ନିଃସ୍ବାର୍ଥ ସେବା
ଯମରାଜଙ୍କ ସମ୍ମୁଖରେ ଜନୈକ ଦାସ ଓ ସାଧୁଙ୍କୁ ଏକ ସମୟରେ ହାଜର କରାଗଲା। ଯମରାଜ ଶୁଣାଇ ଦେଇଥିଲେ ତୁମ ଦୁହିଁଙ୍କ ଭିତରେ ଯିଏ ମୃତ୍ୟୁଲୋକରେ ପବିତ୍ର ଜୀବନ ଅତିବାହିତ କରିଛନ୍ତି ସେ ହିଁ ସ୍ବର୍ଗପୁରର ଅଧିକାରୀ ହେବେ। ଏହା ଶୁଣି ସାଧୁ କହିଲେ ଯମରାଜ ! ମୋର ସମ୍ପୂର୍ଣ୍ଣ ଜୀବନ ପବିତ୍ର କର୍ମରେ କଟିଛି। ମୁଁ ସଂସାର ତ୍ୟାଗ କରି ଜପତପ, ଧ୍ୟାନ-ଧାରଣା, ସାଧନାରେ ସମଗ୍ର ଜୀବନ ଅତିବାହିତ କରିଛି। ସନ୍ନ୍ୟାସୀ ଜୀବନରେ ମୁଁ ପରୋପକାରରେ ନିଜକୁ ଉତ୍ସର୍ଗ କରିଥିଲି।
ଏହାଶୁଣି ଦାସ କହିଲା- ମୋର ସାରାଜୀବନ ଦାସତ୍ବର ବନ୍ଧନରେ ବନ୍ଧାଥିଲା। ପୁଣ୍ୟକର୍ମ କରିବା ଅବସର ପାଇନାହିଁ। ମାଲିକର ହୁକୁମ ପାଳନ କରିବା ହିଁ ମୋ ପାଇଁ ପ୍ରମୁଖ କର୍ମଥିଲା। କୌଣସି ମହତ୍ କର୍ମ ସଂପାଦନ ନିମନ୍ତେ ମୁଁ ସମୟ ପାଇନାହିଁ। ମୁନିବର ହୁକୁମ ଅନୁସାରେ କାମ କରିବା ଭିତରେ ସବୁ ସମୟ ଅତିବାହିତ ହୋଇଯାଇଛି।
ଯମରାଜ ଦୁହିଁଙ୍କର ଧର୍ମ-ଅଧର୍ମର ବିବରଣୀ ଦେଖିବା ନିମନ୍ତେ ଚିତ୍ରଗୁପ୍ତଙ୍କୁ ନିର୍ଦେଶ ଦେଇଥିଲେ । ସାଧୁଙ୍କ ପଞ୍ଜିକାର ପ୍ରତ୍ୟେକ ପୃଷ୍ଠା ପରୋପକାରରେ ଭରିଯାଇଥିଲା। ଯେତେବେଳେ ଦାସର ପଞ୍ଜିକା ଖୋଲିଲେ ସେତେବେଳେ ସେଥିରେ ନା ଉତ୍ତମ କାର୍ଯ୍ୟର ବିବରଣୀ ଦେଖିଲେ ନା କୌଣସି ଖରାପ କାର୍ଯ୍ୟର ବିବରଣୀ ଥିଲା? ତେବେ ଏକ ସ୍ଥାନରେ କିଛି ଲେଖା ଥିବା ଦେଖିବାକୁ ପାଇଥିଲେ। ଏହା ଜାଣିବାପରେ ଯମରାଜ ପଚାରିଥିଲେ- ‘ତୁମେ ଏବେ ସତସତ କୁହ, ଜୀବନକାଳରେ ତୁମେ କ’ଣ କେବେ ବି କିଛି ପୁଣ୍ୟକାମ କି କୁକର୍ମ କରିନାହଁ?
ଦାସ ଏହାଶୁଣି କହିଲା- ପ୍ରଭୁ! ଏହା ସତ୍ୟ ମୁଁ ପାପପୁଣ୍ୟ କିିଛିହେଲେ କରିନାହିଁ। ଯମରାଜ ଏହାଶୁଣି କହିଲେ- ଥରେ ଜଙ୍ଗଲ ଭିତରେ ଏକ ତୃଷାର୍ତ୍ତ କୁକୁରକୁ ତୁମେ ପାଣି ପିଇବାକୁ ଦେଇଥିଲ ନା?
