କଂଗ୍ରେସର ଇସ୍ତାହାର

ଚଳିତ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ମଙ୍ଗଳବାର ତାହାର ଇସ୍ତାହାର ଘୋଷଣା କରିଛି। ଏଥିରେ ନିଯୁକ୍ତି, ନ୍ୟାୟ, ଟିକସ ଓ ରାଜନୈତିକ ସଂସ୍କାର, ଯୋଜନା, କୃଷି ଓ କୃଷିଶ୍ରମିକଙ୍କ ଉନ୍ନତି, ଗ୍ରାମ୍ୟ ଉନ୍ନୟନ, ମହିଳାବିକାଶ, ଦୁର୍ନୀତି ନିବାରଣ, ଅାର୍ଥିକ ନୀତି, ଜାତୀୟ ନିରାପତ୍ତା ଓ ବୈଦେଶିକ ନୀତି ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଅଗ୍ରାଧିକାର ପାଇଛି। ଏଥିରେ ଅନ୍ଧ ରାଷ୍ଟ୍ରବାଦ ଅପେକ୍ଷା ଦେଶର ପ୍ରମୁଖ କ୍ଷେତ୍ର ଅର୍ଥନୀତି ଓ ଜନକଲ୍ୟାଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଏହି ଇସ୍ତାହାରର ପ୍ରଣେତାଗଣ ନିଯୁକ୍ତି କ୍ଷେତ୍ରରେ ଯେଉଁ ସ୍ଥାଣୁତା ଦେଖାଦେଇଛି ତାହାକୁ ଦୂର କରିବାସହ ଆର୍ଥିକ ଅଭିବୃଦ୍ଧି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଯେଉଁସବୁ ମୌଳିକ ଆବଶ୍ୟକତା ରହିଛି ତାହାକୁ ପୂରଣ କରିବାକୁ ପ୍ରତିଶ୍ରୁତି ରଖିବା ସ୍ବାଗତଯୋଗ୍ୟ। ମନେହୁଏ ଯେ ଭୋଟରଙ୍କ ଦୃଷ୍ଟିର ଆକର୍ଷଣ କରିବା ପାଇଁ କଂଗ୍ରେସ ପାଖରେ ବିଶେଷ କିଛି ନାହିଁ ବୋଲି ବିରୋଧୀ ଯେଉଁ ଧାରଣା ରଖିଥିଲେ ତାହାକୁ ଭୁଲ ପ୍ରମାଣିତ କରିବାକୁ ଇସ୍ତାହାରରେ ରୀତିମତ୍‌ ଉଦ୍ୟମ ହୋଇଛି।
ମୋଟାମୋଟି ବିଜେପିକୁ ନିଶାଣ କରି ଏହାର ଏଜେଣ୍ଡା ଓ କାର୍ଯ୍ୟସୂଚୀକୁ ବଦଳାଇବାର ଏକ ସ୍ପଷ୍ଟ ବିକଳ୍ପ ଏଥିରେ ରଖାଯାଇଛି। ତେବେ ନ୍ୟାୟ ପ୍ରସଙ୍ଗରେ ଦେଶର ଗରିବ ଲୋକଙ୍କୁ ସିଧାସଳଖ ବାର୍ଷିକ ୭୨ ହଜାର ଟଙ୍କା ୧୨ କିସ୍ତିରେ ଯୋଗାଇ ଦେବାକୁ ଯେଉଁ ପ୍ରତିଶ୍ରୁୁତି ଦିଆଯାଇଛି ତାହା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଦେଶର ରାଜସ୍ବ ଉତ୍ସ ଯାହା, ସେଥିରେ ପାଞ୍ଚବର୍ଷ ପାଇଁ ୨୦କୋଟି ଗରିବ ପରିବାରଙ୍କୁ ପ୍ରତିବର୍ଷ ୭୨ହଜାର ଟଙ୍କା ଲେଖାଏଁ ଯୋଗାଇବା ଏକ ବଡ଼ ଆହ୍ବାନ। ତଥାପି କଂଗ୍ରେସ ଦଳ ଏହି ପ୍ରତିଶ୍ରୁତି ରକ୍ଷା କରିବାକୁ ବଚନବଦ୍ଧ ହୋଇଛି। ଏହା ଅଧିକ ଲୋକଦେଖାଣିଆ ଓ କମ୍‌ ବାସ୍ତବବାଦୀ। କେବଳ ଆର୍ଥିକ ବିପର୍ଯ୍ୟୟକୁ ଡାକି ଆଣିବ ନାହିଁ, ଦେଶକୁ ଗରିବ ମଧ୍ୟ କରିବ। ଋଣ ଛାଡ଼ର ପ୍ରତିଶ୍ରୁତି ଦେଶର ଅର୍ଥନୀତି ପାଇଁ ମଧ୍ୟ ଆଉଏକ ବିପଦ।
