ରେଳ ସଂଯୋଗୀକରଣ ହେଲେ ଆନନ୍ଦପୁରରେ ଶିଳ୍ପ ଓ ପର୍ଯ୍ୟଟନସ୍ଥଳୀର ହେବ ବିକାଶ

ଆନନ୍ଦପୁରକୁ ରେଳ ସଂଯୋଗ ଦାବି ଉଠାଇଲେ ସାଂସଦ ଅନନ୍ତ ନାୟକ

କେନ୍ଦୁଝରଗଡ଼଼ : କେନ୍ଦୁଝର ଲୋକସଭା ସଦସ୍ୟ ଅନନ୍ତ ନାୟକ ଗୁରୁବାର ଲୋକସଭାରେ ଆନନ୍ଦପୁର ଉପଖଣ୍ଡକୁ ରେଳ ସଂଯୋଗୀକରଣ ନ ଥିବା ପ୍ରସଙ୍ଗ ଉଠାଇ ଆନନ୍ଦପୁରକୁ ତୁରନ୍ତ ରେଳ ସଂଯୋଗୀକରଣ ଦାବି କରିଛନ୍ତି। ନିୟମ-୩୭୭ ଅନୁସାରେ ଏହି ପ୍ରସଙ୍ଗ ଉଠାଇ ସାଂସଦ ଶ୍ରୀ ନାୟକ ଉପରୋକ୍ତ ଦାବି ଲୋକସଭାରେ ଉପସ୍ଥାପନ କରିବା ସହ ଆନନ୍ଦପୁରକୁ ରେଳ ସଂଯୋଗୀକରଣ ହେଲେ ଏହି ଅଞ୍ଚଳରେ ଶିଳ୍ପ ସହ ପର୍ଯ୍ୟଟନର ମଧ୍ୟ ବିକାଶ ହେବ ବୋଲି କହିଛନ୍ତି।

ଜନଜାତିବର୍ଗର ଜନସଂଖ୍ୟା ବହୁଳ ଓ ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡରେ ଆଜି ଯାଏଁ ରେଳ ସଂଯୋଗୀକରଣ ହୋଇପାରି ନାହିଁ। ଏହି ଅଞ୍ଚଳକୁ ରେଳ ସଂଯୋଗୀକରଣ କରିବାକୁ ସ୍ଥାନୀୟସ୍ତରରେ ଦୀର୍ଘବର୍ଷ ଧରି ଦାବି ହୋଇଆସୁଛି। ରେଳ ସଂଯୋଗୀକରଣ ନଥିବା କାରଣରୁ ଆନନ୍ଦପୁର ଅଞ୍ଚଳରେ ଶିଳ୍ପ ସଂସ୍ଥା ସ୍ଥାପିତ ହୋଇପାରୁ ନାହିଁ। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ବେକାରୀ ସମସ୍ୟାରେ ବୃଦ୍ଧି ହେବାରେ ଲାଗିଛି ବୋଲି ସାଂସଦ ଶ୍ରୀ ନାୟକ ତାଙ୍କ ଯୁକ୍ତିରେ ଏହା ଦର୍ଶାଇଛନ୍ତି।

କେନ୍ଦୁଝର ଜିଲାରେ ଲୌହ, ମାଙ୍ଗାନିଜ ଓ କ୍ରୋମାଇଟ ଭଳି ମୂଲ୍ୟବାନ ଖଣିଜସମ୍ପଦ ଗଛିତ ଥିବାବେଳେ ରାଜ୍ୟ ଓ ଦେଶର ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଏହାସସତ୍ତ୍ୱେ ଆନନ୍ଦପୁର ଅଞ୍ଚଳରେ ଶିଳ୍ପ ସ୍ଥାପିତ ହୋଇପାରୁ ନାହିଁ। ଶ୍ରୀ ନାୟକ ହରିଚନ୍ଦନପୁରରୁ ଧାମରା ପର୍ଯ୍ୟନ୍ତ ରେଳପଥ ସଂଯୋଗୀକରଣ କରାଯିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ଖଣିଜ ପରିବହନ ସୁବିଧାରେ ହୋଇପାରିବା ସହ ଆନନ୍ଦପୁର ଅଞ୍ଚଳରେ ଶିଳ୍ପ ଓ ପର୍ଯ୍ୟଟନର ମଧ୍ୟ ବିକାଶ ହୋଇପାରିବ ବୋଲି ଶ୍ରୀ ନାୟକ କହିଛନ୍ତି।

ପ୍ରସ୍ତାବିତ ରେଳ ଲାଇନ କେବଳ ଯେ ଏହି ଅଞ୍ଚଳରେ ଶିଳ୍ପକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ସ୍ଥାନୀୟ ଲୋକମାନଙ୍କୁ ରୋଜଗାରର ପନ୍ଥା ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଶ୍ରୀ ନାୟକ କହିଛନ୍ତି ଯେ ଏହି ଅଞ୍ଚଳରେ ପର୍ଯ୍ୟଟନର ପ୍ରବଳ ସମ୍ଭବନା ରହିଛି। ଘଟଗାଁସ୍ଥିତ ମା’ତାରିଣୀ ମନ୍ଦିର, ଗୁଣ୍ଡିଚାଘାଗୀ ଜଳପ୍ରପାତ, ଦରଗୁଡିଶିଳା, ହଦଗଡ଼ ଇକୋ ଟୁରିଜମ କେନ୍ଦ୍ର, ଚକ୍ରତୀର୍ଥ ଓ ଗଡ଼ଚଣ୍ଡୀ ଭଳି ପ୍ରମୁଖ ପର୍ଯ୍ୟଟନକେନ୍ଦ୍ର ରହିଛି। ପର୍ଯ୍ୟାପ୍ତ ପରିବହନ ବ୍ୟବସ୍ଥା ଅଭାବରୁ ପର୍ଯଟକ ମାନେ ଏହି ଦର୍ଶନୀୟ ସ୍ଥାନ ଗୁଡିକୁ ପହଞ୍ଚି ପାରୁନାହାନ୍ତି।

ତେଣୁ ରେଳବାଇ ସଂଯୋଗୀକରଣ ହେଲେ ପରିବହନ ସୁବିଧା ସହ ଏହି ପର୍ଯଟନସ୍ଥଳ ଗୁଡିକର ବିକାଶ ହେବ ଓ ଅଧିକରୁ ଅଧିକ ପର୍ଯ୍ୟଟକ ଆସି ପାରିବେ ଓ ଏହି ଅଞ୍ଚଳର ଆର୍ଥିକ ବିକାଶ ହେବ ବୋଲି ଶ୍ରୀ ନାୟକ କହିଛନ୍ତି।

Comments are closed.