www.samajalive.in
Monday, December 15, 2025
24.1 C
Bhubaneswar

ପିପିଲି ତହସିଲରେ ଗଦା ହୋଇଛି ପୁରୁଣା ଫାଇଲ ଓ ଅଚଳ ଯନ୍ତ୍ରାଂଶ, ରୂପାନ୍ତରିକରଣ ପାଇଁ ଦାବି

ପିପିଲି :ପୁରୀ ଜିଲାର ସବୁଠାରୁ ବ୍ୟସ୍ତବହୁଳ ତହସିଲ ଭାବେ ପରିଗଣିତ ପିପିଲି ତହସିଲ କାର୍ଯ୍ୟାଳୟର ଦୁରାବସ୍ଥାକୁ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ। ଏହି କାର୍ଯ୍ୟାଳୟର ବିଭିନ୍ନ ଉପବିଭାଗରେ ଗଦା ଗଦା ପୁରୁଣା ଫାଇଲ ସବୁ ଜାଗା ମାଡି ବସିଥିବା ବେଳେ ପୁରୁଣା ଆଲମିରା, ଭଙ୍ଗା ଓ ଅଚଳ ଯନ୍ତ୍ରାଂଶ ସମେତ ଅବ୍ୟବହୃତ ଆସବାବପତ୍ର ଗଦା ହୋଇଛି। ଏଠାରେ କର୍ମଚାରୀଙ୍କ ପାଇଁ ବସିବାକୁ ପର୍ଯ୍ୟାପ୍ତ ସ୍ଥାନ ନଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଚାଲିବାକୁ ମଧ୍ୟ ଯାଗାର ଅଭାବ ରହିଛି। ଏହାର ପୁନଃର୍ଦ୍ଧାର ଓ ରୂପାନ୍ତରିକରଣ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

ପୁରୀ ଜିଲାର ପୁରାତନ ଓ ବ୍ୟସ୍ତବହୁଳ ତହସିଲ ଭାବେ ପରିଗଣିତ ହେଉଥିବା ପିପିଲି ତହସିଲର ଦୁରାବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସ୍ଥାନ ଅଭାବରୁ ଏହି କାର୍ଯ୍ୟାଳୟର ପୁରୁଣା ବୈଠକ ଘରେ ଏବେ ଦାଖଲ ଖାରଜ, ଓଏଲ୍‌‌ଆର୍‌‌ ଓ ସାର୍ଟିଫିକେଟ୍‌‌ ପାଇଁ ଉଦ୍ଦିଷ୍ଟ ଉପବିଭାଗ ଚାଲିଛି। ଷ୍ଟୋର ରୁମ୍‌‌ ନଥିବାରୁ ଏଠାରେ ଦୀର୍ଘ ୨୪ବର୍ଷର ପୁରୁଣା ଫାଇଲ ସବୁ ଗଦା ହୋଇ ପଡ଼ିରହିଛି। ପୁରୁଣା ଲୁହା ଓ କାଠ ଆଲମିରା, ର୍ୟାକ୍‌‌, ଭଙ୍ଗା ଓ ଅଚଳ ଯନ୍ତ୍ରାଂଶ, ଭଙ୍ଗା ଚୌକି ସମେତ ବିଭିନ୍ନ ଅବ୍ୟବହୃତ ସାମଗ୍ରୀ ଏହି ଉପବିଭାଗରେ ଯାଗା ମାଡି ବସିଛି। ହଜାର ହଜାର ସଂଖ୍ୟାରେ ପୁରୁଣା ଫାଇଲ୍‌‌ ସବୁ ଏଣେତେଣେ ଗଦା ହୋଇ ରହିବା କାରଣରୁ ସେଠାରେ ଚାଲିବାକୁ ମଧ୍ୟ ଯାଗା ନାହିଁ।