ଏହାଶୁଣି ଦାସ ଅତୀତ କଥା ମନେ ପକାଇ କହିଥିଲା- ହଁ, ଥରେ ମୁଁ ମାଲିକର କାମରେ ଜଙ୍ଗଲ ରାସ୍ତାଦେଇ ଯାଉଥିଲି। ରାସ୍ତାରେ ଦେଖିବାକୁ ପାଇଲି କୁକୁରଟିଏ ମୃତପ୍ରାୟ ଅବସ୍ଥାରେ ପଡ଼ି ରହିଅଛି। ତାକୁ ମୁମୂର୍ଷୁ ଅବସ୍ଥାରେ ଦେଖି ଛାଡ଼ିଯିବାକୁ ମୋର ମନ ବଳିଲା ନାହିଁ। ମୋ ନିକଟରେ କିଛି ହେଲେ ନଥିଲା। କୁକୁରର ଅବସ୍ଥା ଯାହା ଥିଲା, ମୋତେ ଲାଗିଲା କିଛିକ୍ଷଣ ଭିତରେ ତା’ର ପ୍ରାଣ ଚାଲିଯିବ। ପାଣି ସନ୍ଧାନରେ ମୁଁ ଏଣେତେଣେ ଦୃଷ୍ଟି ନିକ୍ଷେପ କଲି। କେଉଁଠିହେଲେ ନଜରରେ ପଡ଼ିନଥିଲା। ଅଳ୍ପକିଛି ବାଟ ଆଗକୁ ଯିବାପରେ ଗୋଟିଏ କୂଅର ସନ୍ଧାନ ମିଳିଥିଲା। ମୁଁ ମୋର ପଗଡ଼ି ଖୋଲି କୂଅେର ଭିଜାଇଥିଲି। ସେହି ଓଦାପଗଡ଼ି ଚିପୁଡ଼ି ମୃତ ପ୍ରାୟ କୁକୁରର ମୁହଁରେ ପାଣିଛାଟି, ତା’ ମୁହଁରେ ବୁନ୍ଦେବୁନ୍ଦେ ପାଣି ଦେବାରୁ କୁକୁରଟି ଆଖିଖୋଲି ଚାହିଁଥିଲା। କିଛି ପାଣି ପିଇବା ପରେ କୁକୁରଟି ସତେଜ ହୋଇ ଉଠି ଠିଆ ହେଲା। ମୁଁ ସେଠାରୁ ଚାଲିଆସିଥିଲି।
ଯମରାଜ ଅନୁଚରମାନଙ୍କୁ ନିର୍ଦେଶ ଦେଇଥିଲେ- ଏଇ ଦାସକୁ ସ୍ବର୍ଗପୁର ନେଇଯାଅ। ସାଧୁ ପ୍ରତିବାଦ କରି କହିଲେ- ‘ଯମରାଜ! ମୋର ସମଗ୍ର ଜୀବନ ସତ୍କର୍ମରେ ଅତିବାହିତ ହୋଇଛି। ମୋତେ ମଧ୍ୟ ସ୍ବର୍ଗପୁରରେ ସ୍ଥାନ ମିଳିବା ଉଚିତ।
ଯମରାଜ ଏହାଶୁଣି କହିଥିଲେ- ‘ତୁମର ପରୋପକାର ମୂଳରେ ନିହିତ ଥିଲା, ସ୍ବାର୍ଥକୈନ୍ଦ୍ରିକ ମନୋଭାବ। ତୁମେ ପୁଣ୍ୟାର୍ଜନ ଉଦ୍ଦେଶ୍ୟରେ ହିଁ ଏସବୁ କର୍ମ କରୁଥିଲ। ଅନ୍ୟ ପକ୍ଷରେ ଦାସର ଏହି ପରୋପକାର ମୂଳରେ କୌଣସି ଅଭିସନ୍ଧି/ସ୍ବାର୍ଥ ନଥିଲା। ତା’ର ଏହି ଗୋଟିଏ କାର୍ଯ୍ୟ ତୁମର ସକଳ ସତ୍କାର୍ଯ୍ୟଠାରୁ ଢ଼େର ଉପରେ। ନିଃସ୍ବାର୍ଥପର ଭାବରେ କରାଯାଇଥିବା ଗୋଟିଏ କାର୍ଯ୍ୟ ସ୍ବାର୍ଥସର୍ବସ୍ବ ଭାବରେ କରାଯାଇଥିବା ଅନେକ କାର୍ଯ୍ୟଠାରୁ ଶ୍ରେଷ୍ଠତମ।’