ଓଡ଼ିଆ ଶାସ୍ତ୍ରୀୟ ଭାଷାର କାଳ ନିର୍ଣ୍ଣୟ
ବସନ୍ତ କୁମାର ପଣ୍ଡା
ଶାସ୍ତ୍ରୀୟ ମାନ୍ୟତା ପାଇବା ଫଳରେ ଆମ ମାତୃଭାଷା ଓଡ଼ିଆର ପ୍ରାଚୀନତା ଓ ମୌଳିକତା ସିଦ୍ଧ ହୋଇଛି ଓ ସରକାରୀ ଭାବେ ସ୍ବୀକୃତି ଲାଭ କରିଛି। ତେଣୁ ଏ କଥାକୁ ନିର୍ବିବାଦରେ ସମସ୍ତେ ମାନିନେବା ଉଚିତ। ଯଦି ଏ ବିଷୟରେ କାହାରି ଦ୍ବିମତ ଥାଏ ବା ଏ ପ୍ରସଙ୍ଗରେ ବିତର୍କ କରିବାକୁ କେହି ଚାହଁୁଥାନ୍ତି, ତେବେ ତାହା କେବଳ ଜାତୀୟତା ବିରୋଧୀ ଅହଂମନ୍ୟତା ବା ଶୁଷ୍କ ପଣ୍ଡିତମନ୍ୟତା ବୋଲି ଭାବିବାକୁ ପଡ଼ିବ। ଏକଥା ଅବତାରଣାର ପ୍ରୟୋଜନ ହେଉଛି ଯେ କେହିକେହି ଓଡ଼ିଆ ଭାଷାର ଶାସ୍ତ୍ରୀୟ ଯୋଗ୍ୟତା ଓ ଓଡ଼ିଆଭାଷା ସାହିତ୍ୟର ଶାସ୍ତ୍ରୀୟ କାଳ ନିରୂପଣ ବିଷୟରେ ପ୍ରଶ୍ନ ଉଠାଉଛନ୍ତି। କେହି ଅଣ-ଓଡ଼ିଆ ଗବେଷକ ଏ ପ୍ରଶ୍ନ ଉଠାଇଲେ ତାଙ୍କୁ ଉତ୍ତର ଦେବା ପାଇଁ ଆମ ପାଖରେ ଯଥେଷ୍ଟ ବୌଦ୍ଧିକ ଓ ଆଇନସମ୍ମତ ପ୍ରମାଣ ଅଛି, କିନ୍ତୁ କୌଣସି ଓଡ଼ିଆ ଗବେଷକ ବା ବିଜ୍ଞବ୍ୟକ୍ତି ଏପ୍ରକାର ପ୍ରଶ୍ନ ଉଠାଇଲେ ଆମକୁ ହତଭାଗ୍ୟ ମନେ କରିବାକୁ ହେବ। ତଥାପି ଓଡ଼ିଆ ଭାଷା ସାହିତ୍ୟର ଶାସ୍ତ୍ରୀୟ କାଳ ନିର୍ଣ୍ଣୟ ସମ୍ପର୍କରେ ଆଲୋଚନା କରି ଏହାର ଏକ ସର୍ବମାନ୍ୟ ପ୍ରାମାଣିକ ଗ୍ରହଣଯୋଗ୍ୟ ସିଦ୍ଧାନ୍ତ ସ୍ଥିର କରିବାକୁ ପଡ଼ିବ।
ସଂସ୍କୃତ ଓ ତାମିଲ ଭାଷା ବ୍ୟତୀତ ଅନ୍ୟସବୁ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା-ଉଭୟ ଦ୍ରାବିଡ଼ ଓ ଭାରତୀୟ ଆର୍ଯ୍ୟ ପରିବାର ସମ୍ଭୂତ ଭାଷାର ସାହିତ୍ୟ ସୃଷ୍ଟି ନବମ-ଦଶମ ଶତାବ୍ଦୀରୁ ହିଁ ହୋଇଥିବା କଥା ଆମେ ସାହିତ୍ୟର ଇତିହାସରୁ ଜାଣିଛୁ। ତେଣୁ ଭାରତର ଇତିହାସରେ ଯେଉଁ ସମୟକୁ ପ୍ରାଚୀନକାଳ ଭାବେ ଚିହ୍ନିତ କରାଯାଏ ତାହା ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀଠାରୁ ଖ୍ରୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ। ବୁଦ୍ଧଦେବଙ୍କ ଜନ୍ମଠାରୁ ହର୍ଷବର୍ଦ୍ଧନଙ୍କ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ। ଏହି ସମୟକୁ କଳିଙ୍ଗ ସମୃଦ୍ଧ ରାଜ୍ୟ ଥିବା ଓ କଳିଙ୍ଗାଃ ସାହସିକା ଜାତି ଭାବରେ ପରିଚିତ ଥିବାର ବହୁ ସୂଚନା ରହିଛି। ଓଡ଼ିଆ ବା ଉଡ୍ର ଭାଷାର ପ୍ରତ୍ନରୂପର ନମୁନା ବିଭିନ୍ନ ଶିଳାଲେଖରୁ ଉଦ୍ଧାର ହୋଇଛି ଅଶୋକଙ୍କ ଧଉଳି ଓ ଜଉଗଡ଼ ଶିଳାଲେଖରେ ଏବଂ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ। ବିଭିନ୍ନ ପ୍ରାଚୀନ ଶାସ୍ତ୍ର ଓ ପୁରାଣରେ କଳିଙ୍ଗ ଦେଶ, ଜାତି ଓ ଭାଷାର ସୂଚନାରୁ ଏକଥା ସ୍ପଷ୍ଟ ହୋଇଛି। ବୁଦ୍ଧାୟନଙ୍କ ଧମ୍ମ ସୂତ୍ର, ଭରତଙ୍କ ନାଟ୍ୟଶାସ୍ତ୍ର, ଲଳିତ ବିସ୍ତରଠାରୁ କାଳିଦାସଙ୍କ ରଘୁବଂଶ ପର୍ଯ୍ୟନ୍ତ ବିିଭିନ୍ନ ଗ୍ରନ୍ଥରେ ଓ ହୁଏନସାଂ ଓ ତାରାଲମା ପ୍ରମୁଖଙ୍କ ବିବରଣୀରେ ଏହାର ଉଲ୍ଲେଖ ରହିଛି, କିନ୍ତୁ ଓଡ଼ିଆ ଭାଷାରେ ରଚିତ ସାହିତ୍ୟର କୌଣସି ସନ୍ଧାନ ଏହି ସମୟରେ ଆମେ ପାଉନାହୁଁ। ଏହି କଥାକୁ ବିଚାରକୁ ନେଇ ଦେଖାଗଲେ ଆମ ସାହିତ୍ୟର ଇତିହାସରେ ପ୍ରାଚୀନକାଳ ଭାବେ ଯେଉଁ ସମୟ ନିର୍ଣ୍ଣୀତ ହୋଇଛି ଭାରତୀୟ ଇତିହାସରେ ତାହା ମଧ୍ୟକାଳ। ଏଇ ମଧ୍ୟକାଳକୁ ପୁଣି ପୂର୍ବମଧ୍ୟ ଓ ଉତ୍ତର ମଧ୍ୟକାଳ ଭାବେ ଚିହ୍ନିତ କରାଯାଏ। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ନବମ-ଦଶମ ଶତାବ୍ଦୀଠାରୁ ପଞ୍ଚଦଶ ପର୍ଯ୍ୟନ୍ତ ଆଦି ବା ପୂର୍ବ ମଧ୍ୟ ଯୁଗ ଓ ପଞ୍ଚଦଶଠାରୁ ଊନ୍ନବିଂଶର ମଧ୍ୟଭାଗ ପର୍ଯ୍ୟନ୍ତ ମଧ୍ୟ ଯୁଗ ଭାବେ ସ୍ଥିର କରାଯାଇପାରେ। ନବମ ଶତାବ୍ଦୀରୁ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଏକ ହଜାର ବର୍ଷର ସାହିତ୍ୟ ସୃଷ୍ଟିକୁ ଆମେ ପ୍ରାଚୀନ ଓ ମଧ୍ୟଯୁଗର ସାହିତ୍ୟଭାବେ ଚିହ୍ନିତ କରିପାରିବା। ଊନବିଂଶ ଶତାବ୍ଦୀର ଉପନିବେଶ ଶାସନକାଳରେ ରଚିତ ପାଶ୍ଚାତ୍ୟ ପ୍ରଭାବିତ ସାହିତ୍ୟକୁ ଆଧୁନିକ ଯୁଗର ସାହିତ୍ୟ ଭାବେ ନିଶ୍ଚିତ କରିପାରିବା। ଏହି ଦୃଷ୍ଟିରୁ ବିଚାର କଲେ ନବମ-ଦଶମ ଶତାବ୍ଦୀରୁ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ରଚିତ ଓଡ଼ିଆ ସାହିତ୍ୟ ଓ ତା’ର ମାଧ୍ୟମ ବା ସାଧନ ଭାବେ ପ୍ରଚଳିତ ଭାଷାକୁ ଶାସ୍ତ୍ରୀୟଭାଷା ସାହିତ୍ୟର ମର୍ଯ୍ୟାଦା ଦେଇପାରିବା। ଏହି ବିଚାରରେ କୌଣସି ଧୃଷ୍ଟତା ରହିବନାହିଁ ବୋଲି ମୋର ବିନୀତ ମତ। ଉପନିବେଶ-ପୂର୍ବ ଭାଷା ସାହିତ୍ୟ ହିଁ ହେବ ଓଡ଼ିଆ ଭାଷା ସାହିତ୍ୟର ଶାସ୍ତ୍ରୀୟ କାଳ।
ସଂସ୍କୃତ ଓ ତାମିଲର ନିର୍ବିବାଦୀୟ ପ୍ରାଚୀନତାକୁ ଛାଡ଼ିଦେଲେ ଅନ୍ୟ ଯେଉଁ ତିନିଟି ଭାଷା ଓଡ଼ିଆ ସହିତ କ୍ଲାସିକାଲ ମାନ୍ୟତାପ୍ରାପ୍ତ ହୋଇଛି ସେଗୁଡ଼ିକର ଐତିହାସିକ ପରିଣତି ବିଷୟରେ ସାମାନ୍ୟ ଆଲୋଚନା କରିବା ପ୍ରୟୋଜନ! କନ୍ନଡ଼ ଭାଷା ୨୦୦୮ରେ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ହୋଇଥିଲା ଓ ବର୍ତ୍ତମାନ ଭାରତୀୟ ଭାଷା ସଂସ୍ଥାନ ଦ୍ବାରା ମହୀଶୂର ବିଶ୍ବବିଦ୍ୟାଳୟ ପରିସରରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ କ୍ଲାସିକାଲ କନ୍ନଡ଼’ ପ୍ରତିଷ୍ଠା କରାଯାଇଛି। ଏଇ କନ୍ନଡ଼ ଭାଷାର ବର୍ତ୍ତମାନର ଆଧୁନିକ ରୂପ (ହେସାକନ୍ନଡ଼) ପ୍ରାଚୀନ ସମୟରୁ ଚାେରାଟି ପର୍ଯ୍ୟାୟ ଅତିକ୍ରମ କରି ବିକଶିତ ହୋଇଛି। ପଞ୍ଚମ ଶତାବ୍ଦୀରୁ ପୁରାତନ କନ୍ନଡ଼ ଭାଷାର ପରିଚୟ ଅଭିଲେଖରେ ଥିବାବେଳେ ଦ୍ବାଦଶରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ବଚନ ସାହିତ୍ୟ ମାଧ୍ୟମରେ ତା’ର ପ୍ରଥମ ସାହିତ୍ୟିକ ପରିଚୟ ମିଳେ। ଏଇ ସମୟକାଳକୁ ସେମାନେ କନ୍ନଡ଼ ଭାଷାର କ୍ଲାସିକାଲ ସମୟ ଭାବେ ଅଭିହିତ କରନ୍ତି। ନବମ ଶତାବ୍ଦୀରେ ରଚିତ ‘କବିରାଜ ମାର୍ଗ’କୁ ଆଦିରଚନା ଭାବେ ଗ୍ରହଣକରି