www.samajalive.in
Tuesday, December 9, 2025
17.1 C
Bhubaneswar

ଜୀବନ ମାର୍ଗଦର୍ଶିକା

ରବିନ୍‌ ଖଣ୍ଡାୟ ତରାୟ

ମାଳୀର ନିରନ୍ତର ପ୍ରଚେଷ୍ଟା ବଳରେ ଯେପରି ଉଦ୍ୟାନରେ ପ୍ରଚୁର ପରିମାଣରେ ସୁଗନ୍ଧିତ ଫୁଲମାନ ଫୁଟିଥାଏ ସେହିପରି ଭାବରେ ବ୍ୟକ୍ତିର ବ୍ୟକ୍ତିତ୍ୱ ନିଜର ନିରନ୍ତର ପ୍ରଯତ୍ନ ତଥା ଉତ୍ତମ ଶିକ୍ଷାବଳରେ ବିକଶିତ ହୋଇଥାଏ। ସମୟ ସାଗର ତୀରରେ ଜୀବନ ନାବଟି ଆୟୁଷ କାତ ମାରି ଆଗକୁ ଆଗକୁ ଚାଲିଛି। ଆହୁରି ଆଗରେ ଅଛି ମୃତ୍ୟୁ ରୂପକ ଗଣ୍ଡ ଯେଉଁଠାରେ ପଡ଼ିବା କ୍ଷଣି ଆଉ କାତ ନ ପାଇ ନୌକାଟି ବୁଡ଼ିଯିବ, ଆଉ ଜୀବନର ଖେଳ ସରିଯିବ। ଏହା ଧ୍ରୁବ ସତ୍ୟ, ଯାହା ସମସ୍ତଙ୍କ ଜୀବନରେ ନିଶ୍ଚୟ ଘଟିବ। ତଥାପି ସେ ସମୟକୁ ଆଡ଼େଇ ଯିବାର ଭାବପ୍ରବଣତା, ଆଉ ସେହି ବାଟ ଦେଇ ଯାଉଥିଲେ ମଧ୍ୟ ଉକ୍ତ ଗଣ୍ଡରେ ନପଡ଼ିବାର ମାନସିକତା ପାଇଁ ଅସଜଡ଼ା ହୋଇଯାଏ ଜୀବନ। ଅତଏବ ଏହି ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ଆଉ ଜୀବନକୁ ସଜାଡ଼ିବାକୁ ହେବ। ଯେମିତି କିଛିଦିନ ଦୂରଯାତ୍ରା ପାଇଁ ବାହାରକୁ ଯିବାର ଥିଲେ ଆମେ ନିଜର ଆବଶ୍ୟକ ସରଂଜାମ, ଯଥା- ପୋଷାକପତ୍ର, ଖାଦ୍ୟସାମଗ୍ରୀ, ଟଙ୍କାପଇସା ଆଦି ସଜାଡ଼ି ରଖିଥାଉ। ଅଥଚ ଏ ଦୁନିଆ ଛାଡ଼ି ଆଉ ଏକ ଦୁନିଆକୁ ଯାତ୍ରା କରିବାରେ ଆମର ପୂର୍ବ ପ୍ରସ୍ତୁତିର ଯେ ଆବଶ୍ୟକ ରହିଛି; ଏହି ଚେତନା ଆମ ଭିତରେ ଜାଗ୍ରତ ହୋଇପାରିଲେ ପରକାଳ ଯାତ୍ରାପାଇଁ ଆମ ମୁଣିରେ ଅପକର୍ମର ପାପଫଳ ବୋଝେଇ ହେବା ପରିବର୍ତ୍ତେ ଧାର୍ମିକ କର୍ମର କିଛି ପୁଣ୍ୟ ଫଳ ଅବଶ୍ୟ ଭର୍ତ୍ତି ହୋଇପାରନ୍ତା। ଯିଏ ମୃତ୍ୟୁପାଇଁ ନିଜକୁ ପ୍ରସ୍ତୁତ କରାଇ ନିଅନ୍ତି, ସେ ପଥିକଙ୍କ ଜୀବନର ପଥଧାର କୁସୁମିତ ହୋଇଥାଏ।
ଭଗବାନ ଆମକୁ ମଣିଷ ଜନ୍ମ ଦେଇଛନ୍ତି, ଆଉ ବୁଦ୍ଧି, ଜ୍ଞାନ ତଥା ବିଚାର କରିବାର କ୍ଷମତା ମଧ୍ୟ ପ୍ରକାଶ କରିଛନ୍ତି। ଥରେ ଭାବନ୍ତୁ ଆମେ ଯଦି କୌଣସି କାରଣରୁ କିଛି ଖରାପ କାମଟିଏ କରିଦେଲେ ତା’ପରେ ନିଜ ପିତାଙ୍କ ପାଖରେ ମୁହଁ ଦେଖାଇବାକୁ ଲାଜ ଲାଗୁଛି। ମାତ୍ର ଏହିପରି ସର୍ବଦା ଅନେକ କୁକର୍ମରେ ଲିପ୍ତ ରହି କେମିତି ପରମପିତାଙ୍କ ପାଖରେ ମୁହଁ ଦେଖାଇ ପାରିବା ବୋଲି ଆମେ ଭାବିପାରୁଛେ। ଏହିପରି ସାମାନ୍ୟ ଚିନ୍ତାଟିଏ ଯଦି ମନ ମଧ୍ୟରେ ଦୃଢ଼ଭାବରେ ବସା ବାନ୍ଧିିଦେବ ତେବେ ସମାଜରୁ ଅନେକ ପରିମାଣରେ ମନ୍ଦକର୍ମ ହ୍ରାସ ପାଇଯିବ; କାରଣ ଉପଯୁକ୍ତ କର୍ତ୍ତବ୍ୟ କର୍ମର ବିଚାର କେବଳ ମଣିଷ ପାଖରେ ହିଁ ଥାଏ। ଆଉ ଜ୍ଞାନୀମାନେ ଯଥା ସମୟରେ ଧର୍ମ, ଅର୍ଥ, କାମର ଯଥାର୍ଥ ପ୍ରୟୋଗ କରି ମୋକ୍ଷମାର୍ଗୀ ହୋଇଥାଆନ୍ତି। ଯିଏ ଧର୍ମ, ଅର୍ଥ ଛାଡ଼ି ସର୍ବଦା କେବଳ କାମ ସେବା କରୁଥାଆନ୍ତି ସେହି ବ୍ୟକ୍ତି ଅଧମ ସ୍ୱଭାବର ବୋଲି ଜାଣିବାକୁ ହେବ। ମଣିଷ ହୋଇ ଜନ୍ମହୋଇଛେ ମାନେ ମାନବିକ ଧର୍ମ ପାଳନ କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ। ସମଗ୍ର ସଂସାରର ଯକ୍ଷ-ରକ୍ଷ, ସୂର୍ଯ୍ୟ-ଚନ୍ଦ୍ର, ଗ୍ରହ-ନକ୍ଷତ୍ର, ଅଗ୍ନି-ବାୟୁ, ଆକାଶ-ଧରିତ୍ରୀ, ପଶୁ-ପକ୍ଷୀ, କୀଟ-ପତଙ୍ଗ କେହିକେବେ ନିଜନିଜର ଧର୍ମପଥରୁ ବିଚ୍ୟୁତ ହୋଇନାହାନ୍ତି । ଏକମାତ୍ର ମଣିଷ ଆଜି ଧର୍ମଛଡ଼ା ପାଲଟି ଯାଇଛି।
ଅଗ୍ନିର ଉଷ୍ମତା ଯେପରି ଧର୍ମ, ଯେଉଁ ଉଷ୍ମତା ପାଇଁ ସେ ଅଗ୍ନି ତତ୍ତ୍ୱକୁ ଧାରଣ କରିଛି, ଯେଉଁ ଉଷ୍ମତା ନଥିଲେ ସେ ଅଗ୍ନି ନୁହେଁ ବରଂ ପାଉଁଶ। ସେହିପରି ମନୁଷ୍ୟଠାରେ ଧର୍ମ ନଥିଲେ ସେ ଦ୍ୱିପାଦ ପଶୁ ଅଥବା ପିଶାଚ ସହିତ ସମାନ। ମନୁଷ୍ୟ ମଧ୍ୟରେ ଦିବ୍ୟତ୍ୱ ଆଉ ପଶୁତ୍ୱ ଉଭୟ ଗୁଣ ରହିଅଛି। ପାଶବିକ ପ୍ରବୃତ୍ତି ମଣିଷ ପାଇଁ ବନ୍ଧନ ତଥା ଦୁଃଖର କାରଣ ହୋଇଥିବା ବେଳେ ଦିବ୍ୟଗୁଣ ମୁକ୍ତି ସନ୍ଧାନୀ ତଥା ଆନନ୍ଦପ୍ରଦାୟକ ହୋଇଥାଏ। ମହାଭାରତର ପୃଷ୍ଠଭୂମିରେ ଯକ୍ଷ ଯୁଧିଷ୍ଠିର ସମ୍ବାଦରେ ଧର୍ମରାଜ ଯୁଧିଷ୍ଠିର କହିଛନ୍ତି, ‘ହେ ଯକ୍ଷ! ମନୁଷ୍ୟର ରକ୍ଷାକବଚ ହେଉଛି ଧର୍ମ। ଧର୍ମ ନଷ୍ଟ ହେଲେ ତାକୁ କେହି ରକ୍ଷା କରିପାରିବେ ନାହିଁ’। ଧର୍ମ ବିଷୟରେ ଶାସ୍ତ୍ରପୁରାଣମାନଙ୍କରେ ଅନେକ ଉପଦେଶ ପ୍ରଦାନ କରାଯାଇଥିଲେ ମଧ୍ୟ ଧର୍ମର ସଂକ୍ଷିପ୍ତ ସାରମର୍ମ ହେଉଛି, ‘ଯାହା ନିଜକୁ ପସନ୍ଦ ଲାଗେ ନାହିଁ ଅନ୍ୟ ପ୍ରତି ସେପରି ଆଚରଣ ପ୍ରଦର୍ଶନ ନକରିବା ଆଉ ସର୍ବଦା ପରୋପକାରୀ ହେବା’। ‘ଧାର୍ମିକ ଭାବ ସମ୍ପନ୍ନ ବ୍ୟକ୍ତି ସମୂହ, ବିପଦ ସମୟରେ ଅସୀମ ଧୈର୍ଯ୍ୟଧାରଣ କରିଥାଆନ୍ତି। ଅତୁଳ ଐଶ୍ୱର୍ଯ୍ୟ ମଧ୍ୟରେ ରହି ମଧ୍ୟ ନିଜକୁ ଗୃହହୀନ ମନେକରନ୍ତି। ଅପର୍ଯ୍ୟାପ୍ତ କ୍ଷମତାର ଅଧିକାରୀ ହୋଇଥିଲେ ମଧ୍ୟ ସର୍ବଦା କ୍ଷମାଶୀଳ ଆଉ ଦୟାର୍ଦ୍ର ହୃଦୟଯୁକ୍ତ ହୋଇଥାଆନ୍ତି ଏବଂ କ୍ରୋଧ ଉଦୟ ସମୟରେ ନୀରବ ହୋଇଯାଆନ୍ତି’। ଏହା ହିଁ ଜୀବନ ପରିଚାଳନାର ଉପଯୁକ୍ତ ମାର୍ଗ। ଏହାକୁ ଜୀବନରେ ଯିଏ ଯେତେ ପରିମାଣରେ କାର୍ଯ୍ୟରେ ଲଗାଇପାରିଲେ ସେ ସେତେ ସୁଖ ଆଉ ଆନନ୍ଦରେ ସମୟ ଅତିବାହିତ କରିବେ, ଏଥିରେ ସନ୍ଦେହର ଅବକାଶ ନାହିଁ।
କିସ୍‌ ମାନିତ ବିଶ୍ୱବିଦ୍ୟାଳୟ,
ଭୁବନେଶ୍ୱର-୨୪.

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories