ସିବିଏସ୍ଇ ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ଏକକ ପ୍ରମାଣପତ୍ର
ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଚଳିତ ବର୍ଷଠାରୁ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଏକକ ପ୍ରମାଣପତ୍ର ପ୍ରଦାନ କରିବ। ଏଥିରେ ଛାତ୍ରଛାତ୍ରୀଙ୍କ ନମ୍ବର ସହିତ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ସନ୍ନିବେସିତ ହେବ। ଛାତ୍ରଛାତ୍ରୀ ଏହାକୁ ପ୍ରତି କ୍ଷେତ୍ରରେ ପ୍ରମାଣପତ୍ର ଭାବେ ବ୍ୟବହାର କରିପାରିବେ। ସିବିଏସ୍ଇ ପରୀକ୍ଷା ପରିଚାଳନା କମିଟି ଦ୍ବାରା ଗୃହୀତ ଏ ସଂକ୍ରାନ୍ତ ପ୍ରସ୍ତାବକୁ ସରକାରୀ ଅନୁମୋଦନ ମିଳିଛି। ଅପରପକ୍ଷରେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପୂର୍ବପରି ଦୁଇଟି ଅଲଗା ପ୍ରମାଣପତ୍ର ବଳବତ୍ତର ରହିବ। ସେମାନେ ନମ୍ବର ତାଲିକା ବା ମାର୍କସିଟ୍ ଓ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ଅଲଗା ଭାବେ ପାଇବେ। ଯେଉଁମାନେ ‘ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା’ ଦେବେ ସେମାନଙ୍କୁ କେବଳ ସ୍ବତନ୍ତ୍ର ମାର୍କସିଟ୍ ମିଳିବ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ୨୦୨୦ରୁ କମ୍ପାର୍ଟମେଣ୍ଟ ପରୀକ୍ଷାର୍ଥୀଙ୍କୁ ସର୍ବାଧିକ ତିନିଟି ସୁଯୋଗ ମିଳିବ। ଅକୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ପରୀକ୍ଷା ଦେବାକୁ ସୁଯୋଗ ମିଳିବ; କିନ୍ତୁ ପ୍ରାକ୍ଟିକାଲ ନମ୍ବର ଅପରିବର୍ତ୍ତିତ ରହିବ।