ଦଶମ ଶତାବ୍ଦୀରେ ଆଦିକବି ପମ୍ପାଙ୍କ ମହାଭାରତରୁ କନ୍ନଡ଼ ସାହିତ୍ୟର ଆରମ୍ଭ। ତେଣୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ସମୟକୁ ସେମାନେ କ୍ଲାସିକାଲ କନ୍ନଡ଼ ଭାଷା ସାହିତ୍ୟର ସମୟଭାବେ ଗ୍ରହଣ କରନ୍ତି।
୨୦୦୮ରେ କନ୍ନଡ଼ ସହିତ ଶାସ୍ତ୍ରୀୟମାନ୍ୟତା ପ୍ରାପ୍ତ ହୋଇଥିଲା ‘ତେଲଗୁ’। ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗନାରେ ପ୍ରଧାନଭାଷା ଭାବେ ତେଲଗୁ ଭାରତର ଅନ୍ୟତମ ପ୍ରସିଦ୍ଧ ଭାଷା। ଏହି ଭାଷା ମଧ୍ୟ ଚାରିଟି ପର୍ଯ୍ୟାୟ ଅତିକ୍ରମ କରି ଆଧୁନିକ ତେଲଗୁ ଭାଷାଭାବେ ରୂପ ପରିଗ୍ରହ କରିଛି। ଖ୍ରୀଷ୍ଟପୂର୍ବ ଚତୁର୍ଥ-ଦ୍ବିତୀୟ ଶତାବ୍ଦୀରେ ପ୍ରତ୍ନ ଦ୍ରାବିଡ଼ ଭାଷା ପରିବାରୁ ଉଦ୍ଭୂତ ତେଲଗୁର ପରିଚୟ ପ୍ରାଚୀନ କାଳର ବିଭିନ୍ନ ଅଭିଲେଖ ଓ ସାତବାହନଙ୍କ ଗାଥା ଶପ୍ତସତ୍ୟରେ ଶବ୍ଦ ବ୍ୟବହାରରୁ ମିଳେ। ଏକାଦଶ ଶତାବ୍ଦୀରେ ରଚିତ ନାନ୍ନାୟାଙ୍କ ମହାଭାରତରେ ପ୍ରାଚୀନ ତେଲୁଗୁ ସାହିତ୍ୟର ପ୍ରତିଷ୍ଠା। ଏହାପରେ ମଧ୍ୟଯୁଗରେ ବିଜୟ ନଗର ସାମ୍ରାଜ୍ୟର ଅଧିପତି କୃଷ୍ଣଦେବ ରାୟଙ୍କ (ଷୋଡ଼ଶ ଶତାବ୍ଦୀ) ରଚନାରେ ତେଲଗୁର ପରିବ୍ୟାପ୍ତି। ପରବର୍ତ୍ତୀ ସମୟରେ ହାଇଦ୍ରାବାଦ ରାଜ୍ୟ ଗଠନପରେ ପର୍ସିୟାନ ପ୍ରଭାବରେ ତେଲଗୁ ବିବର୍ତ୍ତନ ହୋଇ ବ୍ରିଟିଶ ଶାସନ କାଳରେ ଉପନିବେଶ ସମୟର ରାଜତ୍ବ। ତେଣୁ ତେଲଗୁ ଭାଷାର ଶାସ୍ତ୍ରୀୟ ବା କ୍ଲାସିକାଲ ସମୟ ଭାବେ ଏକାଦଶଠାରୁ ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଭାଷା ସାହିତ୍ୟକୁ ହିଁ ଚିହ୍ନିତ କରାଯାଏ। ଏଇ ବିଷୟକୁ ଆଧାର କରି ତେଲଗୁ ଭାଷାପାଇଁ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ନିକଟ ଅତୀତରେ ମହୀଶୂର ଭାରତୀୟ ଭାଷା କେନ୍ଦ୍ରଠାରେ ସ୍ଥାପିତ ହୋଇଛି।
୨୦୧୩ରେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଅନ୍ୟତମ ଦକ୍ଷିଣ ଭାରତୀୟ ଭାଷା ମାଲୟାଲମ ମଧ୍ୟ ପ୍ରତ୍ନ-ଦ୍ରାବିଡ଼ ଭାଷା ପରିବାରରୁ ମଧ୍ୟତାମିଲ ବାଟ ଦେଇ ସପ୍ତମ ଶତାବ୍ଦୀରେ ସ୍ବତନ୍ତ୍ର ରୂପ ପରିଗ୍ରହ କରିଛି। ନବମ ଶତାବ୍ଦୀର ଦୁଇଟି ତାମ୍ରଲେଖରୁ ଏହାର ପ୍ରାଚୀନ ରୂପର ସନ୍ଧାନ ମିଳେ। ଷୋଡ଼ଶ ଶତାବ୍ଦୀରେ କବି ଏଜୁଆଚନ୍ଙ୍କ ରଚନାରେ ମାଲୟାଲମର ସମ୍ଭ୍ରାନ୍ତ ରୂପ ପ୍ରଦର୍ଶିତ ହୋଇଥିଲା। ତେଣୁ ତିନିଟି ପର୍ଯ୍ୟାୟରେ ବିକଶିତ ମାଲୟାଲମ ଭାଷାର ପ୍ରାଚୀନକାଳ ସପ୍ତମରୁ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓ ମଧ୍ୟକାଳ ଏକାଦଶରୁ ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ। ତା’ପରେ ମିଶନାରୀମାନଙ୍କ ପ୍ରଭାବରେ ଆଧୁନିକ ମାଲୟାଲମ ଭାଷାର ବିକାଶ ସାଧିତ ହୋଇଛି। ତେଣୁ ୧୭୦୦ ଖ୍ରୀଷ୍ଟାବ୍ଦରେ ଜର୍ମାନ ମିଶନାରୀ ଜୋହାନ ହନସ୍ଲେଡେନ ମାଲୟାଲମରେ ‘ଭାଷାୟୁତେ ବ୍ୟାକରଣମ୍’ ରଚନା କରିବା ପୂର୍ବ ପର୍ଯ୍ୟନ୍ତ ସମୟକୁ ମାଲୟାଲମ ଭାଷା ସାହିତ୍ୟର କ୍ଲାସିକାଲ ପର୍ଯ୍ୟାୟ ଭାବେ ଚିହ୍ନିତ କରାଯିବ। ନିକଟ ଭବିଷ୍ୟତରେ ମାଲୟାଲମ ଭାଷାର ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଥିରୁଅନନ୍ତପୁରମ୍ଠାରେ ପ୍ରତିଷ୍ଠା ହେବାର ପ୍ରୟାସ ଜାରି ରହିଛି।
ଏହିସବୁ ଭାଷାର କଥାକୁ ଦୃଷ୍ଟିରେ ରଖି ଆମ ମାତୃଭାଷା ଓଡ଼ିଶାର କ୍ଲାସିକାଲ କାଳନିର୍ଣ୍ଣୟ କରାଯିବାରେ କିଛି ଅସୁବିଧା ବା ଅନ୍ତରାୟ ନାହିଁ। ଖ୍ରୀଷ୍ଟପୂର୍ବ ତୃତୀୟ ଶତକରୁ ଖ୍ରୀଷ୍ଟାବ୍ଦ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ବହୁ ଅଭିଲେଖରେ ପ୍ରତ୍ନ ଓଡ଼ିଆଭାଷା ଓ ଶବ୍ଦର ସୂଚନା ରହିଛି। ନବମ-ଦଶମ ଶତାବ୍ଦୀରୁ ଚର୍ଯ୍ୟାପଦ, ନାଥସାହିତ୍ୟ, ମାଦଳାପାଞ୍ଜି ଓ ରୁଦ୍ର ସୁଧାନିଧିରେ ପ୍ରାଚୀନ ସାରଳା ଦାସଙ୍କ ମହାନକୃତି