- Advertisement -

ଏହି ବିଭାଗ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବସିବା ପାଇଁ ଆବଶ୍ୟକ ସ୍ଥାନର ଅଭାବ ରହିଛି। ପୁରୁଣା ଫାଇଲ୍‌‌ ଓ ଉପରୋକ୍ତ ସାମଗ୍ରୀ ଗଦା ହେବା କାରଣରୁ ଉକ୍ତ କୋଠରୀ ଧୂଳିରେ ପରିପୂର୍ଣ୍ଣ ହୋଇଛି। ଏଠାରେ କାର୍ଯ୍ୟରତ କେତେକ କର୍ମଚାରୀ ଧୁଳି ଯୋଗୁଁଁ ବାରମ୍ବାର ଥଣ୍ଡା ଆଲର୍ଜି ଭଳି ରୋଗର ଶିକାର ହେଉଥିବା ସୂଚନା ମିଳିଛି। ଏକ ଅପରିଷ୍କାର ପରିବେଶ ମଧ୍ୟରେ ଏହି ତହସିଲର କାର୍ଯ୍ୟ ଚାଲୁଥିବା ବେଳେ ଏଥିଯୋଗୁଁଁ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏହି ତହସିଲ କାର୍ଯ୍ୟାଳୟ ମଧ୍ୟରେ ଥିବା ବିଭିନ୍ନ ଉପବିଭାଗ କାର୍ଯ୍ୟାଳୟକୁ ଯିବାକୁ ପର୍ଯ୍ୟାପ୍ତ ସ୍ଥାନ ମଧ୍ୟ ନାହିଁ। ବିଭିନ୍ନ କାର୍ଯ୍ୟରେ ଏଠାକୁ ଦୈନିକ ୫ଶହରୁ ଊର୍ଦ୍ଧ୍ବ ଲୋକେ ଆସୁଥିବା ବେଳେ ସେମାନଙ୍କ ପାଇଁ ପ୍ରତୀକ୍ଷାଳୟ, ପରିସ୍ରାଗାର ଆଦି ନଥିବା ସୂଚନା ମିଳିଛି। ଗାଡି ରଖିବା ପାଇଁ ସ୍ଥାନ ନଥିବାରୁ ଲୋକେ ତହସିଲର ମୁଖ୍ୟଦ୍ୱାର ସମ୍ମୁଖରେ ସେମାନଙ୍କ ଗାଡି ରଖୁଥିବା ପରିଲକ୍ଷିତ ହୋଇଛି। ଏହି ତହସିଲ୍‌‌ରେ ସମ୍ମିଳନୀ କକ୍ଷ ସମେତ ଆବଶ୍ୟକ ପରିସ୍ରାଗାର ନଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଏଠାରେ ସହକାରୀ କର୍ମଚାରୀଙ୍କ ପାଇଁ ଆବଶ୍ୟକ ସଂଖ୍ୟାରେ ସ୍ୱତନ୍ତ୍ର କାର୍ଯ୍ୟାଳୟ କୋଠରୀ ନିର୍ମାଣ, ଫାଇଲ୍‌‌ ଓ ନଥିପତ୍ର ରଖିବା ପାଇଁ ଆବଶ୍ୟକ ସଂଖ୍ୟାରେ ଆଲୁମିନିୟମ ଥାକ ନିର୍ମାଣ କରାଯିବା, କର୍ମଚାରୀଙ୍କ ପାଇଁ ପରିସ୍ରାଗାର, ଭିଡିଓ କନ୍‌‌ଫରେନ୍ସ ଗୃହ ନିର୍ମାଣ, ପୁରୁଣା ନଥିପତ୍ରକୁ ଉଇ ଓ ଅନ୍ୟାନ୍ୟ ପୋକ ଠାରୁ ସୁରକ୍ଷା ପାଇଁ ପେଷ୍ଟ କଂଟ୍ରୋଲ ଟ୍ରିଟ୍‌‌ମେଣ୍ଟ କରାଯିବା, ପୁରୁଣା କାଠ କବାଟ ଓ ଝରକାକୁ ବଦଳାଯିବା, ସାଧାରଣ ଜନତାଙ୍କ ପାଇଁ ପ୍ରତୀକ୍ଷାଳୟ ଆଦି ନିର୍ମାଣ କରାଯିବାକୁ ସାଧାରଣରେ ଦାବି କରାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories