ୍ଚାଉ, ଏହାହିଁ ସେମାନଙ୍କର ହକ୍ ବା ଅଧିକାର!
ମନୁଷ୍ୟମାନଙ୍କ ପରି ଜୀବଜନ୍ତୁମାନେ ମଧ୍ୟ ଦୁଃଖ, କ୍ଲେଶ,ଭୟ ଆନନ୍ଦ, ବ୍ୟର୍ଥତା ଓ ନିଃସଙ୍ଗତା ଅନୁଭବ କରନ୍ତି। ମନୁଷ୍ୟମାନଙ୍କ ପରି ସେମାନେ ମଧ୍ୟ ଜୀବନଯନ୍ତ୍ରଣା ଭୋଗିଥାନ୍ତି। ପରିବେଶର ଉପଜାତ ବିଭିନ୍ନ ଦୁଃସାଧ୍ୟ ରୋଗର ନିରାକରଣ ନିମନ୍ତେ ବିଜ୍ଞାନ ଆବିଷ୍କାର କରିଥିବା ନୂଆନୂଆ ଔଷଧର ପ୍ରାମାଣିକତା ସିଦ୍ଧ କରିବା ନିମନ୍ତେ ମୂଷା, ଠେକୁଆ ଏବଂ ବେଳେବେଳେ ମାଙ୍କଡ଼କୁ ମଧ୍ୟ ‘ଗିନିପିଗ୍’ ଭଳି ବ୍ୟବହାର କରି ସେମାନଙ୍କ ଶରୀରରେ ଔଷଧକୁ ପ୍ରୟୋଗକରି ଭଲ, ମନ୍ଦ ପରିଖିବା କ’ଣ ନୈତିକତା ଦୃଷ୍ଟିରୁ ପ୍ରାଣୀମାନଙ୍କର ଅଧିକାରର ହନନ ନୁହେଁ କି? ପ୍ରାଣୀମାନେ ମୂକ, କଥା କହି ପାରନ୍ତି ନାହିଁ। ସେଥିପାଇଁଁ ନିଜର ଅଧିକାର ଜାହିର କରିବାକୁ ସେମାନେ ମନୁଷ୍ୟ ପରି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି ନାହିଁ। ଏବେ କିନ୍ତୁ ପରିସ୍ଥିତି ବଦଳୁଛି। ‘ବଞ୍ଚିରହିବା- ପ୍ରାଣୀମାନଙ୍କର ମଧ୍ୟ ମୌଳିକ ଅଧିକାର’ ଏହି ଦାବିରେ ଦେଶବ୍ୟାପୀ ଅନେକ ପରିବେଶ୍ବିତ୍ ଓ ବନ୍ୟପ୍ରାଣୀ ପ୍ରେମୀ ସଂଗଠନ ପ୍ରତିବାଦର ସ୍ବର ଉତ୍ତୋଳନ କରୁଛନ୍ତି।
ପୂର୍ବତନ ପିସିସିଏଫ(ବନ୍ୟପ୍ରାଣୀ), ଓଡ଼ିଶା
Comments are closed.