ମହାଭାରତରେ ଓଡ଼ିଆ ଭାଷାର ଅତୁଳନୀୟ ସୌଧ ନିର୍ମିତ ହୋଇଛି। ତାଙ୍କୁ ଗଜପତି କପିଳେନ୍ଦ୍ରଦେବଙ୍କ ସମୟ ପଞ୍ଚଦଶ ଶତାବ୍ଦୀର ବୋଲି ସ୍ଥିର କରାଯାଇଥିଲେ ମଧ୍ୟ ଗୋପୀନାଥ ମହାନ୍ତିଙ୍କ ପରି ବିଶିଷ୍ଟ ଲେଖକ ଓ ଗବେଷକ ତାଙ୍କୁ ନବମ-ଦଶମ ଶତାବ୍ଦୀର ବୋଲି ଦାବି କରିଛନ୍ତି। ଓଡ଼ିଆ ସାହିତ୍ୟର ପ୍ରଥମ ଇତିହାସ ଲେଖକ ତାରିଣୀଚରଣ ରଥ ‘ବିଭାବତୀ’ କାବ୍ୟର ରଚୟିତା ଘୁମୁସର ରାଜା ବଳଭଦ୍ର ଭଞ୍ଜ (୧୦୨୭-୧୦୫୭) ଏକାଦଶ ଶତାବ୍ଦୀର ପ୍ରଥମ ଓଡ଼ିଆ କବି ଭାବେ ନିର୍ଣ୍ଣୀତ କରିଛନ୍ତି। ସାରଳାଦାସଙ୍କ ପୂର୍ବର ଏକ ସମୁନ୍ନତ ସାହିତ୍ୟିକ ପରମ୍ପରା ଓଡ଼ିଶାରେ ରହିଥିଲା। କବି ଜୟଦେବଙ୍କ ଗୀତଗୋବିନ୍ଦ, ବିଶ୍ବନାଥ କବିରାଜଙ୍କ ସାହିତ୍ୟ ତର୍ପଣ, ସୋମଦେବଙ୍କର କଥାସରିତ ସାଗର ପ୍ରଭୃତି ଓଡ଼ିଶା ଇତିହାସର ସମୃଦ୍ଧ ଓ ସୁବର୍ଣ୍ଣ କାଳର ଅନନ୍ୟ କୃତି। ସେଇ ମହାନ ପରମ୍ପରାରୁ ଓଡ଼ିଆ ଭାଷା ସାହିତ୍ୟର ଜନ୍ମ ଓ ବିବର୍ତ୍ତନ। ସାରଳାଙ୍କ ପ୍ରାକୃତ ଭାଷାକୁ ଭାଗବତ ରଚନା ମଧ୍ୟରେ ଏକ ଭବ୍ୟ ମାନକ ରୂପ ଦେଲେ ଜଗନ୍ନାଥ ଦାସ ପୁଣି ସେଇ ଭାଷାର ଅସାମାନ୍ୟ ପ୍ରାଚୁର୍ଯ୍ୟ ଓ ବୈଚିତ୍ର୍ୟକୁ ପ୍ରକାଶ କଲେ ଉପେନ୍ଦ୍ର ଭଞ୍ଜ। ଏ ସବୁକୁ ଆମର ଅସୁମାରି ସମ୍ପଦ ଭାବେ କଳନାକରି ଓଡ଼ିଆ ଭାଷା ସାହିତ୍ୟର ଶାସ୍ତ୍ରୀୟ କାଳ ନିରୂପଣ କରାଯାଉ। ନବମ-ଦଶମ ଶତାବ୍ଦୀରୁ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ଔପନିବେଶିକ ଶାସନ ପୂର୍ବସମୟକୁ ଓଡ଼ିଆ ଭାଷା ସାହିତ୍ୟର ଶାସ୍ତ୍ରୀୟ ବା କ୍ଲାସିକାଲ କାଳ ଭାବରେ ସ୍ଥିର କରି ଆମର କ୍ଲାସିକାଲ ଭାଷା ପାଇଁ ପ୍ରୟୋଜନୀୟ ଗବେଷଣା, ଅନୁବାଦ, ସଂପାଦନା ଓ ଭାଷା ଅଧ୍ୟୟନ କାର୍ଯ୍ୟ କରିବାକୁ ପଡ଼ିବ। ଏଥିପାଇଁ ଏ କାର୍ଯ୍ୟ ଓ କ୍ଷେତ୍ର ସହିତ ସଂପୃକ୍ତ ସମସ୍ତ ବିଦ୍ବାନ ଏକମନ ଏବଂ ଏକାନ୍ତ ଭାବେ ଦୃଢ଼ ସଂକଳ୍ପ କରିବା ଉଚିତ।