ଏଥିରେ ମୋଦୀ ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମକୁ ନିଶାଣ କରାଯାଇ ସେଥିରେ ଥିବା ତ୍ରୁଟିବିଚ୍ୟୁତିକୁ ସୁଧାରିବାର ପ୍ରତିଶ୍ରୁତି ରହିଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ଦେଶରେ ବିଭିନ୍ନ ସରକାରୀ ବିଭାଗରେ ଖାଲିପଡ଼ିଥିବା ୪ଲକ୍ଷ ପଦ ପୂରଣ ସହ ପ୍ରାଦେଶିକ ସ୍ତରରେ ଥିବା ୨୦ଲକ୍ଷ ରିକ୍ତ ପଦ ପୂରଣର ପ୍ରତିଶ୍ରୁତି ଆଶା ଉଦ୍ରେକକାରୀ ହେଲେ ମଧ୍ୟ ଆଶଙ୍କା ମୁକ୍ତ ନୁହେଁ। କର୍ମଚାରୀବହୁଳ ଶାସନତନ୍ତ୍ର ଅପେକ୍ଷା ସ୍ବଳ୍ପ, ଦକ୍ଷ ଓ ଉତ୍ତରଦାୟୀ କର୍ମଚାରୀ ସମୟର ଆହ୍ବାନ। ତଥାପି ମୋଦୀ ସରକାର ନିଯୁକ୍ତି ଓ ରୋଜଗାର ସୃଷ୍ଟି କ୍ଷେତ୍ରରେ ସେତେ ପ୍ରଭାବଶାଳୀ ହୋଇନଥିବାରୁ କଂଗ୍ରେସ ଏହାକୁ ଏକ ଟ୍ରମ୍ପକାର୍ଡ ଭାବେ ବ୍ୟବହାର କରିଛି। ଏହା ସହିତ ମହିଳାଙ୍କୁ ନିଯୁକ୍ତି କ୍ଷେତ୍ରରେ ୩୩% ସଂରକ୍ଷଣ ସୁବିଧା ଉଭୟ ଯୁବ ଓ ମହିଳା ଭୋଟରଙ୍କୁ ଆକର୍ଷିତ କରିପାରେ। ତେବେ ମନେ ରଖିବାକୁ ପଡ଼ିବ ଯେ ଶସ୍ତା, ଅବାସ୍ତବ ଓ ଲୋକଦେଖାଣିଆ ପ୍ରତିଶ୍ରୁତି ଏବଂ ବିଚାରରେ ଗୋଟିଏ ଦଳର ବାସ୍ତବ ଜ୍ଞାନ ଓ ମେଧା ପ୍ରକଟିତ ହୁଏନାହିଁ, ବରଂ ଏହା ବିଚାରବୁଦ୍ଧିର ଦୁର୍ବଳତାକୁ ପଦାରେ ପକାଏ। ଶସ୍ତାବିଚାର ଓ ପ୍ରତିଶ୍ରୁତି ଆତ୍ମଘାତୀ ଏବଂ ବିପଜ୍ଜନକ ହୋଇପାରେ।
ଇସ୍ତାହାରରେ ଦେଶର ପ୍ରମୁଖ କ୍ଷେତ୍ର ଓ ସମସ୍ୟାଗୁଡ଼ିକ ସ୍ଥାନ ପାଇଥିଲେ ହେଁ ଏହାର ଉଚିତ କାର୍ଯ୍ୟକାରିତା ଓ ସମ୍ବଳ ଯୋଗାଡ଼ ସବୁଠୁ ବଡ଼ପ୍ରଶ୍ନ। ଏଥିପାଇଁ ରାଜନୈତିକ ପ୍ରତିବଦ୍ଧତା ବିଶେଷ ଜରୁରୀ। କ୍ଷମତାକୁ ଆସିଲେ ଏହାକୁ ଅକ୍ଷରେଅକ୍ଷରେ ତତ୍‌କାଳ କାର୍ଯ୍ୟକାରୀ କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ କହିବା ସହ ‘ନିର୍ବାହନ’ ପ୍ରକ୍ରିୟାକୁ ନେଇ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ନିର୍ବାଚନ ଇସ୍ତାହାର ସର୍ବଦା ଏକ ଲୋଭନୀୟ ଓ ମିଥ୍ୟା ଦସ୍ତାବିଜ୍‌ ପ୍ରମାଣିତ ହୋଇଥାଏ ଏବଂ ଲୋକଙ୍କୁ ଆକର୍ଷିତ କରିବାକୁ ଉଦ୍ଦିଷ୍ଟ ଥାଏ। ଏହା ସତ୍ତ୍ବେ ଭୋଟର ଏଥର ଯଦି ଏହି ଇସ୍ତାହାରରେ ଆକର୍ଷିତ ହୋଇ କଂଗ୍ରେସକୁ ବିଜୟୀ କରାନ୍ତି ଦଳର ସଭାପତିଙ୍କୁ ତାଙ୍କ ପ୍ରତିଶ୍ରୁତି ପାଳନ ପାଇଁ ବେଶ କଷ୍ଟ କରିବାକୁ ପଡ଼ିବ; କାରଣ ଏଥିରେ ଏପରି ଅନେକ ପ୍ରସଙ୍ଗ ରହିଛି ଯାହାର ସମାଧାନ କଥା କହିବା ଅପେକ୍ଷା କରିବା କଷ୍ଟ।

kalyan agarbati

Comments are closed.