ଅନନ୍ୟ ଉଦାରତା
ସେ ସମୟରେ ଆମେରିକାର ରାଷ୍ଟ୍ରପତି ଥାନ୍ତି ରୁଜଭେଲଟ୍। ଏକଦା ରୁଜ୍ଭେଲଟ୍ ସସ୍ତ୍ରୀକ ଏକ ପାରିବାରିକ ସମାରୋହରେ ଯୋଗ ଦେବାକୁ ଆମନ୍ତ୍ରିତ ହୋଇ ଯାଇଥାନ୍ତି। ସମାରୋହରେ ପହଞ୍ଚିବା ପରେ ଆମେରିକାର ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସହ ରୁଜ୍ଭେଲଟ୍ ଆଳାପଆଲୋଚନାରେ ବ୍ୟସ୍ତ ଥାଆନ୍ତି ଏବଂ ତାଙ୍କର ପତ୍ନୀ ଅତିବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ ପେଣ୍ଡାଲରେ ପଡ଼ିଥିବା ଚୌକିରେ ନିଜ ଶୁଭଚିନ୍ତକମାନଙ୍କସହ ବସିଥାନ୍ତି। ସେହି ସ୍ଥାନକୁ କେବଳ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ବ୍ୟକ୍ତି ହିଁ ଯିବାର ଅନୁମତି ପାଇଥିଲେ।
ଜଣେ ବୃଦ୍ଧ ସଜ୍ଜନ କୌଣସି ପ୍ରକାରେ ରୁଜଭେଲଟଙ୍କ ପତ୍ନୀଙ୍କ ନିକଟକୁ ଆସିବାକୁ ସକ୍ଷମ ହୋଇଥିଲେ ଓ ନମ୍ରଭାବରେ କହିଥିଲେ-‘ମହାଶୟା! ମୋର ପତ୍ନୀ ଆପଣଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି, କିନ୍ତୁ ସୁରକ୍ଷା କର୍ମଚାରୀମାନେ ତାଙ୍କୁ ଆପଣଙ୍କ ନିକଟକୁ ଆସିବାକୁ ଦେଉନାହାନ୍ତି। ସେମାନଙ୍କୁ ଯାହା ନିର୍ଦେଶ ଦିଆଯାଇଛି ସେମାନେ ତାହା ପାଳନ କରୁଛନ୍ତି। ଆପଣ କ’ଣ ତାଙ୍କୁ ଆପଣଙ୍କ ନିକଟକୁ ଆସିବାକୁ ଦେବେନି? ଯଦି ତାଙ୍କୁ ସାକ୍ଷାତର ଅନୁମତି ଦିଅନ୍ତେ ଏହା ଆ ମ ଦୁହିଁଙ୍କ ପାଇଁ ଅତି ଖୁସିର ଖବର ହୁଅନ୍ତା।’
ଶ୍ରୀମତୀ ରୁଜଭେଲଟ ବୃଦ୍ଧଙ୍କ ଏଭଳି ଅନୁରୋଧରେ କିଛିକ୍ଷଣ ଚିନ୍ତା କରି ପଚାରିଥିଲେ- ଆପଣଙ୍କ ପତ୍ନୀଙ୍କ ବୟସ କେତେ ହେବ?
ସଜ୍ଜନଙ୍କ ଉତ୍ତର ଥିଲା ପାଖାପାଖି ଅଶୀବର୍ଷ। ଏହା ଶୁଣୁଶୁଣୁ ଶ୍ରୀମତୀ ରୁଜଭେଲଟ ନିଜ ଆସନରୁ ଉଠିପଡ଼ିଲେ। ନମ୍ର ଭାବରେ କହିଲେ- ‘ଆପଣଙ୍କ ପତ୍ନୀ ମୋଠାରୁ ବୟସରେ ଢ଼େର ବଡ଼। ଏହା ବ୍ୟତୀତ ସେ ଦେଶର ଜଣେ ସମ୍ମାନୀୟା ନାଗରିକ। ବୟସ୍କ ବ୍ୟକ୍ତିମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରିବା ଆମ ସମସ୍ତଙ୍କର ଶ୍ରେଷ୍ଠ କର୍ତ୍ତବ୍ୟ। ଏହାକୁ ପ୍ରତ୍ୟେେକ ନିଜର ପ୍ରମୁଖ କର୍ତ୍ତବ୍ୟ ଭାବି ପାଳନ କରିବା ଉଚିତ। ସେ ମୋ ନିକଟକୁ ଆସିବା ଉଚିତ ନୁହେଁ। ମୁଁ ତାଙ୍କ ନିକଟକୁ ଯାଉଛି, ଏହି ସ୍ଥାନକୁ ପାଛୋଟି ଆଣିବି।’ ଏହା କହି ସୁରକ୍ଷା କର୍ମଚାରୀଙ୍କୁ ଉପେକ୍ଷା କରି ନିଜେ ସେହି ବୃଦ୍ଧ ସଜ୍ଜନଙ୍କ ସହ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଚାଲିଯାଇଥିଲେ।
ତାଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନପୂର୍ବକ ସାଥିରେ ଧରି ରୁଜଭେଲଟ ମଞ୍ଚ ଉପରକୁ ଆସିଥିଲେ। ଯେତେବେଳେ ସମାରୋହରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଏହା ଜାଣିବାକୁ ପାଇଲେ ସମସ୍ତେ ଶ୍ରୀମତୀ ରୁଜଭେଲଟଙ୍କ ଉଦାରତା ତଥା ମହନୀୟତାର ଉଚ୍ଛ୍ବସିତ ପ୍ରଶଂସା କରିଥିଲେ। ସ୍ବୟଂ ରୁଜଭେଲଟ୍ ମଧ୍ୟ ପତ୍ନୀଙ୍କ ଏତାଦୃଶ କାର୍ଯ୍ୟକୁ ପସନ୍ଦ କରିଥିଲେ।
ବରିଷ୍ଠ ନାଗରିକମାନଙ୍କ ଅବଦାନକୁ ନେଇ ଯେ କୌଣସି ଜାତି ବା ଦେଶ ସମୃଦ୍ଧ ହୋଇଥାଏ। ସେମାନଙ୍କୁ ଉପେକ୍ଷା କରିବା କିମ୍ବା ହେୟ ମନୋଭାବ ପ୍ରଦର୍ଶନ ପୂର୍ବକ ଅବହେଳା କରିବା, ଅସମ୍ମାନିତ କରିବା କୌଣସି କ୍ଷେତ୍ରରେ ସ୍ପୃହଣୀୟ ନୁହେଁ।